ହଷ୍ଟେଲରେ ଖାଇବାକୁ ନ ପାଇ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି କାନ୍ଦିଲେ ଛାତ୍ରୀ

ଠାକୁରମୁଣ୍ଡା,୨୩ା୧୦: ହଷ୍ଟେଲରେ ରହୁଥିବା ଛାତ୍ରୀମାନେ ଖାଇବାକୁ ନ ପାଇ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି କାନ୍ଦୁଥିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଛାତ୍ରୀଙ୍କ କାନ୍ଦ ଦେଖି ସାଧାରଣରେ ଏପରି ଅସନ୍ତୋଷ ପ୍ରକାଶ ପାଇଛି। ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲାା ଠାକୁରମୁଣ୍ଡାଠାରେ ଥିବା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ପରିଚାଳିତ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀ ହଷ୍ଟେଲରେ। ଏହି ହଷ୍ଟେଲରେ ଭୋକ ଉପାସରେ ଥିବା ୯୪ ଜଣ ଛାତ୍ରୀ ହଷ୍ଟେଲରୁ ବାହାରି ଗୋଟିଏ କିଲୋମିଟର ଦୂର ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ରବିବାର ବ୍ଲକ କାର୍ଯ୍ୟାଳୟ ବନ୍ଦ ଥିବାରୁ ଛାତ୍ରୀମାନେ ବ୍ଲକ ସମ୍ମୁଖରେ କାନ୍ଦୁ ଥିବା ଦେଖି ସ୍ଥାନୀୟ ଲୋକେ ରୁଣ୍ଡ ହୋଇଥିଲେ। ହଷ୍ଟେଲରୁ ଆସି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଥିବା ସମସ୍ତ ଛାତ୍ରୀ ୪ର୍ଥ ଶ୍ରେଣୀରୁ ଦଶମ ଶ୍ରେଣୀର ପର୍ଯ୍ୟନ୍ତ। ଭୋକ ରେ ଥିବା ପିଲାମାନଙ୍କୁ ସ୍ଥାନୀୟ ଲୋକେ ବିସ୍କୁଟ ଖାଇବାକୁ ଦେଇଥିଲେ। ଖବର ପାଇ ସ୍ଥାନୀୟ ଏବିଓ, ସିଆରସିସି, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପହଞ୍ଚି ବ୍ଲକ ପରିସରରେ ଥିବା ଛାତ୍ରୀମାନଙ୍କୁ ହୋଟେଲରୁ ଆଣି ଖାଦ୍ୟ ଦେଇଥିଲେ। ହଷ୍ଟେଲ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ସେମାନଙ୍କୁ ଖାଦ୍ୟ ନ ଦେବା ସହ ଅଧିକାଂଶ ଦିନ ଲୁଣ ଭାତ ଦେଉଥିବାର ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଶନିବାର ରାତିରୁ ଗ୍ୟାସ ସରିଯାଇଥିବାରୁ ରୋଷେଇ ହୋଇ ନ ଥିବା ନେଇ ହଷ୍ଟେଲ ରୋଷେୟା କହିଛନ୍ତି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଛାତ୍ରୀମାନେ ବ୍ଲକ ପରିସରରେ ବସି ରହିଛନ୍ତି।