ବିହାର ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ୱର, ୨୩।୯(ବ୍ୟୁରୋ): ରାଜ୍ୟରେ ନକଲି ଔଷଧ କାରବାର ନେଇ ସ୍ବାସ୍ଥ୍ୟ ବିଭାଗ ତଦନ୍ତ ଆରମ୍ଭ କରିଛି। ବିହାରରୁ ନକଲି ଔଷଧ ଆସିଥିବାରୁ ଓଡ଼ିଶା ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ବିହାର ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରତ୍ୟୟ ଅମ୍ରିତଙ୍କୁ ଚିଠି ଲେଖିଛନ୍ତି। ଓଡ଼ିଶାରେ ଧରାପଡ଼ିଥିବା ନକଲି ଔଷଧ ଟେଲ୍‌ମା-୪୦, ଟେଲ୍‌ମା-ଏମ୍‌ ବିହାରର ଗୟାରୁ ଗ୍ଲେନ୍‌ମାର୍କ କମ୍ପାନୀର ଫ୍ୟାକ୍ଟ୍ରିରୁ ଆସୁଛି। ବିହାର ଡ୍ରଗ କଣ୍ଟ୍ରୋଲରଙ୍କୁ ଆମେ ଏ ସମ୍ପର୍କରେ ଅବଗତ କରାଇଥିଲେ ମଧ୍ୟ ଏ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଉତ୍ତର ଆସିଲା ନାହିଁ। ଏବେ ଏହାର ତଦନ୍ତ କରିବା ପାଇଁ ରାଜ୍ୟ ସରକାର ଏକ ଟିମ୍‌ ଗଠନ କରିଛନ୍ତି। ଏଥିରେ ଆସିଷ୍ଟାଣ୍ଟ ଡ୍ରଗ କଣ୍ଟ୍ରୋଲରଙ୍କ ସମେତ ଦୁଇଜଣ ପୋଲିସ ଅଫିସର ଅଛନ୍ତି। ଏହି ଟିମ୍‌ ନକଲି ଔଷଧ କାରବାରର ତଦନ୍ତ କରିବା ପାଇଁ ବିହାର ଯାଇଛି। ତେଣୁ ଟିମ୍‌ ସଦସ୍ୟଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ବିହାରର ସ୍ବାସ୍ଥ୍ୟ ସଚିବଙ୍କୁ ଓଡ଼ିଶା ସ୍ବାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ଗତ କିଛିଦିନ ତଳେ ଭୁବନେଶ୍ୱର, କଟକ, ରାଉରକେଲା ଭଳି ବିଭିନ୍ନ ସ୍ଥାନରେ ନକଲି ଔଷଧ ବିକ୍ରି ନେଇ ଅଭିଯୋଗ ହୋଇଥିଲା। ଏହାପରେ ସ୍ବାସ୍ଥ୍ୟ ବିଭାଗ ବିଭିନ୍ନ ସ୍ଥାନରେ ଅଚାନକ ଚଢ଼ାଉ କରିଥିଲା। ତଦନ୍ତ ସମୟରେ ଅନେକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଥିଲା। ଏପରିକି ନାମୀ କମ୍ପାନୀର ଔଷଧକୁ ନକଲି କରି ବିକ୍ରି କରାଯାଉଥିଲା। ଯାହାକୁ ଆଧାର କରି କଟକର ଦୁଇଜଣ ହୋଲସେଲରଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ଅଧିକ ପଚରାଉଚରା ମଧ୍ୟ କରାଯାଉଛି। ଏହି ଘଟଣାରେ ଆଉ କିଏ ସାମିଲ ଅଛନ୍ତି, ସେ ଦିଗରେ ମଧ୍ୟ ତଦନ୍ତ ଚାଲିଛି। ଅନ୍ୟପଟେ ଜବତ ହୋଇଥିବା ଔଷଧର ପରୀକ୍ଷା ପରେ ତାହା ନକଲି ବୋଲି ମଧ୍ୟ ପ୍ରମାଣିତ ହେବାପର ଏହାର ବ୍ୟବହାର ଏବଂ ବିକ୍ରିକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଷେଧ କରାଯାଇଛି।