ସମୟରେ ଆସୁନାହାନ୍ତି ଶିକ୍ଷକ, ବାହାରେ ବୁଲୁଛନ୍ତି ପିଲା

ଲାଠୋର, ୧୪ା୧୦(ଡି.ଏନ.ଏ.):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର କ୍ଳଷ୍ଟର ଅଧୀନ ଝଲିଆଲିଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକମାନେ ଧାର୍ଯ୍ୟ ସମୟରେ ଶିକ୍ଷାନୁଷ୍ଠାନକୁ ଆସୁନାହାନ୍ତି। ଫଳରେ ସମୟରେ ସ୍କୁଲ ଆସି ପିଲାମାନେ ବାହାରେ ବୁଲୁଥିବା ଦେଖିବାକୁ ମିଳୁଛି। ଅଭିଭାବକମାନେ ଅଭିଯୋଗ କଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଏପରିକି ପୂର୍ବରୁ ଅଭିଯୋଗ ପାଇ ବିଇଓ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ହେଁ ଅବସ୍ଥା ଯଥା ପୂର୍ବଂ ତଥା ପର ହୋଇ ରହିଛି। ସ୍କୁଲ ସମୟ ପୂର୍ବାହ୍ନ ୯.୩୦ରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏ ଚାଲିବ ବୋଲି ସରକାରୀ ନିୟମ କରିଛନ୍ତି। ହେଲେ ଏଠାରେ ତାହାର ଉଲ୍ଲଂଘନ ହେଉଥିବା ଅଭିଯୋଗ ହୋଇଆସୁଛି। ଏହିକ୍ରମରେ ଗୁରୁବାର ପୂର୍ବାହ୍ନ ୧୦ା୧୫ ପର୍ଯ୍ୟନ୍ତ ବିଦ୍ୟାଳୟ ଗେଟରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା। ଛାତ୍ରୀଛାତ୍ରମାନେ ବିଦ୍ୟାଳୟ ସମ୍ମୁଖ ବଲାଙ୍ଗୀର-ନୂଆପଡ଼ା ମୁଖ୍ୟରାସ୍ତାକଡ଼ରେ ଇତସ୍ଥତଃ ହୋଇ ବୁଲୁଥିଲେ। ଏ ନେଇ ଖପ୍ରାଖୋଲ ଗୋଷ୍ଠୀ ଶିକ୍ଷା ଅଧିକାରୀ(ବିଇଓ) ସୁରେନ୍ଦ୍ର କୁମାର ପୁରୋହିତଙ୍କୁ ଲୋକେ ଫୋନ ଯୋଗେ ଜଣାଇଥିଲେ। ବିିଇଓଙ୍କ ନିର୍ଦ୍ଦେଶରେ ଲାଠୋର ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଉଜ୍ଜ୍ୱଳ ରଣାଙ୍କୁ ତଦନ୍ତ ପାଇଁ ପଠାଇଥିଲେ। ଗୁରୁବାର ମଧ୍ୟାହ୍ନରେ ସ୍କୁଲକୁ ଆସି ରଣା ଅଭିଯୋଗର ତଦନ୍ତ କରିବା ପରେ ବିଇଓଙ୍କୁ ରିପୋର୍ଟ କରିବି ବୋଲି କହିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ପୁରୋହିତଙ୍କୁ ଏ ନେଇ ପଚାରିବାରୁ ରିପୋର୍ଟ ଅନୁଧ୍ୟାନ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଏନେଇ ପ୍ରଧାନଶିକ୍ଷକ ହରେରାମ ସାହାଣୀଙ୍କୁ ତାଙ୍କ ମୋବାଇଲ ନଂ ୯୬୬୮୧୨୭୮୪୭ରେ ଯୋଗାଯୋଗ କରାଯାଇଥିଲା। ରିଙ୍ଗ ହେବା ସତ୍ତ୍ୱେ ସେ ରିସିଭ କରି ନ ଥିଲେ। ୧୯୭୧ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫୭ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ପ୍ରଧାନଶିକ୍ଷକ ଏବଂ ଜଣେ ସହକାରୀ ଶିକ୍ଷୟିତ୍ର ଏଠାରେ ନିଯୁକ୍ତ ଅଛନ୍ତି।