ରାଜାଙ୍କ ପ୍ରତିମୂର୍ତ୍ତିକୁ ଫେରିଲା ଖଣ୍ଡା

ଅନୁଗୋଳ ଅଫିସ, ୨୭ା୧୦: ଅନୁଗୋଳର ଗର୍ବ ଓ ଗୌରବ ମହାରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ପ୍ରତିମୂର୍ତ୍ତିରୁ ଗତ ୧୯ ତାରିଖରୁ ଗାଏବ ହୋଇଯାଇଥିବା ଖଣ୍ଡା ଶେଷରେ ଫେରାଇ ଆଣାଯାଇଛି। ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ପ୍ରତିମୂର୍ତ୍ତିରୁ ଖଣ୍ଡା ନେଇ ସହରରେ ବୁଲୁଥିବା ବେଳେ ତାହାକୁ ସଫେଇ କର୍ମଚାରୀ ଉଦ୍ଧାର କରିଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି ସହରବାସୀ।

ପ୍ରକାଶ ଯେ, ଗତ ୧୯ ତାରିଖରେ ସହରରେ ଲକ୍ଷ୍ମୀପୂଜା ଭସାଣି ଚାଲିଥିବାବେଳେ ପୌରପାଳିକା ଛକରେ ଥିବା ରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ପ୍ରତିମୂର୍ତ୍ତିରେ ଖଣ୍ଡା ନ ଥିଲା। ଏହି ଘଟଣା ପ୍ରଚାରିତ ହେବାପରେ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ପ୍ରଶାସନର ଅବହେଳା ପାଇଁ ଏପରି ଘଟଣା ଘଟିଥିବା ଅଭିଯୋଗ କରାଯାଇଥିଲା। କାରଣ ଅନେକ ସମୟରେ ପୌରପାଳିକା ଛକରେ ଥିବା ରାଜାଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରତିବାଦ ଓ ଉତ୍ସବ ପାଳନ ବେଳେ ପ୍ରତିମୂର୍ତ୍ତିର ସୁରକ୍ଷା ଏବଂ ସମ୍ମାନ ପ୍ରତି ଧ୍ୟାନ ଦିଆଯାଉ ନାହିଁ। ଲୋକମାନେ ରାଜାଙ୍କ ଘୋଡ଼ା ଦେହରେ ଲଦି ହେଉଛନ୍ତି। କେତେବେଳେ ଘୋଡ଼ାର ଲଗାମକୁ ଟାଣି ଛିଣ୍ଡାଇ ଦେଉଛନ୍ତି। ତେଣୁ ଏ ନେଇ ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରାଯାଇଛି।