ଲେବଲକ୍ରସିଂ ପାର୍‌ ବେଳେ ଧକ୍କା ଦେଲା ଟ୍ରେନ୍‌, ଆଉ ତା’ପରେ ଯାହା ଘଟିଲା…

ଭଦ୍ରକ,୭।୬(ସନାତନ ରାଉତ): ଭଦ୍ରକ-ଧାମରା ରେଳପଥର ତିହିଡି଼ ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ରାସ୍ତା ଲେବଲକ୍ରସିଂ ନିକଟରେ ରବିବାର ଏକ ଟ୍ରେନ ଧକ୍କାରେ ଜଣେ ବାଇକ୍‌ ଆରୋହୀ ଯୁବକଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ପୀରହାଟ ବଜାରରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ, ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ଦାବିରେ ରାସ୍ତା ଅବରୋଧ କରାଯାଇଛି ।

ଘଟଣାରୁ ପ୍ରକାଶ ଯେ, ସାହାପୁର ପଞ୍ଚାୟତ ଅଧୀନ କଣ୍ଡରାଗିଆ ଗ୍ରାମର ଅଭିମନ୍ୟୁ ପରିଡ଼ା(୪୫) ବାଇକ୍‌ ଯୋଗେ ଘରକୁ ଫେରୁଥିଲେ । ସାହାପୁର ଲେବଲକ୍ରସିଂ ନିକଟରେ ଧାମରାରୁ ଭଦ୍ରକ ଅଭିମୁଖେ ଯାଉଥିବା ଟ୍ରେନ ଯୁବକଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା l ଏହି ଘଟଣା ପ୍ରଚାରିତ ହେବାପରେ ଗ୍ରାମବାସୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।

ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ କ୍ଷତିପୂରଣ ଓ ନିଯୁକ୍ତି ଦାବି କରିଛନ୍ତି। ଖବରପାଇ ଚାନ୍ଦବାଲି ଏସ୍‌ଡିପିଓ ପ୍ରଭାସ ଚନ୍ଦ୍ର ସାହୁ, ପୀରହାଟ ଥାନା ଆଇଆଇସି ରୋଜାଲିନ ବେହେରା, ତିହିଡି଼ ଥାନା ଆଇଆଇସି ଲୋପାମୁଦ୍ରା ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ । ଏମ୍‌ପିଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ହରସିଂହପୁର ସରପଞ୍ଚ ଅଜୟ ମହାନ୍ତି, ଭାଜପା ନେତା ସଂଗ୍ରାମ ମହାନ୍ତି ପ୍ରମୁଖ ଘଟଣାର ସମାଧାନ ପାଇଁ ଉଦ୍ୟମ କରୁଛନ୍ତି । ଖବର ଲେଖା ହେବା ଯାଏ ରାସ୍ତାରୋକୋ ଜାରି ରହିଛି।

Share