ହଭାନା: ବିଶ୍ୱର ସବୁଠାରୁ ଛୋଟ ପକ୍ଷୀର ନାମ ହେଉଛି ବି ହମିଂବାର୍ଡ। କାରବିଆନ୍ ଦେଶ କ୍ୟୁବାର ଘନ ଜଙ୍ଗଲରେ ମାତ୍ର ୫ରୁ ୬ ସେଣ୍ଟିମିଟର ଲମ୍ବ ବିଶିଷ୍ଟ ଏହି ପକ୍ଷୀକୁ ଦେଖିବାକୁ ମିଳିଥାଏ। ଏହି ପକ୍ଷୀଟି ଆକାରରେ ଏତେ କ୍ଷୁଦ୍ର ଯେ ଏହା କୌଣସି ମଣିଷର କାଣି ଆଙ୍ଗୁଠିଠାରୁ ମଧ୍ୟ ଛୋଟ ହେବ। ବି ହମିଂବାର୍ଡର ଓଜନ ମାତ୍ର ୧.୫ରୁ ୨ ଗ୍ରାମ୍ ମଧ୍ୟରେ ହେବ। ଏହି କାରଣରୁ ଅନେକେ ଏହି ପକ୍ଷୀକୁ ମହୁମାଛି ବୋଲି ଭାବି ଦେଇଥାନ୍ତି। ଉଡ଼ିବା ସମୟରେ ବି ହମିଂବାର୍ଡ ମହୁମାଛି ପରି ଶବ୍ଦ କରିଥାଏ ଏବଂ ଏହାର ଆକାର ମଧ୍ୟ ମହୁମାଛି ପରି ହୋଇଥିବାରୁ ଏହି ପକ୍ଷୀକୁ ମହୁମାଛି ବୋଲି ଭାବି ଅନେକେ ଭ୍ରମରେ ପଡ଼ିଥାନ୍ତି।
ଏହି କ୍ଷୁଦ୍ର ପକ୍ଷୀର ଅନେକ ଆଶ୍ଚର୍ଯ୍ୟଜନକ ବିଶେଷତ୍ୱ ରହିଛି। ସାଧାରଣତଃ ଅଧିକାଂଶ ପକ୍ଷୀ କେବଳ ଆଗକୁ ଉଡ଼ିପାରନ୍ତି, କିନ୍ତୁ ବି ହମିଂବାର୍ଡ ପକ୍ଷୀ ଆଗ ସହ ପଛକୁ ମଧ୍ୟ ଉଡ଼ିପାରିଥାଏ। ଏହି ପକ୍ଷୀ ଫୁଲ ଭିତରେ ନିଜ ଥଣ୍ଟ ଭର୍ତ୍ତି କରି ଶୋଷିବା ପରେ ତୁରନ୍ତ ପଛକୁ ଫେରିଯାଇ ପରବର୍ତ୍ତୀ ଫୁଲ ପାଖକୁ ଯାଇପାରିଥାଏ। ଏହି ପକ୍ଷୀର ଡେଣା ଫଡ଼ଫଡ଼ ଏତେ ଦ୍ରୁତ ଯେ, ଏହାକୁ ଖାଲି ଆଖିରେ ଦେଖି ହୋଇ ନ ଥାଏ। ପ୍ରତି ସେକେଣ୍ଡ୍ରେ ଏହି ପକ୍ଷୀ ୮୦ରୁ ଅଧିକ ଥର ନିଜ ଡେଣାକୁ ଫଡ଼ଫଡ଼ କରିପାରିଥାଏ। ତେବେ କେବେ କେବେ ଉଡ଼ିବା ସମୟରେ ବି ହମିଂବାର୍ଡର ଡେଣା ଫଡ଼ଫଡ଼ କରିବାର ଗତି ସେକେଣ୍ଡ୍ ପ୍ରତି ୨୦୦ରୁ ଅଧିକ ଥର ହୋଇଯାଇଥାଏ, ଫଳରେ ଏହି ଶବ୍ଦ ଠିକ୍ ମହୁମାଛିର ଗୁଞ୍ଜରଣ ପରି ଶୁଭିଥାଏ।

