ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ନେଲେ ପୁଅ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ରାଜଧାନୀରେ ଦାନ ମାଝି ଭଳି ଅଭାବନୀୟ ଘଟଣାର ପୁନରାବୃତ୍ତି ହୋଇଛି। ମା’ଙ୍କ ମୃତଦେହ ଘରକୁ ନେବା ପାଇଁ ମିଳିଲାନି ମହାପ୍ରୟାଣ ଗାଡ଼ି। ଘରୋଇ ଆମ୍ବୁଲାନ୍ସରେ ନେବାକୁ ପାଖରେ ନ ଥିଲା ଟଙ୍କା। ଶେଷରେ ମୃତଦେହକୁ ଷ୍ଟ୍ରେଚର୍‌ରେ ଟାଣି ଟାଣି ନେଇଥିଲେ ପୁଅ ମାନସ ବାହୁବଳେନ୍ଦ୍ର। ସୋମବାର ରାତିରେ କ୍ୟାପିଟାଲ ହସ୍ପିଟାଲ ନିକଟରେ ଏହି ହୃଦୟ ବିଦାରକ ଚିତ୍ର ଦେଖିବାକୁ ମିଳିଥିଲା।
ରବିବାର ମାନସଙ୍କ ମା’ଙ୍କର ବ୍ରେନ ହାମରେଜ ହୋଇଥିଲା। ତାଙ୍କୁ ତୁରନ୍ତ ଏମ୍ସ ନିଆଯାଇଥିଲା। ସେଠାରେ ଶଯ୍ୟା ଅଭାବ ଯୋଗୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସୋମବାର ମା’ଙ୍କ ମୃତ୍ୟୁ ଘଟିଥିଲା। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ମା’ଙ୍କ ଜୀବନ ଯାଇଥିବା ମାନସ ଅଭିଯୋଗ ଆଣିଛନ୍ତି। ଏଥିସହ ତାଙ୍କୁ ମହାପ୍ରୟାଣ ଗାଡ଼ି ମିଳି ନ ଥିଲା ବୋଲି ସେ କହିଛନ୍ତି। ମେଡିିକାଲ କର୍ତ୍ତୃପକ୍ଷ ତାଙ୍କୁ ଘରୋଇ ଆମ୍ବୁଲାନ୍ସ ନେବା ପାଇଁ ପରାମର୍ଶ ଦେଇଥିଲେ, କିନ୍ତୁ ଅର୍ଥାଭାବରୁ ସେ ସେଥିଲାଗି ସକ୍ଷମ ହୋଇ ନ ଥିଲେ। ତେଣୁ ମୃତଦେହକୁ ଷ୍ଟ୍ରେଚରରେ ବୋହିନେବାକୁ ବାଧ୍ୟ ହେଲେ ବୋଲି ମାନସ କହିଛନ୍ତି। ସେ କ୍ୟାପିଟାଲ ହସ୍ପିଟାଲଠାରୁ ଖୋର୍ଦ୍ଧା ଡଙ୍ଗରପଡା ଅଞ୍ଚଳକୁ ମୃତଦେହ ନେଉଥିଲେ। ଘଟଣା ସମ୍ପର୍କରେ ଗଣମାଧ୍ୟମରେ ପ୍ରସାରଣ ହେବା ପରେ ଏକ ଘରୋଇ ଆମ୍ବୁଲାନ୍ସ ସଂଘ ତାଙ୍କୁ ସହଯୋଗର ହାତ ବଢ଼ାଇଥିଲା। ସଂଘ ପକ୍ଷରୁ ମୃତଦେହକୁ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କ ଗ୍ରାମକୁ ନିଆଯାଇଥିଲା। ଅନ୍ୟପକ୍ଷରେ ଏନେଇ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।