ବରଗଡ଼,୧୪।୫(ପ୍ରେମାନନ୍ଦ ଖମାରୀ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରକାଶିତ ସପ୍ତମ ଶ୍ରେଣୀର ଓଡ଼ିଆ ପାଠ୍ୟପୁସ୍ତକ ସାହିତ୍ୟ ସୁମନରେ ଶହିଦ ମାଧୋ ସିଂଙ୍କ ଜୀବନୀ ଆଧାରିତ ପାଠରେ ରହିଥିବା ମୁଦ୍ରଣଗତତ ତ୍ରୁଟି ଗୁଡ଼ିକର ସଂଶୋଧନ ପାଇଁ ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ଗୁରୁବାର ରାଜ୍ୟ ସରକାର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ମୁଦ୍ରଣଗତ ତ୍ରୁଟିକୁ ସଂଶୋଧନ କରି ସଠିକ୍ ତଥ୍ୟ ପିଲାଙ୍କୁ ଯୋଗାଇବା ପାଇଁ ରାଜ୍ୟର ସମସ୍ତ ଶିକ୍ଷକ, ଜିଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଓ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ରହିଛି । ଏହି ବିଷୟକୁ ଗୁରୁତର ସହିତ ନେଇ ତତକ୍ଷଣାତ୍ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଏସସିଇଆରଟି ଅତିରିକ୍ତ ନିର୍ଦ୍ଦେଶକଙ୍କ ଜରିଆରେ ଉଭୟ ବରଗଡ଼ ଏବଂ ସମ୍ବଲପୁର ଜିଲାପାଳଙ୍କ ସମେତ ଉତ୍କଳ ବିଶ୍ୱ ବିଦ୍ୟାଳୟର ଇତିହାସ ବିଭାଗୀୟ ମୁଖ୍ୟ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୂତନଭାବେ ପ୍ରକାଶିତ ସପ୍ତମ ଶ୍ରେଣୀର ପୁସ୍ତକ ସାହିତ୍ୟ ସୁମନର ଷଷ୍ଠ ଅଧ୍ୟାୟର ମହାନ ବିପ୍ଲବୀ ମାଧୋ ସିଂ ପାଠରେ ଅନେକ ତ୍ରୁଟି ରହିଛି। ସେହି ପାଠରେ ସଠିକ୍ ତଥ୍ୟ ବଦଳରେ ମାଧୋ ସିଂଙ୍କ ଜନ୍ମସ୍ଥାନକୁ ବରଗଡ଼ ଜିଲା ଅନ୍ତର୍ଗତ ପଦ୍ମପୁର ଓ ପାଇକମାଳ ନିକଟରେ ଅବସ୍ଥିତ, ଘେଁସଠାରେ ଥିବା ବୁଢ଼ା ରାଜଗୁଡି, ସମ୍ବଲପୁର ବରହମ ମନ୍ଦିର, ମାଟିଆ ବନ୍ଧ ଘାଟି, ୧୮୫୮ ମସିହା ଡିସେମ୍ବର ମାସ ୨୨ ତାରିଖରେ ସମ୍ବଲପୁର କାରାଗାରରେ ଫାଶୀ ଦିଆଯାଇଥିଲା ଭଳି ଅନେକ ଭୁଲ ତଥ୍ୟ ରହିଛି। ଧରିତ୍ରୀ ସମେତ ବିଭିନ୍ନ ଗଣମାଧ୍ୟମରେ ଏହା ଲୋକଲୋଚନକୁ ଆସିବା ପରେ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଶହିଦ କୁଞ୍ଜଳ ସିଂ କ୍ଳବ, ଘେଁସ ଏ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବାବେଳେ ଜିଲା ବିଜେଡି ମଧ୍ୟ ତ୍ୱରିତ ସଂଶୋଧନ ପାଇଁ ଦାବି କରିଥିଲା। ସେହିପରି ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ ମଧ୍ୟ ସେ ନେଇ ଶିକ୍ଷାମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।