Categories: ବାଣିଜ୍ୟ

ଅର୍ଥ ବ୍ୟବସ୍ଥାର ସ୍ଥିତାବସ୍ଥା ଫେରୁଛି

ନୂଆଦିଲ୍ଲୀ,୧୭।୯: କରୋନା ମହାମାରୀ ଯୋଗୁ ଘରୋଇ ବଜାର କ୍ଷତିଗ୍ରସ୍ତ ହୋଇ ରହିଛି। ଏଭଳି ସ୍ଥିତିରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ବୁଧବାର ଦେଶର ଶିଳ୍ପଜଗତକୁ ଆଶ୍ୱାସନା ଦେଇଛନ୍ତି। ସେ କହିଛନ୍ତି ଯେ, ଅର୍ଥ ବ୍ୟବସ୍ଥାରେ ସ୍ଥିତାବସ୍ଥା ଫେରୁଛି। ଅଭିବୃଦ୍ଧି ଧୀରେ ଧୀରେ ଫେରିବ। ଏହି ଧାରା ନିରନ୍ତର ହେବ। ଏଭଳି ବିଭିନ୍ନ ସ୍ଥିତିକୁ ନଜରରେ ରଖି କେନ୍ଦ୍ରୀୟ ବ୍ୟାଙ୍କ ବିଭିନ୍ନ ଜରୁରୀ ପଦକ୍ଷେପ ହାତକୁ ନେବାକୁ ପ୍ରସ୍ତୁତ ରହିଛି। ବଜାରରେ ନଗଦ ସୁନିଶ୍ଚିତ କରିବା ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଦିଗରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ଶକ୍ତିକାନ୍ତ ଭରସା ଦେଇଛନ୍ତି।
ଶିଳ୍ପ ସଂଘ ଫିକିର ଏକ ଭର୍ଚୁଆଲ କନ୍‌ଫରେନ୍ସରେ ଶକ୍ତିକାନ୍ତ କହିଛନ୍ତି, କୋଭିଡ୍‌ ଯୋଗୁ ଅର୍ଥ ବ୍ୟବସ୍ଥାକୁ ଏକ ଶକ୍ତ ଧକ୍କା ଲାଗିଛି। ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଭାରତୀୟ ଅର୍ଥ ବ୍ୟବସ୍ଥା -୨୩.୯% ହ୍ରାସ ହୋଇଛି। ଏହା ସରକାରୀ ଡାଟାରୁ ଆକଳନ କରିହେବ। ଚଳିତ ଆର୍ଥତ୍କ ବର୍ଷର ଦ୍ୱିତୀୟ ତ୍ରୈମାସରେ କିଛି ମାତ୍ରାରେ ସ୍ଥିତାବସ୍ଥା ଫେରୁଥିବା ସେ ମତ ପ୍ରକାଶ କରିଛନ୍ତି। କୃଷିକ୍ଷେତ୍ର କାର୍ଯ୍ୟକଳାପ, ପରଚେଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ ଏବଂ ନିଯୁକ୍ତି ଭଳି କ୍ଷେତ୍ରରେ ସ୍ଥିତାବସ୍ଥା ଫେରୁଛି। ସେହିଭଳି କ୍ଷତିଗ୍ରସ୍ତ ହୋଇଥିବା ଅନ୍ୟ କ୍ଷେତ୍ରଗୁଡିକରେ ଉନ୍ନତି ଧାରା ଫେରିବା ନେଇ ସେ ଆଶାବାଦୀ ରହିଥିବା କହିଛନ୍ତି।
ଅର୍ଥ ବ୍ୟବସ୍ଥା ଏବେ ସମ୍ପୂର୍ଣ୍ଣ ଭାବେ ଟ୍ରାକ୍‌କୁ ଫେରିପାରିନାହିଁ। ସଂକ୍ରମଣ ବଢୁଥିବା ବେଳେ ଏହାକୁ ନଜରରେ ରଖି ଅର୍ଥ ବ୍ୟବସ୍ଥାକୁ ଖୋଲିବା ଲାଗି ମଧ୍ୟ ପ୍ରକ୍ରିୟା ଜାରି ରହିଛି। ସ୍ଥିତି ସମ୍ଭାଳିବା ଲାଗି ରିଜର୍ଭ ବ୍ୟାଙ୍କ ନିଜର ପାରୁପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଛି। ଘରୋଇ କ୍ଷେତ୍ର ମଧ୍ୟ ଅର୍ଥ ବ୍ୟବସ୍ଥାର ଉନ୍ନତି ଲାଗି ନିଜର ଯୋଗଦାନ ରଖିବାକୁ ଗଭର୍ନର ଆହ୍ବାନ ଜଣାଇଛନ୍ତି। ମହାମାରୀ ଯୋଗୁ ଉପୁଜିଥିବା ନୂଆ ଚ୍ୟାଲେଞ୍ଜକୁ ସୁଯୋଗ ଭାବେ ନେବା ସହ ପୁଞ୍ଜି ନିବେଶ କରିବାକୁ ସେ ଶିଳ୍ପ ଜଗତକୁ ଆହ୍ବାନ ଦେଇଛନ୍ତି।

Share