କେନ୍ଦୁଝର ଦେଇ ଦିଲ୍ଲୀକୁ ଗଡ଼ିଲା ଟ୍ରେନ୍‌

କେନ୍ଦୁଝର,୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷିତ ପୁରୀ-ଆନନ୍ଦବିହାର(ନୂଆଦିଲ୍ଲୀ) ଟ୍ରେନ୍‌ ଶନିବାରଠାରୁ କେନ୍ଦୁଝର ଦେଇ ଗଡ଼ିଛି। ଏହି ଟ୍ରେନ୍‌ କେନ୍ଦୁଝରରେ ନିର୍ଦ୍ଧାରିତ ସମୟ ପୂର୍ବରୁ ୯ଟା ୫୦ରେ କେନ୍ଦୁଝରଗଡ଼ ଷ୍ଟେଶନରେ ପହଞ୍ଚିଥିଲା। ଏହାକୁ ସ୍ବାଗତ କରିବା ପାଇଁ ବହୁ ଲୋକ ଷ୍ଟେଶନରେ ପହଞ୍ଚିଥିଲେ। ଏହି ଟ୍ରେନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ଉଦଘାଟନ କରିଥିଲେ ହେଁ ଆଜିଠାରୁ ଏହି ଟ୍ରେନ୍‌ ଚଳାଚଳ ଆରମ୍ଭ କରିଛି।

କେନ୍ଦୁଝରଗଡ଼ ଷ୍ଟେଶନରୁ ୧୦ଟା ୧୦ମିନିଟ୍‌ରେ ଟ୍ରେନ୍‌ ଗନ୍ତବ୍ୟପଥକୁ ଛାଡ଼ିଥିଲା। ଏହି ଟ୍ରେନ୍‌ରେ କେନ୍ଦୁଝରରୁ ବହୁ ଯାତ୍ରୀ ନୂଆଦିଲ୍ଲୀ ସମେତ ବିଭିନ୍ନ ସ୍ଥାନକୁ ଯାତ୍ରା କରିଛନ୍ତି। ଏହି ଟ୍ରେନ୍‌ରେ ପ୍ରଥମ କ୍ଲାସ୍‌ ଏସି ବଗି ଗୋଟିଏ,ଦ୍ୱିତୀୟ କ୍ଲାସ୍‌ ଏସି ବଗି ୨ଟି, ଥ୍ରୀ ଟାୟାର ଏସି ୫ଟି ବଗି, ସ୍ଲିପର ୬ଟି ବଗି,ଜେନେରାଲ ୪ଟି ବଗି ସମେତ ମୋଟ ୧୯ଟି ବଗି ରହିଛି। ପ୍ରଥମ ଦିନରେ ଟ୍ରେନ୍‌ରେ ଜଗଦ୍ଦୀଶ ପ୍ରସାଦ ଦାସ,ପୀତବାସ ସାହୁଙ୍କ ସମେତ ବହୁ ଲୋକ ବିଭିନ୍ନ ସ୍ଥାନକୁ ଯାତ୍ରା କରିଛନ୍ତି। କେନ୍ଦୁଝରରୁ ଗୟା, ଦିଲ୍ଳୀ, ପ୍ରୟାଗରାଜ ଆଦି ଯିବା ପାଇଁ ସୁବିଧା ହୋଇଛି ବୋଲି ଉପସ୍ଥିତ ଥିବା ଭାଜପା ଦଳର ନେତୃବୃନ୍ଦ ରାଧାକାନ୍ତ ମହାନ୍ତ, ସୁବ୍ରତ ମହାନ୍ତିଙ୍କ ସମେତ ଅନ୍ୟମାନେ କହିଛନ୍ତି। ନୂଆଦିଲ୍ଲୀକୁ ଟ୍ରେନ ଚାଲିବା ପରେ କେନ୍ଦୁଝରବାସୀଙ୍କ ମଧ୍ୟରେ ଉସତ୍ାହ ଦେଖାଦେଇଛି। ସେହିପରି ଗତକାଲି ପାରାଦୀପରୁ କେନ୍ଦୁଝରଗଡ଼ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଥିଲା।