ସାର୍ଟିଫିକେଟ ଲାଗି ସ୍କୁଲରେ ତାଲା ପକାଇଲେ ଛାତ୍ରୀ

ବିଞ୍ଝାରପୁର,୧୧।୧୧(ଡି.ଏନ.ଏ.): ବିଦ୍ୟାଳୟରେ ସାର୍ଟିଫିକେଟ ପ୍ରଦାନ ପାଇଁ ଲାଞ୍ଚ କାରବାର ହେଉଥିବା ଅଭିଯୋଗ ଆସିଛି। ତେବେ ଲାଞ୍ଚ ନେଇ ମଧ୍ୟ ସାର୍ଟିଫିକେଟ ନ ଦେବାରୁ ଛାତ୍ରୀ ବୁଧବାର ବିଦ୍ୟାଳୟ ଫାଟକରେ ତାଲା ପକାଇଛନ୍ତି। ଜିଲା ଶିକ୍ଷାଧିକାରୀ ରଞ୍ଜନ ଗିରି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଡକାଇ ତୁରନ୍ତ ସାର୍ଟିଫିକେଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବାପରେ ଆନ୍ଦୋଳନ ପତ୍ୟାହୃତ ହୋଇଛି।
ବିଞ୍ଝାରପୁର ବ୍ଲକ ବରୁଣେଇ ବାଳିକା ହାଇସ୍କୁଲର ୨୦୨୦ରେ ବୋର୍ଡ ପରୀକ୍ଷା ଦେଇଥିବା ଛାତ୍ରୀ ହାଇସ୍କୁଲରେ ସାର୍ଟିଫିକେଟ ପାଇନାହାନ୍ତି। ତେଣୁ ସେମାନେ ପ୍ରଧାନଶିକ୍ଷୟିତ୍ରୀ ସଂଯୁକ୍ତା ବେହେରାଙ୍କୁ ଭେଟିଥିଲେ। ସାର୍ଟିଫିକେଟ ବାବଦକୁ ପ୍ରଧାନଶିକ୍ଷୟିତ୍ରୀ କାଳେ ପିଲାପ୍ରତି ୨ ହଜାର ଟଙ୍କା ଲେଖାଏ ଅର୍ଥ ଦାବି କରିଥିଲେ। ଦାବି ଅନୁଯାୟୀ ଛାତ୍ରୀ ଟଙ୍କା ଦେଇଥିଲେ ମଧ୍ୟ ପ୍ରଧାନଶିକ୍ଷୟିତ୍ରୀ ସେମାନଙ୍କୁ ସାର୍ଟିଫିକେଟ ଦେଇ ନ ଥିଲେ। ଯାହାକୁ ନେଇ ଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ ପୂଜାରାଣୀ ଯେନା, ମାମୁନି ବିଶ୍ୱାଳ, ପାୟଲ ଯେନା ଓ ଶୁଭଶ୍ରୀ ଦାଶଙ୍କ ସମେତ ବହୁ ଛାତ୍ରୀ ଆସି ବିଦ୍ୟାଳୟ ଫାଟକରେ ତାଲା ପକାଇଥିଲେ। ଅଭିଭାବକ ଜିଲାପାଳଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଘଟଣାର ସମାଧାନ ପାଇଁ ଜିଲାପାଳ ଜିଲା ଶିକ୍ଷାଧିକାରୀ ଗିରିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲା ଶିକ୍ଷାଧିକାରୀ ପ୍ରଧାନଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ। ଗୁରୁବାର ଛାତ୍ରୀଙ୍କୁ ସାର୍ଟିଫିକେଟ ଦେବେ ବୋଲି ପ୍ରଧାନଶିକ୍ଷୟିତ୍ରୀ ପ୍ରତିଶ୍ରୁତି ଦେବାରୁ ଛାତ୍ରୀ ଆନ୍ଦୋଳନରୁ ଓହରିଥିଲେ। ଏନେଇ ପ୍ରଧାନଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ସେ ଟଙ୍କା ନେବା କଥାକୁ ଖଣ୍ଡନ କରିଛନ୍ତି। ତାଙ୍କ ଦେହ ଅସୁସ୍ଥ ଥିବାରୁ ସାର୍ଟିଫିକେଟ ଆଣିନାହାନ୍ତି। ଗୁରୁବାର ସାର୍ଟିଫିକେଟ ଆଣି ଛାତ୍ରୀଙ୍କୁ ପ୍ରଦାନ କରିବେ ବୋଲି କହିଛନ୍ତି। ସରପଞ୍ଚ ତରୁଣ ସାହୁ କହିଛନ୍ତି, କେତେଜଣ ପିଲାଙ୍କଠାରୁ ପ୍ରଧାନଶିକ୍ଷୟିତ୍ରୀ ୫୦୦ ଟଙ୍କା ଲେଖାଏ ଆଦାୟ କରିଥିଲେ। ତେବେ ଗୁରୁବାର ଷ୍ଟାଇପେଣ୍ଡ ଆପ୍ଲାଏର ଶେଷ ତାରିଖ ଥିବାରୁ ଛାତ୍ରୀ ରାଗରେ ୨ ହଜାର ଲେଖାଏ ଦେଇଥିବା ଅଭିଯୋଗ କରିଛନ୍ତି।