ଅନ୍ଧାରରେ ରହିଛି ଗୋପ ବ୍ଲକର ଷ୍ଟ୍ରଙ୍ଗ୍‌ରୁମ୍‌

ଗୋପ, ୨୦।୨(ଡି.ଏନ୍‌.ଏ.): ଗୋପ ବ୍ଲକର ଷ୍ଟ୍ରଙ୍ଗରୁମ ଅନ୍ଧାରରେ ରହିଛି। ହେଲେ କେତେକ ପୋଲିସ କେବଳ ମୋବାଇଲ ଲାଇଟ୍‌ ପକାଇ ଷ୍ଟ୍ରଙ୍ଗରୁମକୁ ଜଗି ରହିଛି। ନିର୍ବାଚନ ଚାଲିଥିବାବେଳେ ଷ୍ଟ୍ରଙ୍ଗରୁମ ଏଭଳି ଅନ୍ଧାରରେ ରହିବାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରକାଶ ଯେ, ଗୋପ ବ୍ଲକର ୩୧ଟି ପଞ୍ଚାୟତରେ ଶାନ୍ତିଶୃଙ୍ଖଳାରେ ମତଦାନ ଶେଷ ହୋଇଥିଲା। ହେଲେ ସେଦିନ ୪୫୯ଟି ବୁଥ୍‌ରୁ ଭୋଟ ବାକ୍ସକୁ ନିର୍ବାଚନ ଅଧିକାରୀମାନେ ଅସୁରକ୍ଷିତ ଭାବରେ ରାସ୍ତାରେ ଚାଲି ଚାଲି ଭୋଟ ବାକ୍ସ ନେଇଯାଇଥିବା ଦେଖିବାକୁ ମିଳିଥିଲା। ବ୍ଲକ ପକ୍ଷରୁ ଗୋପ ନିଗମାନନ୍ଦ ନୋଡାଲ ହାଇସ୍କୁଲ ପରିସରରେ ସମସ୍ତ ପଞ୍ଚାୟତର ଭୋଟ ବାକ୍ସକୁ ଷ୍ଟ୍ରଙ୍ଗ୍‌ରୁମ୍‌ର ସୁରକ୍ଷା ବଳୟ ଭିତରେ ରଖାଯାଇଥିଲା। ଅନ୍ୟପଟେ ଶନିବାର ସାରେ ଏହି ବ୍ଲକର କେତେଜଣ ପ୍ରାର୍ଥୀ ହାଇସ୍କୁଲ ସମ୍ମୁଖରେ ବସିଥିବା ଦେଖିବାକୁ ମିଳିଥିଲା। ତେଣୁ କୌଣସି ଅଘଟଣ ହେବା ପୂର୍ବରୁ ତୁରନ୍ତ ଷ୍ଟ୍ରଙ୍ଗରୁମରେ ଉଜ୍ଜ୍ୱଳ ଲାଇଟ୍‌ ଲଗାଇବାକୁ ପଞ୍ଚାୟତବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ନେଇ ବିଡିଓ ଦୀପ୍ତିରାଣୀ ଦାସ କହିଛନ୍ତି, ବ୍ଲକ ପକ୍ଷରୁ ସମସ୍ତ ଭୋଟ ବାକ୍ସକୁ ପୋଲିସର ଜିମାରେ ରହିଛି, ତଥାପି ତୁରନ୍ତ ଉଜ୍ଜ୍ୱଳ ଲାଇଟ୍‌ ଲଗାଯିବ।