ଚନ୍ଦ୍ରୟାନ-୩ର ସଫ୍ଟ ଲ୍ୟାଣ୍ଡିଂ ନେଇ ଢେଙ୍କାନାଳର ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ସୁକତା

ଢେଙ୍କାନାଳ,୨୩ା୮(ରତନ ନାୟାର): ଚନ୍ଦ୍ରୟାନ-୩ ର ସଫଳ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଇସ୍ରୋର ବୈଜ୍ଞାନିକମାନେ ଉତ୍ସାହିତ ହୋଇରହିଛନ୍ତି। ଏହା ଭାରତ ପାଇଁ ଏକ ଐତିହାସିକ ଦିନ। ସେହିପରି ଢେଙ୍କାନାଳ ଜିଲା ବିଜ୍ଞାନ କେନ୍ଦ୍ର ପରିସରରେ ବୁଧବାର ଚନ୍ଦ୍ରଯାନ-୩ ସଫ୍ଟ ଲ୍ୟାଣ୍ଡିଂକୁ ନେଇ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ସୁକତା ପରିଲକ୍ଷିତ ହୋଇଛି। ସେମାନେ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ, ମହିଷାପାଟସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଓଡ଼ାପଡ଼ା ବ୍ଲକର ଜିଏମ୍‌ଆର୍‌ ଡିଏଭି ପବ୍ଲିକ ସ୍କୁଲ, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ଢେଙ୍କାନାଳ ଆଦିର ଛାତ୍ରୀଛାତ୍ର ଯୋଗଦେଇ ରକେଟ୍‌ ସମ୍ପର୍କରେ ଜ୍ଞାନ ଆହୋରଣ କରିବା ସହିତ ଚନ୍ଦ୍ରୟାନ-୩ର ସଫଳ ସଫ୍ଟ ଲ୍ୟାଣ୍ଡିଂକୁ ଉତ୍ସାହିତ ହୋଇ ଚାହିଁରହିଛନ୍ତି। ଚନ୍ଦ୍ରୟାନ -୩ ବୁଧବାର ସନ୍ଧ୍ୟା ୬ଟା ମିନିଟ୍‌ ୩୮ ସେକେଣ୍ଡରେ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଜିଲା ବିଜ୍ଞାନ ଅଧିକାରୀ ଏମ୍‌ଏମ୍‌ ରାଉତଙ୍କ ସୂଚନାରୁ ଜଣାପଡ଼ିଛି। ଏହି ଦୃଶ୍ୟ ମଧ୍ୟ ବିଜ୍ଞାନ କେନ୍ଦ୍ରରେ ପ୍ରଦର୍ଶିତ ହେବ। ଛାତ୍ରୀଛାତ୍ର ମଧ୍ୟ ଏହା ଦେଖିପାରିବେ ବୋଲି ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।