Categories: ଖେଳ

ସୁପର ଫୋର୍‌ ଓ ଫାଇନାଲ କଲମ୍ବୋରେ ହିଁ ଖେଳଯିବ

କଲମ୍ବୋ, ୬ା୯ (ପି.ଟି.): କଲମ୍ବୋ ପାଣିପାଗରେ ଉନ୍ନତି ପରିଲକ୍ଷିତ ହୋଇଛି। ତେଣୁ ଚଳିତ ଏସିଆ କପ୍‌ ଦିନିକିଆ କ୍ରିକେଟ ଟୁର୍ନାମେଣ୍ଟର ସୁପର ଫୋର ପର୍ଯ୍ୟାୟ ଏବଂ ଫାଇନାଲ ମ୍ୟାଚ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ସେଠାରେ ଖେଳାଯିବ ବୋଲି ଏସିଆ କ୍ରିକେଟ କାଉନ୍‌ସିଲ (ଏସିସି) ପକ୍ଷରୁ ମଙ୍ଗଳବାର ସ୍ପଷ୍ଟ କରାଯାଇଛି। କଲମ୍ବୋରେ ବର୍ଷା ଲାଗି ରହୁଥିବାରୁ ସୁପର ଫୋର ଓ ଫାଇନାଲ ମ୍ୟାଚଗୁଡ଼ିକ ହାମ୍ବାନଟୋଟାକୁ ସ୍ଥାନାନ୍ତର କରାଯିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଏସିସି ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି), ଆୟୋଜକ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏବଂ ଅଫିସିଆଲ ବ୍ରଡକାଷ୍ଟରଙ୍କ ସହ ଆଲୋଚନା ପରେ ମ୍ୟାଚଗୁଡ଼ିକ କଲମ୍ବୋରେ ରଖିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ସ୍ବଳ୍ପ ସମୟ ମଧ୍ୟରେ ହାମ୍ବାନଟୋଟାକୁ ଷ୍ଟାଫ୍‌ ପଠାଇ ଖେଳର ସାଧା ପ୍ରସାରଣ ପାଇଁ ଆବଶ୍ୟକ ସରଞ୍ଜାମ ଖଞ୍ଜିବା କଷ୍ଟକର ବୋଲି ବ୍ରଷ୍ଟକାଷ୍ଟିଂ ସଂସ୍ଥା କହିଥିଲା।
ରାଜଧାନୀ ସହରରେ ବର୍ଷା ଲାଗି ରହୁଛି। କେନ୍ଦ୍ରାଞ୍ଚଳ ସହର କାଣ୍ଡିଠାରେ ମଧ୍ୟ ଅନୁରୂପ ଅବସ୍ଥା। ଫଳରେ ପ୍ରତିଯୋଗିତାରେ ଭାରତର ଉଭୟ ମ୍ୟାଚ ବର୍ଷା ଦ୍ୱାରା ପ୍ରଭାବିତ ହୋଇଥିଲା। କାଣ୍ଡିର ପାଲିକେଲ ଷ୍ଟାଡିୟମରେ ବହୁ ପ୍ରତିକ୍ଷିତ ଭାରତ ବନାମ ପାକିସ୍ତାନ ମ୍ୟାଚ ଅଧାରୁ ବାତିଲ କରିବାକୁ ହୋଇଥିଲା। ସୋମବାର ନେପାଳ ବିପକ୍ଷ ମ୍ୟାଚ ମଧ୍ୟ ବର୍ଷାରେ ପ୍ରଭାବିତ ହୋଇଥିଲା। ବର୍ତ୍ତମାନ ମ୍ୟାଚ ପାଇଁ ହାମ୍ବାନଟୋଟା ହେଉଛି ସବୁଠାରୁ ଉପଯୁକ୍ତ ସ୍ଥାନ। କିଛି ସପ୍ତାହ ଧରି ସେଠାରେ ଆଦୌ ବର୍ଷା ହୋଇନାହିଁ। ତେଣୁ କଲମ୍ବୋର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯିବାକୁଥିବା ସମସ୍ତ ୫ ସୁପର ଫୋର୍‌ ମ୍ୟାଚ ହାମ୍ବାନଟୋଟାରେ ଆୟୋଜନ କରିବା ଲାଗି ଏସଏଲ୍‌ସି ପ୍ରସ୍ତାବ ଦେଇଥିଲା। ଆର୍‌. ପ୍ରେମାଦାସା ଷ୍ଟାଡିୟମରେ ଶ୍ରୀଲଙ୍କା ପର୍ଯ୍ୟାୟ ସୁପର ଫୋର ସେେପ୍ଟେମ୍ବର ୧୦ରେ ଭାରତ-ପାକିସ୍ତାନ ମ୍ୟାଚ ସହ ଆରମ୍ଭ ହେବ।

Share