ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୭।୯:ଶ୍ରୀଜଗନ୍ନାଥଙ୍କ କୌଣସି ସମ୍ପତ୍ତି ବିକ୍ରି ବନ୍ଦ କରିବା ଲାଗି ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ଦାଏର ଏକ ପିଟିଶନରେ ହସ୍ତକ୍ଷେପ କରିବାକୁ ସୋମବାର ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଏଥିପାଇଁ ନୀତି ନିର୍ଦ୍ଧାରଣ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇପାରିବ ନାହିଁ। ଏହା ଦ୍ୱାରା ନ୍ୟାୟିକ ସମୀକ୍ଷା ଓ କ୍ଷମତା ବିକେନ୍ଦ୍ରୀକରଣର ଉଲ୍ଲଂଘନ ହେବ ବୋଲି ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜେ.କେ.ମାହେଶ୍ୱରୀଙ୍କ ଖଣ୍ଡପୀଠ କହିଛନ୍ତି। ଖଣ୍ଡପୀଠ ପିଟିଶନକୁ ଖାରଜ କରିଦେବା ସହ ଆବେଦନକାରୀ ଜନ ସ୍ବାଭିମାନ ଓ୍ବେଲ୍‌ଫେୟାର ସୋସାଇଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ ବୋଲି କହିଛନ୍ତି। ଓଡ଼ିଶାରେ ଶ୍ରୀଜଗନ୍ନାଥଙ୍କର ୩୪,୮୭୬ ଏକର ଜମି ସମେତ ପଶ୍ଚିମବଙ୍ଗ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ବିହାରରେ ୩୯୫ ଏକର ଜମି ବିକ୍ରି ପାଇଁ ଚିହ୍ନଟ କରାଯାଇଥିବା ଆବେଦନକାରୀ ଦର୍ଶାଇଥିଲେ। ଭକ୍ତମାନଙ୍କ ଭାବାବେଗକୁ ବିଚାରକୁ ନ ନେଇ ଓଡ଼ିଶା ସରକାର ଶ୍ରୀଜଗନ୍ନାଥଙ୍କ ୩୧୫.୩୩୭ ଏକର ଜମି ବିକ୍ରି କରିସାରିଲେଣି। ତେଣୁ ସବୁ ରାଜ୍ୟରେ ଥିବା ଉପାସନା ସ୍ଥଳଗୁଡ଼ିକର ନିୟନ୍ତ୍ରଣ ଲାଗି କେନ୍ଦ୍ର ସରକାର ସମାନ ନୀତି ଆଣିବା ନିମନ୍ତେ ନିର୍ଦ୍ଦେଶ ଦେବା ପାଇଁ ପିଟିଶନର ସର୍ବୋଚ୍ଚ ଅଦାଲତଙ୍କୁ ଅନୁରୋଧ କରିଥିଲେ। ଏଥିସହିତ ଶ୍ରୀଜଗନ୍ନାଥଙ୍କ ତରଫରୁ ସବୁ କାର୍ଯ୍ୟର ତଦାରଖ ଲାଗି ଏକ ନ୍ୟାୟିକ କମିଟି ଗଠନ କରିବା ନିମନ୍ତେ ପିଟିଶନର ନିବେଦନ କରିଥିଲେ।