ତେଲଙ୍ଗାନା ଏନ୍‌ଟିପିସି ନେଲା ଓଡ଼ିଶା କୋଇଲା ଖଣି

ଭୁବନେଶ୍ୱର,୧୮ା୯(ବ୍ୟୁରୋ): କେନ୍ଦ୍ର ସରକାର ଓଡିଶାର ମନ୍ଦାକିନୀ-ବି କୋଇଲା ଖଣିକୁ ତେଲଙ୍ଗାନାର ଏନ୍‌ଟିପିସିକୁ ପ୍ରଦାନ କରିଛନ୍ତି। ତେଲଙ୍ଗାନାର ରାମଗୁଣ୍ଡମ୍‌ ଠାରେ ଥିବା ଏନ୍‌ଟିପିସିର ୪ ହଜାର ମେଗାଓ୍ବାଟ୍‌ ବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ଏହି ଖଣିରୁ କୋଇଲା ଯୋଗାଣ ହେବ। ଟିଆର୍‌ଏସ୍‌ ଏମ୍‌ପି ରଞ୍ଜିତ ରେଡ୍ଡୀଙ୍କ ପ୍ରଶ୍ନର ଉତ୍ତରରେ ବୁଧବାର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଲୋକ ସଭାରେ ଏହି ସୂଚନା ଦେଇଛନ୍ତି। ଉକ୍ତ ଖଣିରୁ ବାର୍ଷିକ ୨୦ ନିୟୁତ ଟନ୍‌ କୋଇଲା ଯୋଗାଇବାକୁ ତେଲଙ୍ଗାନା ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା। ଏଥିସହିତ ରାଜ୍ୟ ସରକାର କେଟିପିଏସ୍‌, ଭଦ୍ରାଦ୍ରି ଏବଂ ୟାଦ୍ରାଦ୍ରି ପାଓ୍ବାର ପ୍ଲାଣ୍ଟ ପାଇଁ ବାର୍ଷିକ ୨୨.୨ ନିୟୁତ ଟନ୍‌ର କୋଲ୍‌ ଲିଙ୍କେଜ୍‌ ଦେବାକୁ ଅନୁରୋଧ କରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।