ଅନ୍‌ଲାଇନ୍‌ରେ ହେବ ଏସ୍‌ଓଏଫ୍‌ ଅଲିମ୍ପିଆଡ୍‌

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ): ଚଳିତ ଶିକ୍ଷାବର୍ଷ ପାଇଁ ଅଲିମ୍ପିଆଡ୍‌ ପରୀକ୍ଷା ଘୋଷଣା କରିଛି ସାଇନ୍ସ ଅଲିମ୍ପିଆଡ୍‌ ଫାଉଣ୍ଡେଶନ (ଏସ୍‌ଓଏଫ୍‌)। କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରମାନେ ନିଜ ଘରେ ବସି ଅନ୍‌ଲାଇନ୍‌ରେ ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଛି। ସେହିଭଳି ମାତ୍ର ୪ଟି ଅଲମ୍ପିଆଡ୍‌ ପରୀକ୍ଷା କରାଯିବ। ସେଗୁଡିକ ହେଲା ଏସ୍‌ଓଏଫ୍‌ ଅନ୍ତର୍ଜାତୀୟ ସାଧାରଣଜ୍ଞାନ ଅଲିମ୍ପିଆଡ୍‌, ଏସ୍‌ଓଏଫ୍‌ ଅନ୍ତର୍ଜାତୀୟ ଇଂଲିଶ ଅଲିମ୍ପିଆଡ୍‌, ଏସ୍‌ଓଏଫ୍‌ ଅନ୍ତର୍ଜାତୀୟ ଜାତୀୟ ବିଜ୍ଞାନ ଅଲିମ୍ପିଆଡ୍‌ ଓ ଏସ୍‌ଓଏଫ୍‌ ଅନ୍ତର୍ଜାତୀୟ ଗଣିତ ଅଲିମ୍ପିଆଡ୍‌। ପରୀକ୍ଷା ପରିଚାଳନା ପାଇଁ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସି, ରିମୋଟ୍‌ ପ୍ରୋକ୍ଟରିଂ, ଭିଡିଓ ରେକର୍ଡିଂ ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଥିବା ଏସ୍‌ଓଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ପ୍ରତିବର୍ଷ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଏହି ପରୀକ୍ଷାରେ ଭାଗନେଉଥିବାବେଳେ ଗତବର୍ଷ ଭୁବନେଶ୍ୱରରୁ ପାଖାପାଖି ୮୭ ହଜାର ଛାତ୍ରୀଛାତ୍ର ଅଶଂଗ୍ରହଣ କରିଥିଲେ।