୧୦ ଡିଗ୍ରୀ ତଳେ ପାରଦ: କମୁଛି ତାପମାତ୍ରା, ବଢୁଛି ଥଣ୍ଡା

ଭୁବନେଶ୍ୱର,୯।୧୧(ବ୍ୟୁରୋ): ରାଜ୍ୟରେ ପାରଦ ଧୀରେ ଧୀରେ ଖସିବାରେ ଲାଗିଛି। ତାପମାତ୍ରା କମୁଥିବାରୁ ଥଣ୍ଡା ବଢ଼ୁଛି। ସନ୍ଧ୍ୟା ଅପେକ୍ଷା ସକାଳେ ଅଧିକ ଶୀତ ଅନୁଭୂତ ହେଉଛି। ରବିବାର ରାଜ୍ୟର ୧୧ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀଠାରୁ କମ୍‌ ରହିଛି। ସର୍ବନିମ୍ନ ୯.୬ ଡିଗ୍ରୀ ତାପମାତ୍ରା ସହିତ ସୋନପୁର ସବୁଠୁ ଥଣ୍ଡା ସହର ପାଲଟିଛି। ଗତ କିଛିଦିନ ହେବ ଏହି ସହରରେ ତାପମାତ୍ରା ସବୁଠୁ କମ୍‌ ରହୁଛି। ଅନ୍ୟ ୧୦ସ୍ଥାନ ମଧ୍ୟରେ ଫୁଲବାଣୀ ୧୦.୫, ଦାରିଙ୍ଗବାଡ଼ି ୧୦.୫, ଅନୁଗୋଳ ୧୧.୦, କୋରାପୁଟ ୧୧.୬, ଭବାନୀପାଟଣା ୧୨.୨, ଝାରସୁଗୁଡ଼ା ୧୩.୦, କେନ୍ଦୁଝର ୧୩.୮, ବାରିପଦା ୧୪.୨, ବଲାଙ୍ଗୀର ୧୪.୬, ସମ୍ବଲପୁରରେ ୧୪.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ବୌଦ୍ଧ ୧୫.୫, ତାଳଚେର ୧୫.୬, ହୀରାକୁଦ ୧୫.୯, ଟିଟିଲାଗଡ଼ ଓ ମାଲକାନଗିରି ୧୬.୫, କଟକରେ ୧୬.୮, ନୟାଗଡ଼ ୧୭, ଚାନ୍ଦବାଲି ୧୭.୧, ଭୁବନେଶ୍ୱର, ବାଲେଶ୍ୱର ଓ ପୁରୀ ୧୮, ସୁନ୍ଦରଗଡ଼ ୧୮.୫, ଛତ୍ରପୁର ୧୯, ପାରାଦୀପ ୧୯.୪, ଗୋପାଳପୁରରେ ସର୍ବନିମ୍ନ ତାପମାତ୍ର ୧୯.୬ ଡିଗ୍ରୀ ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଆଗକୁ ଆହୁରି ତାପମାତ୍ରା ହ୍ରାସ ପାଇବ। ତେବେ ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ ସେଭଳି କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ। କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ୩ରୁ ୫ଡିଗ୍ରୀ ତଳକୁ ଖସିବ। ସେହିପରି ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ୨ରୁ ୩ ଡିଗ୍ରୀ ତାପମାତ୍ରା କମ୍‌ ରହିବ ବୋଲି ଆକଳନ କରାଯାଇଛି।
ସେପଟେ ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟର ସବୁ ସହରରେ ପାଗ ଶୁଖିଲା ରହିବ। କିନ୍ତୁ ୧୧ ଓ ୧୨ ତାରିଖ କିଛି ସ୍ଥାନରେ ସ୍ବଳ୍ପ ଧରଣର ବର୍ଷା ହେବ। ୧୧ ତାରିଖରେ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷାର ଆଶଙ୍କା ରହିଛି। ୧୨ ତାରିଖରେ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ସ୍ଥାନ ସମେତ ମାଲକାନଗିରି, କୋରାପୁଟ, ରାୟଗଡ଼ାରେ ସ୍ବଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି।