ବିପଦକୁ ଡାକୁଛି ମୁକୁଳା ଡ୍ରେନ୍‌

କଟକ ଅଫିସ,୨୧ା୯:ରୌପ୍ୟ ନଗରୀ କଟକରେ ବର୍ଷା ହେଲେ ପରିସ୍ଥିତି ଜଟିଳ ହୋଇପଡୁଛି। ଅନେକ ସ୍ଥାନରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବା ସହ ଡ୍ରେନର ଉଦ୍‌ବୃତ୍ତ ପାଣି ରାସ୍ତାରେ ଲହଡ଼ି ମାରୁଛି। ସହରର ବିଭିନ୍ନ ସ୍ଥାନରେ ଡ୍ରେନ୍‌ ସବୁ ମୁକୁଳା ପଡ଼ିଥିବାବେଳେ ପ୍ରବଳ ବର୍ଷା ହେଲେ ରାସ୍ତା ଓ ଡ୍ରେନ୍‌ ଏକାକାର ହୋଇଯାଉଛି। କେଉଁଠି ରାସ୍ତା ଓ କେଉଁଠି ଡ୍ରେନ ଜଣାପଡ଼େ ନାହିଁ। ଟିକିଏ ଅନ୍ୟମନସ୍କ ହେଲେ ମୁକୁଳା ଡ୍ରେନରେ ଗୋଡ଼ ଖସିଯାଏ, ବିପଦକୁ ଆମନ୍ତ୍ରଣ କରିବାକୁ ପଡ଼େ। ପ୍ରତିବର୍ଷ ବର୍ଷାଋତୁରେ ମୁକୁଳା ଡ୍ରେନରେ ବହୁ ଲୋକ ପଡ଼ି ଆହତ ହୋଇଥାନ୍ତି। ମାତ୍ର ଏହି ଘଟଣା କଟକ ମହାନଗର ନିଗମ (ସିଏମ୍‌ସି) ପାଇଁ ସେପରି ଗୁରୁତ୍ୱ ମନେ ହୁଏ ନାହିଁ। ତେଣୁ ଏପର୍ଯ୍ୟନ୍ତ ମୁକୁଳା ଡ୍ରେନ୍‌ ଉପରେ ସ୍ଲାବ୍‌ ପକାଯାଇନାହିଁ। କଟକ ସହରରେ ପ୍ରାୟ ୧୦୦୦ କିଲୋମିଟର ପର୍ଯ୍ୟନ୍ତ ଦୀର୍ଘ ଡ୍ରେନ ରହିଛି। ସେଥିମଧ୍ୟରୁ ୬୬୦ କି.ମି. ହେଉଛି ସରଫେସ୍‌ ଡ୍ରେନ। ଏସବୁ ଡ୍ରେନଗୁଡ଼ିିକ ମଧ୍ୟରୁ ଅନେକ ମୁକୁଳା ପଡ଼ିଛି ା ନାଳ ସଫା, ସ୍ଲାବ ପକାଇବା ଆଦି ପାଇଁ ବିଏମ୍‌ସି ପକ୍ଷରୁ ବିପୁଳ ଅର୍ଥ ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଅସରାଏ ବର୍ଷାରେ ସହର ଅବସ୍ଥା ସଙ୍ଗିନ ହୋଇଯାଉଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କୌଣସି ସ୍ଥାନରେ ଡ୍ରେନକୁ ମୁକୁଳା ରଖାଯିବା ଉଚିତ ନୁହେଁ। ମୁକୁଳା ଡ୍ରେନ ଉପରେ କର୍ତ୍ତୃପକ୍ଷ ସ୍ଲାବ୍‌ (ଢ଼ାଙ୍କୁଣୀ) ପକାଇବାର ନିୟମ ରହିଛି। କିନ୍ତୁ ଏନେଇ ସିଏମ୍‌ସି ଅବହେଳା ମନୋଭାବ ପୋଷଣ କରୁଛି। ୨, ୧୦, ୧୧, ୧୨, ୧୩, ୧୪, ୧୭, ୧୮, ୧୯, ୨୦, ୨୧, ୨୮, ୨୯, ୩୦, ୩୧, ୩୯, ୪୦, ୪୧, ୪୨, ୪୪, ୪୫, ୪୬, ୫୩ ନମ୍ବର ୱାର୍ଡର ଅନେକ ଡ୍ରେନ୍‌ ଉପରେ ସ୍ଲାବ୍‌ ନାହିଁ। ପଟାପୋଲ ଅଞ୍ଚଳର ମୁଖ୍ୟ ଡ୍ରେନ୍‌ ମେଲା ଥିଲେ ବି ଲୋକଙ୍କ ସୁରକ୍ଷା ପାଇଁ କିଛି ବ୍ୟବସ୍ଥା କରାଯାଇ ନାହିଁ। ଫଳରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ସେହିପରି ଡ୍ରେନରେ ଆବର୍ଜନା ଜମି ରହି ପାଣି ନିଷ୍କାସନରେ ସମସ୍ୟା ସୃଷ୍ଟି ହେଉଛି। ମୁକୁଳା ଡ୍ରେନ ଉପରେ ସ୍ଲାବ୍‌ ପକାଇବା ପାଇଁ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କରୁଥିଲେ ସୁଦ୍ଧା ସିଏମ୍‌ସିି ପଦକ୍ଷେପ ନେଉନାହିଁ। ଏଥିଯୋଗୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଦିବ୍ୟରଞ୍ଜନ ତ୍ରିପାଠୀ ବାଙ୍ଗାଲୋର ଗସ୍ତରେ ଯାଇଥିବାରୁ ଏ ନେଇ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।