୧୫ରୁ ବଢ଼ିବ ତାତି

ଭୁବନେଶ୍ୱର,୧୩।୩(ବ୍ୟୁରୋ):ରାଜ୍ୟରେ ତାତି ବଢୁଥିବା ବେଳେ କେତେକ ଜିଲାରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି। ୧୫ ଓ ୧୬ ତାରିଖରେ କେତେକ ଜିଲାରେ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ଆସନ୍ତା ୩ରୁ ୪ ଦିନ ଯାଏ ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶା ମଧ୍ୟକୁ ଶୁଷ୍କ ବାୟୁ ପ୍ରବାହିତ ହେବ। ଏହାର ପ୍ରଭାବରେ ଆସନ୍ତା ୩ ଦିନ ଯାଏ ରାଜ୍ୟରେ ଦିନର ତାପମାତ୍ରାରେ ୨ରୁ ୩ ଡିଗ୍ରୀ ବୃଦ୍ଧି ଘଟିବ। ତେବେ ଏହି ସମୟରେ କେତେକ ଜିଲାରେ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି। ୧୫ ତାରିଖରେ ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୋଳ ଜିଲାରେ ସ୍ବାଭାବିକ ଠାରୁ ୪ରୁ ୫ ଡିଗ୍ରୀ ଯାଏ ତାପମାତ୍ରା ବୃଦ୍ଧି ଘଟିବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ନିଂ ଜାରି କରାଯାଇଛି। ସେହିପରି ୧୬ ତାରିଖରେ ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୋଳ, ନୟାଗଡ଼ ଓ ଖୋର୍ଦ୍ଧା ଜିଲାରେ ମଧ୍ୟ ଦିନର ତାପମାତ୍ରା ବୃଦ୍ଧି ପାଇବ।