ସାଇବର ଠକଙ୍କ ଶିକାର ହେଲେ ସ୍ବତନ୍ତ୍ର ସଚିବ

ଭୁବନେଶ୍ୱର, ୭ା୧୦ (ବ୍ୟୁରୋ):ରାଜ୍ୟରେ ଏବେ ସାଇବର ଠକଙ୍କ କାରନାମା ବଢିବାରେ ଲାଗିଛି। ସାଧାରଣ ଲୋକଙ୍କ ସମେତ ଏମାନେ ଉଚ୍ଚପଦସ୍ଥ ସରକାରୀ ଅଧିକାରୀଙ୍କୁ ଟାର୍ଗେଟ କଲେଣି। ଦୁଇଦିନ ତଳେ ସାଇବର ଠକଙ୍କ ଶିକାର ହୋଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ସଚିବ ଅଜିତ କୁମାର ମହାନ୍ତି। ସେ ତାଙ୍କର ଡାଇନିଂ ଟେବୁଲ ବିକ୍ରି ପାଇଁ ବିଜ୍ଞାପନ ଦେଇଥିଲେ। ଏହାପରେ ସାଇବର ଠକ ତାଙ୍କ ନିକଟକୁ ଏକ କ୍ୟୁଆର୍‌ କୋଡ୍‌ ପଠାଇଥିଲେ। ଏହାକୁ ସ୍କାନ୍‌ କରିବା ପରେ ଅଜିତଙ୍କ ପୁଅ ଅମ୍ବିକା ଆଶୀର୍ବାଦ ମହାନ୍ତିଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା କଟିଯାଇଛି। ଏ ନେଇ ଅମ୍ବିକା ସୋମବାର ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ଅଭିଯୋଗ ଅନୁଯାୟୀ, ସ୍ବତନ୍ତ୍ର ସଚିବ ମହାନ୍ତି ମୈତ୍ରୀବିହାର ଅଞ୍ଚଳରେ ପରିବାର ସହ ରୁହନ୍ତି। ଗତ ସପ୍ତାହରେ ସେ ଘରର ପୁରୁଣା ଡାଇନିଂ ଟେବୁଲ ୧୨ ହଜାର ଟଙ୍କାରେ ବିକ୍ରି କରିବା ପାଇଁ ଓଏଲ୍‌ଏକ୍ସରେ ଏକ ବିଜ୍ଞାପନ ଦେଇଥିଲେ। ସାଇବର ଠକ ଏହି ବିଜ୍ଞାପନ ଦେଖିବା ପରେ ଅଜିତଙ୍କୁ ଫୋନ୍‌ କରି ଡାଇନିଂ ଟେବୁଲ କିଣିବାକୁ ରାଜିଥିବା କହିଥିଲେ। ଏପରି କି ଅନ୍‌ଲାଇନ୍‌ରେ ଟଙ୍କା ପଠାଇବେ ବୋଲି କହି ଏକ କ୍ୟୁଆର୍‌ କୋଡ୍‌ ଦେଇଥିଲେ। ତାହାକୁ ସ୍କାନ୍‌ କଲେ ଅଜିତଙ୍କ ଆକାଉଣ୍ଟରୁ ପ୍ରଥମେ ୧୨ହଜାର ଟଙ୍କା କଟିଯିବ, କିନ୍ତୁ ପରେ ଆଉ ଗୋଟେ କ୍ୟୁଆର୍‌ କୋଡ୍‌ ସ୍କାନ୍‌ କଲେ ୨୪ ହଜାର ଟଙ୍କା ତାଙ୍କ ଆକାଉଣ୍ଟକୁ ଚାଲିଯିବ ବୋଲି ସାଇବର ଠକ କହିଥିଲେ। ଏହାପରେ ଅଜିତ ତାଙ୍କ ପୁଅ ଅମ୍ବିକାଙ୍କ ଆକାଉଣ୍ଟ ନମ୍ବର ଦେଇଥିଲେ। ସେମାନଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ଠକ ପ୍ରଥମେ ୨ ଟଙ୍କାର କ୍ୟୁଆର୍‌ କୋଡ୍‌ ପଠାଇ ଏହାକୁ ସ୍କାନ୍‌ କଲେ ୪ ଟଙ୍କା ଆସିଯିବ ବୋଲି କହିଥିଲେ। ଅମ୍ବିକାଙ୍କ ନିକଟକୁ ଏହି କୋଡ୍‌ ଆସିବା ପରେ ସେ ତାକୁ ସ୍କାନ କରିଥିଲେ। ତାଙ୍କ ଆକାଉଣ୍ଟକୁ ୪ଟଙ୍କା ଆସିବାରୁ ତାଙ୍କର ବିଶ୍ୱାସ ହୋଇଥିଲା। ତେଣୁ ଠକ ଆଉ ଏକ କ୍ୟୁଆର କୋଡ୍‌ ପଠାଇଥିଲେ। ଏହାକୁ ଅମ୍ବିକା ସ୍କାନ କରିବା ପରେ ତାଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା କଟିଯାଇଥିଲା। ଅମ୍ବିକା ଉକ୍ତ ଠକଙ୍କୁ ଫୋନ୍‌ କରିଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ପୋଲିସ, ଡାକ୍ତର ମଧ୍ୟ ସାଇବର ଠକଙ୍କ ଜାଲରେ ଫସି ଲକ୍ଷାଧିକ ଟଙ୍କା ହରେଇଛନ୍ତି। ହେଲେ ଓଡ଼ିଶା ପୋଲିସ କିମ୍ବା କ୍ରାଇମ୍‌ବ୍ରାଞ୍ଚ ଏ ଦିଗରେ ଦୃଢ ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହେଉଛି।