ଏନ୍‌ଟିପିସିରେ ଧର୍ମଘଟ ସଫଳ

କଣିହାଁ ,୩୦।୩(ଡି.ଏନ.ଏ.) – ୧୨ ଦଫା ଦାବିରେ ୧୦ଟି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଓ କର୍ମଚାରୀ ଫେଡେରେଶନ ପକ୍ଷରୁ ଦିଆଯାଇଥିବା ଦୁଇଦିନିଆ ଧର୍ମଘଟ ଡାକରାର ପ୍ରଭାବ କଣିହାଁସ୍ଥିତ ଏନ୍‌ଟିପିସିରେ ଦେଖିବାକୁ ମିଳିଛି। ଏଆଇୟୁଟିୟୁସି ସହବନ୍ଧିତ ତାଳଚେର ସୁପର ଥର୍ମାଲ ଓ୍ବାର୍କର୍ସ ୟୁନିୟନ, ଏଆଇପିଏଫ୍‌, ୟୁନାଇଟେଡ୍‌ ଏମ୍ପ୍ଲୋଇଜ୍‌ ୟୁନିୟନ, ଏନ୍‌ଟିପିସି ଏମ୍ପ୍ଲୋଇଜ୍‌ ୟୁନିୟନ ପକ୍ଷରୁ ମଙ୍ଗଳବାର ସକାଳ ୬ଟାରୁ ଏନ୍‌ଟିପିସି ବାଇପାସ୍‌ ଛକ ମୁଖ୍ୟ ଫାଟକ ସମ୍ମୁଖରେ ଧର୍ମଘଟ କରାଯାଇଥିଲା। ଫଳରେ କାରଖାନା ଭିତରକୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଧର୍ମଘଟସ୍ଥଳକୁ କାରଖାନା କର୍ତ୍ତୃପକ୍ଷ ଆସି ଏନ୍‌ଟିପିସି ସମ୍ପର୍କିତ ଦାବି ଉପରେ ଆଲୋଚନା କରି ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ତାଳଚେର ସୁପର ଥର୍ମାଲ ଓ୍ବାର୍କର୍ସ ୟୁନିୟନ ସାଧାରଣ ସମ୍ପାଦକ ପ୍ରହଲ୍ଲାଦ ଚନ୍ଦ୍ର ସାହୁ, ଯୁଗ୍ମ ସମ୍ପାଦକ ଟୁନା ନାଏକ, ଅଭୟ ନାଏକ, ନୀଳାମ୍ବର ତିରିଆ, ଅନିଲ ନାଏକ, ପିଜିସିଆଇଏଲ୍‌ର ହେମନ୍ତ କ୍ଷେତ୍ରୀ, ୟୁନାଇଟେଡ୍‌ ଏମ୍ପ୍ଲୋଇଜ୍‌ ୟୁନିୟନର ଭିକାରୀ ପ୍ରଧାନ, ସ୍କିମ୍‌ ଓ୍ବାର୍କର୍ସ ଫେଡେରେଶନ କ୍ଲବ ଆବାହିକା ମାନସୀ ସ୍ବାଇଁ, ଅଥାନି ନାଏକ, ପ୍ରତାପ ପ୍ରଧାନ, ସତ୍ୟାନନ୍ଦ ସାହୁ ଓ ଜଗବନ୍ଧୁ ପ୍ରଧାନ ଧର୍ମଘଟରେ ସାମିଲ ହୋଇଥିଲେ।