ଓଡ଼ିଶାର ଏହି ୩ ଜିଲାରେ ହେବ ଚତୁର୍ଥ ସେରୋ ସର୍ଭେ

ଭୁବନେଶ୍ୱର, ୧୨।୬(ବ୍ୟୁରୋ): ଚତୁର୍ଥ ସେରୋ ସର୍ଭେରେ ୬ ବର୍ଷରୁ ଅଧିକ ବୟସ୍କ ପିଲା ସାମିଲ ହେବେ। ଏ ନେଇ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆର୍‌ଏମ୍‌ଆର୍‌ସି) ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୧୬ କିମ୍ବା ୧୭ ତାରିଖରୁ ଆରମ୍ଭ ହେବ ନ୍ୟାସନାଲ ସେରୋ ସର୍ଭେ। ଦେଶର ଯେଉଁ ୭୦ଟି ଜିଲାରେ ପୂର୍ବରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ରାଉଣ୍ଡ ସେରୋ ସର୍ଭେ ହେଇଥିଲା, ଚତୁର୍ଥ ରାଉଣ୍ଡରେ ମଧ୍ୟ ସେହି ୭୦ଟି ଜିଲାରେ ସେରୋ ସର୍ଭେ ହେବ। ଏଥିରେ ଓଡ଼ିଶାର ୩ଟି ଜିଲା ସାମିଲ ହୋଇଛି। ସେଗୁଡ଼ିକ ହେଲା ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ। ଏନେଇ ଆର୍‌ଏମ୍‌ଆର୍‌ସି ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଥିବା ନିର୍ଦ୍ଦେଶିକା ଡା. ସଂଘମିତ୍ରା ପତି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରତି ଜିଲାକୁ ୧୦ଟି ଲେଖାଏ କ୍ଲଷ୍ଟର କରାଯାଇ ସେରୋ ସର୍ଭେ କରାଯିବ। ଆସନ୍ତା ୨୨ ତାରିଖରୁ ୨୪ ତାରିଖ ଭିତରେ ସର୍ଭେ ସାରିବାକୁ ଆର୍‌ଏମ୍‌ଆର୍‌ସି ଟାର୍ଗେଟ ରଖିଛି। ରାଜ୍ୟ ସରକାରଙ୍କ ସହଯୋଗରେ ଏହି ନ୍ୟାସନାଲ ସେରୋ ସର୍ଭେ କରାଯିବ।