୩୦ ସୁଦ୍ଧା ସରିବ ଟେଣ୍ଡର, କାମ ସରିବାକୁ ଆହୁରି ୨ ବର୍ଷ

ଭୁବନେଶ୍ୱର,୧୫ା୩(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରେ ବିଧାୟକ ଏବଂ ବିଧାୟିକାମାନଙ୍କ ପାଇଁ ନିର୍ମାଣ ହେବାକୁ ଥିବା ବହୁତଳ ସରକାରୀ ବାସଭବନ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ। ଏଥିଲାଗି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକାଧିକ ବୈଠକ ହୋଇସାରିଥିବା ବେଳେ ବିଧାୟକମାନଙ୍କୁ ସରକାରୀ ବାସଭବନ ଖାଲି କରିବା ପାଇଁ ବହୁ ଥର କୁହାଯାଇଛି। ହେଲେ ଏବେ ବି ୮ ଜଣ ବିଧାୟକ ସରକାରୀ ବାସଭବନ ଖାଲି ନ କରି ରହିଛନ୍ତି। ଫଳରେ ନବନିର୍ବାଚିତ ବିଧାୟକଙ୍କ ଲାଗି ନିର୍ବାଚନର ଅଢ଼େଇ ବର୍ଷ ପରେ ମଧ୍ୟ ବହୁତଳ ସରକାରୀ ବାସଭବନ ନିର୍ମାଣ ଆରମ୍ଭ ହୋଇପାରି ନାହିଁ। ଏହି କାମ ସରିବାକୁ ମଧ୍ୟ ଆହୁରି ୨ ବର୍ଷ ଲାଗିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୋମବାର କହିଥିଲେ।
ଏହି ବହୁତଳ ସରକାରୀ ବାସଭବନ ଲାଗି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ଆସନ୍ତା ୩୦ ତାରିଖ ସୁଦ୍ଧା ହେବ। ପରବର୍ତ୍ତୀ ୧୦ରୁ ୧୫ ଦିନ ମଧ୍ୟରେ କାର୍ଯ୍ୟାଦେଶ ପ୍ରଦାନ କରାଯିବ ବୋଲି ବାଚସ୍ପତି କହିଛନ୍ତି। ନିର୍ମାଣ ହେବାକୁ ଥିବା ବହୁତଳ ବାସଭବନ ୨୭୫ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଓଡ଼ିଶା ସେତୁ ନିର୍ମାଣ ନିଗମକୁ ୫୦ କୋଟି ଟଙ୍କା ରାଜ୍ୟ ସରକାରଙ୍କ ତରଫରୁ ପ୍ରଦାନ କରାଯାଇଥିବା ବେଳେ ବଳକା ୨୨୫ କୋଟି ଟଙ୍କା ଆସନ୍ତା ୨ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ପ୍ରଦାନ କରାଯିବ ବୋଲି ବାଚସ୍ପତି ପାତ୍ର ପ୍ରକାଶ କରିଛନ୍ତି।
ଏବେ ସୁଦ୍ଧା ବିଧାୟକ କଲୋନିରୁ ୮ ଜଣ ବିଧାୟକ ଗୃହ ଛାଡ଼ିନାହାନ୍ତି। ସେମାନେ ଆସନ୍ତା ୨୫ ତାରିଖ ସୁଦ୍ଧା ଗୃହ ଛାଡ଼ିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବିଧାୟକମାନେ ଗୃହ ଛାଡ଼ିବା ପରେ ପୁରୁଣା ଗୃହକୁ ତୁରନ୍ତ ଭଙ୍ଗାଯିବ। ନୂତନ ବିଧାୟକ କଲୋନିରେ ମାର୍କେଟ କମ୍ପ୍ଲେକ୍ସ, ବ୍ୟାୟାମ ସ୍ଥଳ, ଏକକାଳୀନ ୨୦୦୦ରୁ ୩୦୦୦ ଲୋକ ଭୋଜି ଖାଇବା ଭଳି କଲ୍ୟାଣ ମଣ୍ଡପ, ରେଳ ଓ ଉଡ଼ାଜାହାଜ ଟିକେଟ ବୁକିଂ କାଉଣ୍ଟର, ଚିକିତ୍ସା ସୁବିଧା, ପୋଲିସ ଷ୍ଟେଶନ ଏବଂ ଅନ୍ୟାନ୍ୟ ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍ଥା ରହିବ। ଏହି ବୈଠକରେ ବିଧାନସଭା ସଚିବ ଦାଶରଥି ଶତପଥୀଙ୍କ ସମେତ ପୂର୍ତ୍ତ ଓ ଓବିସିସିର ଉଚ୍ଚ କର୍ତ୍ତୃପକ୍ଷ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥଲେ।