ବୃଦ୍ଧା ମା’ଙ୍କୁ ପିଟିପିଟି ମାରିଦେଲେ ପୁଅ

ଛେଣ୍ଡିପଦା,୧୬ା୫(ସ୍ବ.ପ୍ର.)): ଟଙ୍କା ନ ଦେବାରୁ ନିଜର ଜନ୍ମକଲା ବୃଦ୍ଧା ମା’କୁ ପିଟିପିଟି ମାରିଦେଇଛନ୍ତି ପୁଅ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲା ଛେଣ୍ତିପଦା ଥାନା ବାଗଡ଼ିଆ ବିଟ୍‌ହାଉସ ନିକଟସ୍ଥ ଦେହୁରୀ ସାହି ଗ୍ରାମରେ। ମୃତକ ଜଣଙ୍କ ହେଲେ ଅବସରପ୍ରାପ୍ତ ଏଏନ୍‌ଏମ ବୀଣାପାଣି ଦାଶ (୬୨) ବୋଲି ଜଣାପଡ଼ିଛି।

ଘଟଣାରୁ ପ୍ରକାଶ ଯେ, ବଗଡିଆ ପୋଷ୍ଟଅଫିସ ନିକଟସ୍ଥ ଦେହୁରୀ ସାହିରେ ବୀଣାପାଣି ଦାଶ ତାଙ୍କ ପରିବାରଙ୍କ ସହ ରହି ଆସୁଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ସାନପୁଅ ତୁଷାରକାନ୍ତ ଦେହୁରୀ ସହିତ ରହୁଥିବା ବେଳେ ଟଙ୍କା ପାଇଁ ମା’ ବୀଣାପାଣିଙ୍କୁ ପୁଅ ତୁଷାରକାନ୍ତ ଦେହୁରୀ ଅନେକ ସମୟରେ ଅଶ୍ଳୀଳ ଗାଳିଗୁଲଜ କରିବା ସହିତ ନିସ୍ତୁକ ମାରପିଟ କରି ମା’ଙ୍କଠାରୁ ଟଙ୍କା ନେଇଥାନ୍ତି। କିନ୍ତୁ ରବିବାର ମଧ୍ୟ ତୁଷାର ମା’ଙ୍କୁ ଟଙ୍କା ମାଗିଥିଲେ କିନ୍ତୁ ତାଙ୍କ ମା’ ବୀଣାପାଣି ଟଙ୍କା ନ ଦେବାରୁ ଘରେ କବାଟ ଦେଇ ମା’କୁ ମାଡ଼ ମାରିଥିଲେ। ତେବେ ପଡ଼ିଶାଲୋକ ଏସବୁ ଜାଣିଥିଲେ ମଧ୍ୟ ତୁଷାରଙ୍କ ଭୟରେ କେହି ବାରଣ କରିବାକୁ ଯାଇ ନ ଥିଲେ। ସକାଳେ ଘରୁ କେହି ବାହାରି ନ ଥିବା ବେଳେ ଘର ମୁଖ୍ୟ କବାଟରେ ତାଲା ପଡ଼ିଥିବା ଦେଖି ପଡ଼ିଶା ଲୋକମାନେ କବାଟ ଫାଙ୍କରେ ଦେଖିଥିଲେ। ବୀଣାଙ୍କ ମୃତଦେହ ଦୁଆର ଅଗଣାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ। ତେବେ ଖବର ପାଇ ବାଗଡ଼ିଆ ବିଟ୍‌ ହାଉସ୍‌ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ଅପରପକ୍ଷେ ଟଙ୍କା ପାଇଁ ପୁଅ ତୁଷାରକାନ୍ତ ଦେହୁରୀ ରବିବାର ବିଳମ୍ବିତ ରାତିରେ ନିସ୍ତୁକ ମାଡ଼ ମାରି ଦେଇଥିବା ସନ୍ଦେହ କରିଛନ୍ତି। ମା’ର ମୃତ୍ୟୁ ପରେ ପୁଅ ଘରର ମୁଖ୍ୟକବାଟରେ ତାଲା ପକାଇ ଫେରାର ହୋଇଯାଇଛନ୍ତି। ତେବେ ପୋଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଦେବଗଡ଼ ଛକରୁ କାବୁ କରି ଥାନାରେ ଅଟକ ରଖିବା ସହିତ ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି ।