ଦୃଶ୍ୟମାନ ଈଶ୍ୱରଙ୍କ ଦୁଃଖ

ଈଶ୍ୱର ତ ଚିରକାଳ ଅଦୃଶ୍ୟ। ପୁଣି ଏହି ଅପହଞ୍ଚ ଇଲାକାର ଅଧୀଶ୍ୱର ତ ସକଳ ପ୍ରାଣୀଙ୍କ ଦୁଃଖମୋଚନର ଏକମାତ୍ର ସମର୍ଥ ଆଶ୍ରୟ। ସୁତରାଂ ‘ଦୃଶ୍ୟମାନ ଈଶ୍ୱରଙ୍କ ଦୁଃଖ’ ଶୀର୍ଷକ ଏ ସ୍ତମ୍ଭର ପାଠିକାପାଠକଙ୍କ ଚେତନାରେ ଏକ ନିଶ୍ଚିତ ବିରୋଧାଭାସ ଭଳି ପ୍ରତୀୟମାନ ହେବା ସ୍ବାଭାବିକ। ତେବେ କଥା ହେଉଛି, ଆଜକୁ ଠିକ ଦୁଇ ସପ୍ତାହ ତଳେ ଏହି ସ୍ତମ୍ଭରେ ପ୍ରକାଶ ପାଇଥିଲା ଏକ ଆଲେଖ୍ୟ- ‘ଏମାନେ ଅଛନ୍ତି ବୋଲି’। ନିଜେ ବଞ୍ଚତ୍ଲେ ବାପାର ନଁା ବୋଲି ବିଶ୍ୱାସ କରୁଥିବା ତଥା ସ୍ବାର୍ଥର ସଡ଼କରେ ବାଟ ଚାଲି ଚାଲି ତଥାପି ଥକି ପଡ଼ୁ ନ ଥିବା ଲୋକଙ୍କ ଦୁନିଆରେ ସ୍ବଳ୍ପ କେଇଜଣ ପରାର୍ଥପ୍ରାଣ ଆତଯାତ ହେଉଥିବାରୁ ସଂସାର ବେଶ୍‌ ହୃଦ୍ୟ ଓ ରମଣୀୟ ମନେହେଉଛି ବୋଲି କେତୋଟି ଦୃଷ୍ଟାନ୍ତ ମାଧ୍ୟମରେ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଉପସଂହାରରେ ଏ କଥା କୁହାଯାଇଥିଲା ଯେ, ଏଭଳି ଲୋକମାନଙ୍କୁ ଦେଖିଲେ ନିଜ ଅଲକ୍ଷ୍ୟରେ ହାତଯୋଡ଼ିକ ଯୋଡ଼ି ହୋଇଯାଆନ୍ତି। ଈଶ୍ୱର ବିସ୍ମୃତିରେ ହଜିଯାଆନ୍ତି କେଇ ମୁହୂର୍ତ୍ତ ପାଇଁ, କାରଣ ସେଇ ଅଦୃଶ୍ୟ ଈଶ୍ୱର ଏଇ ଦୃଶ୍ୟମାନ ଈଶ୍ୱରଙ୍କଠାରୁ ଅଧିକ ଦିବ୍ୟ ଓ ମଙ୍ଗଳମୟ ହୋଇଥିବେ ବୋଲି ମନରେ ବିଶ୍ୱାସ ହୁଏନା। ଉଚ୍ଚାଙ୍ଗ ମାନବୀୟ ସଂସ୍କୃତିର ଉଚ୍ଚତା ଆଗରେ ବାମନ ଜଣାପଡ଼େ ଯେତେ ଯାହା ଐର୍ଶ୍ୱରୀୟ ପରିକଳ୍ପନା।
ଲେଖାଟିର ପାଠକୀୟ ପ୍ରତିବେଦନ ବେଶ୍‌ ପ୍ରଶସ୍ତ ଥିଲା ବେଳେ ନୟାଗଡ଼ ଗଣିଆର ମିଶ୍ରବାବୁଙ୍କ ପ୍ରତିକ୍ରିୟା ଥିଲା ଅତ୍ୟନ୍ତ ମର୍ମଭେଦୀ ଓ ଚିନ୍ତା ଉଦ୍ରେକକାରୀ। ସେ କହିଥିଲେ, ”ପରସେବାରେ ସମର୍ପିତ ସାଧାରଣ ମଣିଷଟିକୁ ଆପଣ ଈଶ୍ୱର ଆସନରେ ବସାଇ ଦେଇଛନ୍ତି ସିନା, ହେଲେ ସେଇ ଈଶ୍ୱରଙ୍କ ଯେ କେତେ ଦୁଃଖ, ତାହା ଜାଣିଛନ୍ତି କି?“ ଜନସେବାକୁ ଜୀବନର ବ୍ରତ କରି ବାଉନ ବର୍ଷ ବୟସରେ ଉପନୀତ ହୋଇ ତଥାପି ଅବିବାହିତ ରହିଥିବା ମିଶ୍ରବାବୁ ଦୀର୍ଘଦିନର ଅବରୁଦ୍ଧ ଅସନ୍ତୋଷ ଅତ୍ୟନ୍ତ ଆବେଗସିକ୍ତ ଭାବେ ପ୍ରକାଶ କରୁଥିଲେ ଟେଲିଫୋନ୍‌ରେ। ଜଣେ ବହୁ ଅନୁସୃତ ବିଶିଷ୍ଟ ବାବାଙ୍କ ଦ୍ୱାରା ସ୍ଥାପିତ ଏବଂ ଏକ ପ୍ରସିଦ୍ଧ ସେବା ଅନୁଷ୍ଠାନ ଦ୍ୱାରା ପରିଚାଳିତ ଦାକ୍ଷିଣାତ୍ୟର ସେଇ ହୃଦ୍‌ରୋଗ ଚିକିତ୍ସା କେନ୍ଦ୍ରକୁ ଆଠଜଣ ହୃଦ୍‌ରୋଗୀଙ୍କୁ ନେଇ ଯାଇଥିଲେ ସେ। ନିଜର ପରିବାର ନ ଥିଲେ ବି ସମଗ୍ର ଜଗତକୁ ପରିବାର ମନେକରୁଥିବା ମିଶ୍ରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବହୁ ହୃଦ୍‌ରୋଗୀଙ୍କୁ ନେଇ ଅତୀତରେ ସେଇ ପ୍ରସିଦ୍ଧ ହସ୍ପିଟାଲରେ ବିନା ଦେୟରେ ଅପରେଶନ କରାଇ ସେମାନଙ୍କ ନଜରରେ ପାଲଟି ଯାଇଛନ୍ତି ଜଣେ ଦୃଶ୍ୟମାନ ଈଶ୍ୱର। ଅଥଚ ସେଦିନ ସେଇ ହସ୍ପିଟାଲର ମ୍ୟାନେଜର ତାଙ୍କର ଏପରି ପରାର୍ଥପ୍ରାଣତାକୁ କେଉଁ ବକ୍ରଦୃଷ୍ଟିରେ ଦେଖିଲେ କେଜାଣି; ତାଙ୍କୁ ଯେ କେବଳ ‘ଟାଉଟର’, ‘ଅର୍ଥଲୋଭୀ ଦଲାଲ’ ଆଦି କୁଭାଷା ପ୍ରୟୋଗ କରି ଆହତ କଲେ ତାହା ନୁହେଁ, ତାଙ୍କୁ ପୋଲିସ ହାତରେ ଟେକିଦେଲେ। ଅସ୍ବଚ୍ଛଳ ହୃଦ୍‌ରୋଗୀମାନଙ୍କୁ ମାଗଣା ଚିକିତ୍ସା ଦେଇ ରୋଗମୁକ୍ତ କରିବାକୁ ଯାଇଥିବା ମିଶ୍ରବାବୁଙ୍କ ମହତ୍‌ ଲକ୍ଷ୍ୟର ଯାତ୍ରା ସେଦିନ ଶେଷ ହୋଇଥିଲା ପୋଲିସ ହାଜତରେ। ଦଶଘଣ୍ଟାରୁ ଊର୍ଦ୍ଧ୍ୱ କାଳ ହସ୍ପିଟାଲ ସଂଲଗ୍ନ ଫାଣ୍ଡି ହାଜତରେ କଟାଇଲା ପରେ ଶେଷରେ ଜଣେ ହୃଦୟବାନ୍‌ ହୃଦ୍‌ରୋଗ ବିଶାରଦ ଓଡ଼ିଆ ଡାକ୍ତରଙ୍କ ହସ୍ତକ୍ଷେପ ପରେ ସେ ସେଠାରୁ ଉଦ୍ଧାର ପାଇଥିଲେ। ମାତ୍ର ଗରିବ ରୋଗୀଙ୍କୁ ରୋଗମୁକ୍ତ କରିବାର ପ୍ରାଣମୟ ପ୍ରଚେଷ୍ଟା ମଧ୍ୟରେ ମିଶ୍ରବାବୁ ଭୋଗିଥିବା ଦାରୁଣ ଦୁର୍ଭାଗ୍ୟ ଥିଲା ମାନବୀୟ ସଂସ୍କୃତି ଉପରେ ଏକ ଅକଥନୀୟ ଅତ୍ୟାଚାର, ଏକ ପ୍ରଚଣ୍ଡ ପ୍ରହାର। ଧନ୍ୟ କହିବ ଗଣିଆ ଅଞ୍ଚଳର ସେହି ମିଶ୍ରବାବୁଙ୍କୁ, ଯିଏ ତାଙ୍କ ପରାର୍ଥପ୍ରାଣତା ପାଇଁ ଥାନାରେ ଦଶଘଣ୍ଟା ବନ୍ଦୀ ରହିଲେ ମଧ୍ୟ ହୃଦ୍‌ରୋଗୀଙ୍କ ମାଗଣା ଚିକିତ୍ସା ପାଇଁ ସେମାନଙ୍କୁ ସାଥିରେ ନେଇ ସେବା ସଂଗଠନର ସେଇ ହସ୍ପିଟାଲ ଯିବାରୁ ନିବୃତ୍ତ ରହନ୍ତି ନାହିଁ। କହନ୍ତି, ”ମୋ ଅପମାନ ବା ନିର୍ଯାତନାଠାରୁ ସେମାନଙ୍କ ସ୍ବାସ୍ଥ୍ୟ ବଡ଼କଥା। କେଇଘଣ୍ଟାର ପୋଲିସ ହାଜତ ପାଇଁ ମୁଁ ମୋ ଦାୟିତ୍ୱରୁ ମୁହଁ ଫେରାଇନେବି କିପରି?“
ଆଃ, କାନକୁ କେତେ ମିଠା ଲାଗୁଛି ତାଙ୍କର ଏଇ କେଇପଦ କଥା। ଅଥଚ ବିଡ଼ମ୍ବନାର ବିଷୟ ଯେ, ପର ପାଇଁ ସୁଖ କିଣିବାରେ ନିଜେ ନିର୍ଯାତନାର ଦୁଃଖ ଭୋଗୁଥିବା ଏହିଭଳି କିଛି ପରାର୍ଥପ୍ରାଣ ଲୋକଙ୍କ ପାଇଁ ସ୍ବୟଂ ଈଶ୍ୱର ବି ନିଷ୍ଠୁର ହୋଇଯା’ନ୍ତି। ଅନ୍ୟମାନଙ୍କ ଦୁର୍ଭାଗ୍ୟ ସହ ଲଢ଼ୁ ଲଢ଼ୁ ଅକାଳରେ ଉଜୁଡ଼ିଯାଏ ତାଙ୍କ ଜୀବନ। କେଇ ମାସ ତଳେ ଆଗ୍ରାର ଏକ ଜନବହୁଳ ଅଞ୍ଚଳରେ ଜଣେ ଦୁର୍ଦ୍ଦାନ୍ତ ଡକାୟତ ସ୍ବାମୀଙ୍କୁ ଆଘାତ ଦେଇ ସ୍ତ୍ରୀଙ୍କଠାରୁ ଲୁଟି ନେଇଥିଲା ସଦ୍ୟ କ୍ରୟ ହୋଇଥିବା କିଛି ମୂଲ୍ୟବାନ ସୁନାଗହଣା। ଆଖପାଖର ଲୋକେ ଏ ଦୁର୍ଭାଗ୍ୟପୂର୍ଣ୍ଣ ଦୃଶ୍ୟକୁ ଉପଭୋଗ କରୁଥିଲା ବେଳେ ଅଚାନକ ଆଗେଇ ଆସିଲେ ଜଣେ ସାହସୀ ଯୁବକ ଓ କୌଶଳରେ ଡକାୟତକୁ କାବୁ କରିନେଲେ। ଧରାପଡ଼ିଯିବାର ନିଶ୍ଚିତ ସମ୍ଭାବନାରେ ଆତଙ୍କିତ ହୋଇ ଡକାୟତ ଯୁବକଙ୍କ ପେଟରେ ଛୁରି ଭୁସିଦେଲା। ଅକାଳରେ ଅବସାନ ଘଟିଲା ଏକ ମହାର୍ଘ୍ୟ ଜୀବନର। ଅଙ୍ଗୁଳିରେ ଗଣି ହେଉଥିବା ପରଗତପ୍ରାଣଙ୍କ ସଂଖ୍ୟାରୁ ଆଉ ଗୋଟିଏ ସଂଖ୍ୟା ଊଣା ହୋଇଗଲା।
କେଇବର୍ଷ ପୂର୍ବରୁ ଦିଲ୍ଲୀର ‘ଉପହାର’ ସିନେମା ହଲରେ ନିଆଁ ଲାଗି ଯେତେବେଳେ ବାଷଠି ଲୋକ ଅକାଳରେ ଜଳି ଯାଇଥିଲେ, ସେତେବେଳେ ଯୁବକଟିଏ ବାରମ୍ବାର ପ୍ରେକ୍ଷାଳୟ ଅଗ୍ନିବଳୟ ମଧ୍ୟକୁ ପଶିଯାଉଥିଲା ଓ ଜଣଙ୍କ ପରେ ଜଣଙ୍କୁ ଉଦ୍ଧାର କରି ବାହାରକୁ ନେଇ ଆସୁଥିଲା। ଏମିତି ଚାରିଜଣଙ୍କୁ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚାଇ ସାରିଲା ବେଳକୁ ସେ ମଧ୍ୟ ଅଗ୍ନିଝାସରେ ସିଝି ଯାଇଥିଲା। ମାତ୍ର ସେଥିକୁ ଖାତିର ନ କରି ସେ ଆଉ ଥରେ ପ୍ରେକ୍ଷାଳୟ ଭିତରକୁ ପଶିଲା ବେଳେ କେହି ଜଣେ ପଚାରିଦେଲେ, ”ତୁମର ଆଉ କେହି ସଂପର୍କୀୟ କ’ଣ ଭିତରେ ରହି ଯାଇଛନ୍ତି?“ ଯୁବକଟି ସାମାନ୍ୟ ହସି ଉତ୍ତର ଦେଲା, ”ଏମାନେ କେହି ମୋର ପରିଚିତ ବି ନୁହନ୍ତି, ସଂପର୍କୀୟ ତ ଦୂରର କଥା। ତେବେ ସଙ୍କଟରେ ପଡ଼ିଥିବା ସଭିଏଁ ମୋତେ ଜଣେ ଜଣେ ସମ୍ପର୍କୀୟ ଭଳି ଲାଗନ୍ତି।“ କହିବାକୁ କଷ୍ଟ ଲାଗୁଛି, ସଂକଟଗ୍ରସ୍ତ ଅଚିହ୍ନା ଅଜଣା ଲୋକଙ୍କୁ ନିଜ ସମ୍ପର୍କୀୟ ବିଚାରି ସେମାନଙ୍କ ଉଦ୍ଧାର ପାଇଁ ମରଣମୁହଁକୁ ଡେଇଁ ପଡ଼ିଥିବା ସେଇ ମହାନ୍‌ ଯୁବକଟି ଆଉ ଫେରି ଆସିଲା ନାହିଁ, ଆସି ପାରିଲାନାହିଁ। ସେ ଉଦ୍ଧାର କରିଥିବା ସେଇ ଚାରିଜଣ ଫିଲ୍ମ ଦର୍ଶକଙ୍କ ସହ ତା’ ସମର୍ପିତ ସେବାର ଜୟଗାନ କରୁଥିବା ଆମ ସମସ୍ତଙ୍କ ପାଇଁ ସେ ଜଣେ ଦୃଶ୍ୟମାନ ଈଶ୍ୱର ପାଲଟି ସେଇ ସର୍ବଗ୍ରାସୀ ନିଅଁାରେ ଜଳି ଯାଇଥିଲା।
ଏଭଳି ଅଭାବିତ ଦୃଶ୍ୟ ଆଖିରେ ପଡ଼ିଲେ ବା ଏ ପ୍ରକାର ସମ୍ବାଦ କାନରେ ପଡ଼ିଲେ ସେଇ ଅଦୃଶ୍ୟ ଈଶ୍ୱରଙ୍କୁ ମନଭରି ଗାଳିଦେବାକୁ ଇଚ୍ଛା ହୁଏ। ମନରେ ପ୍ରଶ୍ନଟିଏ ଉଙ୍କିମାରେ- ଏ ଦୁନିଆରେ ନିଜ ପାଇଁ ନିଜେ ବଞ୍ଚୁଥିବା କୋଟି କୋଟି ବାକ୍ୟବୀରମାନଙ୍କ ମେଳରେ ଯେଉଁ କତିପୟ କର୍ମବୀରମାନେ କଦବା କେମିତି ଆବିର୍ଭୂତ ହୁଅନ୍ତି, ସେମାନଙ୍କୁ ଏଇ ଅବିଚାରୀ ମଣିଷ ଥାନା ହାଜତରେ ରଖିପାରେ କେମିତି ବା ନିଷ୍ଠୁର ଈଶ୍ୱର ଏତେଶୀଘ୍ର ଛଡ଼ାଇ ନିଅନ୍ତି କିପରି!

  • ଅଧ୍ୟାପକ ନିରଞ୍ଜନ ପାଢ଼ୀ
    ପ୍ରଜ୍ଞା ନିଳୟ, ଚକେଇସିହାଣି, ଭୁବନେଶ୍ୱର-୧୦
    ମୋ: ୮୮୯୫୬୨୪୧୦୫

Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri