ଦି ସାଇଲେଣ୍ଟ ଟ୍ରେନ୍‌

ଶୁଭନାରାୟଣ ଶତପଥୀ

 

ଟ୍ରେନକୁ ନେଇ ଅନେକ ପ୍ରବନ୍ଧ, କାହାଣୀ ରଚନା କରାଯାଇଛି। ସିିନେମା ତିଆରି ହୋଇଛି। ନାଁ ରଖାଯାଇଛି ବର୍ନିଂ ଟ୍ରେନ, ଦି ଘୋଷ୍ଟ ଟ୍ରେନ, ଚେନ୍ନାଇ ଏକ୍ସପ୍ରେସ ଇତ୍ୟାଦି। କେଉଁଠି ଏହା କାଳ୍ପନିକ ତ କେଉଁଠି କିଛି ସତ୍ୟତା ଏଥିରେ ରହିଛି। ତେବେ ଟ୍ରେନ ସହ ମଣିଷର ନିତିଦିନିଆ କାରବାର ବେଶ୍‌ ଜଡ଼ିତ। ସେ କାମଧନ୍ଦା ଉଦ୍ଦେଶ୍ୟରେ ଯାତ୍ରା ହେଉ ବା ଭ୍ରମଣ ନିମନ୍ତେ। ସତେ ଯେମିତି ପ୍ରତିଟି ଟ୍ରେନ ଯାତ୍ରାର ଏକ ନିଆରା ଅନୁଭୂତି ମନରେ ରେଖାଟିଏ ଟାଣିଦିଏ; ଯାହା ଚିରକାଳ ପାଇଁ ମନ ଭିତରେ ଅକୁହା କାହାଣୀ ହୋଇ ରହିଥାଏ। ସେମିତି ଏକ ଭ୍ରମଣ ସମୟର ସଦ୍ୟ ଘଟଣାବଳୀ।
ଏଇ ନିକଟ ଅତୀତରେ ମୁଁ ଏକ ଜରୁରୀ କାମରେ ସମ୍ବଲପୁର ଯାଇଥାଏ। ଦୀର୍ଘ ଦେଢ଼ବର୍ଷ ପରେ ଟ୍ରେନରେ ଯାତ୍ରା କରିବାର ସୁଯୋଗ ପାଇଥାଏ। ଯେତିକି ଉତ୍ସାହିତ ହେଉଥିଲି, ସେତିକି ଉତ୍କଣ୍ଠିତ ବି ଥିଲି। କାମ କଥା ଛାଡ଼ନ୍ତୁ, ଯିବାଆସିବା ଭିତରେ ଟ୍ରେନ ଯାତ୍ରାର ମଜା ନେବା, ଯାତ୍ରୀଙ୍କ ସହ ଭାବର ଆଦାନପ୍ରଦାନ, ଚଳନ୍ତା ଟ୍ରେନ ଭିତରୁ ପ୍ରକୃତିର ମନୋରମ ଦୃଶ୍ୟ ଉପଭୋଗ କରିବା ଇତ୍ୟାଦି ମନକୁ ଉଦ୍‌ବେଳିତ କରୁଥାଏ। ଇତିମଧ୍ୟରେ କୋଭିଡ୍‌ କଟକଣା କିଛିମାତ୍ରାରେ କୋହଳ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍‌ ସଂକ୍ରମଣର ଭୟ ଧୀରେ ଧୀରେ ମୁଣ୍ଡ ଟେକୁଥାଏ। ତଥାପି ସାନିଟାଇଜର, ମାସ୍କ, ସାମାଜିକ ଦୂରତା ବଜାୟ ରଖି ଏହି ଯାତ୍ରାକୁ ଉପଭୋଗ କରିବାର କଳ୍ପନା ମନକୁ ଆଚ୍ଛାଦିତ କରି ରଖିଥାଏ।
ସମ୍ବଲପୁରରେ ସେହି ଗୋଟିଏ ରାତି ରହଣି ସମୟରେ ଟିିଭି ନ୍ୟୁଜ୍‌ରୁ ଜାଣିବାକୁ ପାଇଲି ଯେ, ଆଜି ଆମ ଓଡ଼ିଶାର କୋଭିଡ୍‌ ରୋଗୀଙ୍କ ସଂଖ୍ୟା ଶହେ ଟପିଲା। ଗଲାବେଳେ ଭୁବନେଶ୍ୱର-ବଲାଙ୍ଗୀର ଓ ଫେରିବା ଦିନ ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟିରେ ଆସିଲି। ସେଦିନ ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟିର ସବୁ ସିଟ୍‌ ଫିଲ୍‌ଅପ୍‌ ଥାଏ। ଯାହାହେଉ ମୋତେ ଖୁସି ଲାଗୁଥାଏ। ଅତିକମ୍‌ରେ ପରିବେଶ ତା’ର ପୂର୍ବାବସ୍ଥାକୁ ବୋଧହୁଏ ଫେରୁଛି। ଢେଙ୍କାନାଳରେ ଟ୍ରେନ ପହଞ୍ଚତ୍ଲା। ଆଶ୍ଚର୍ଯ୍ୟର କଥା ଟ୍ରେନରେ ନା ଶୁଭୁଥିଲା ବାରମଜା, ସମୋସା, ବରାବାଲାର ଡାକ ନା ଥିଲା କିନ୍ନରଙ୍କ ଉପସ୍ଥିତି। ଆଉ ନ ଥିଲେ ଯାଯାବର ଶିଶୁ ଶ୍ରମିକ; ଯେଉଁମାନେ ଟ୍ରେନ ଡବା ଭିତର ଓଳାଇ ସାରି ଯାତ୍ରୀଙ୍କୁ ପଇସା ମାଗନ୍ତି। ଟ୍ରେନଟି ଯାତ୍ରୀରେ ପୂର୍ଣ୍ଣ ହୋଇଥିଲା ସତ, କିନ୍ତୁ ସେଠି ନ ଥିଲା ଯାତ୍ରୀଙ୍କ କୋଳାହଳ ଓ ନିଜ ଭିତରେ ଭାବ ଆଦାନ ପ୍ରଦାନର ସମ୍ପର୍କ। ସତେ ଯେମିତି ଯାତ୍ରୀଙ୍କ ମୁହଁରୁ କେହି ହସ ଚୋରାଇ ନେଇଛିି। ଏମିତି ଭାବନା ବି ମନକୁ ଆସୁଥିଲା ଯେ କ’ଣ ଆମେ ସମସ୍ତେ ଶୋକସଭା ସାରି ଫେରୁଛୁ କି? ମୁହଁଟି ମାସ୍କରେ ଢାଙ୍କିହୋଇ ରହିଥାଏ ସମସ୍ତଙ୍କର। ଏପଟେ ଚଷମା ଆଢୁଆଳରେ ଜୁଳୁଜୁଳୁ ହୋଇ ଚାହୁଁୁଥିବା ଆଖିରୁ ବାରି ହୋଇପଡୁଥିଲା ଅପେକ୍ଷିତ ପାରସ୍ପରିକ ବାର୍ତ୍ତାଳାପର ପ୍ରତ୍ୟାଶାକୁ। ମାସ୍କ ଭିତରର ମୁହଁର ଭାଷାକୁ ଆଖିରୁ ପଢ଼ି ହେଉଥିଲା। ସ୍ମିତହାସ୍ୟ ସମୟରେ ଯେପରି ନୟନର ଭ୍ରୂକୁଞ୍ଚନ ହୁଏ, ତାହା ଜମାରୁ ଦେଖାଯାଉ ନ ଥିଲା। ଏଣୁ ଏହା ସ୍ପଷ୍ଟ କରେ ଯେ ବଦନ ବିରସ ଓ ବିଷଣ୍ଣ। କେହି ଯାତ୍ରୀ ସେମାନଙ୍କର ପରିବାରର ସଦସ୍ୟମାନଙ୍କ ମଧ୍ୟରେ ହସମଜାର ଆସର କିମ୍ବା ଖୋଲାପଣର କଥାବାର୍ତ୍ତା ହେଉଥିବା ଦେଖାଯାଉ ନ ଥିଲା। ଏମିତି କି ମୋବାଇଲରେ କଥାବାର୍ତ୍ତା ହେଉଥିବାର ଦୃଶ୍ୟ ଥିଲା ଖୁବ୍‌ କ୍ୱଚିତ ଓ କମ୍‌ ଅବଧିର। ଟ୍ରେନର ନିର୍ଦ୍ଦିଷ୍ଟ ରହଣି କାଳରେ ଟ୍ରେନ ଭିତରୁ ବାହାରକୁ ଓହ୍ଲାଇ ପଡୁଥିବା ଯାତ୍ରୀମାନେ ଏବେ ତାଙ୍କ ସିଟ୍‌ରେ ସ୍ଥିରସ୍ଥିତ। ଯୋଉମାନଙ୍କର ଓହ୍ଲାଇବାର ଅଛି, ସେମାନଙ୍କ ବ୍ୟତୀତ ଅନ୍ୟ ଯାତ୍ରୀମାନେ ରହଣି ସ୍ଥାନରେ ସିଟ୍‌ରୁ ଉଠୁନାହାନ୍ତି। ପୂର୍ବଭଳି ଟ୍ରେନଯାତ୍ରାରେ ଅନେକ କିଛି ପରିବର୍ତ୍ତନ ପରିଲକ୍ଷିତ ହେଉଥିଲା। ବାସ୍ତବରେ ଟ୍ରେନର ଗତି ଅପେକ୍ଷାକୃତ ଅଧିକ ଥିଲା। ରହଣି ବି ସୀମିତ। ଟ୍ରେନ୍‌ଗୁଡ଼ିକ ପ୍ରାୟ ସମୟାନୁବର୍ତ୍ତୀ ଲାଗୁଥିଲେ। ମୁଁ ନୀରବ ନିରୀକ୍ଷଣ କରୁଥିଲି। କାନକୁ ସ୍ପଷ୍ଟ ଭାବେ ଶୁଭୁଥିଲା କେବଳ ଟ୍ରେନର ଛୁକ୍‌ଛୁକ୍‌ ଶବ୍ଦ। ଆହୁରି ଆଶ୍ଚର୍ଯ୍ୟ କରୁଥିଲା, ବିଭିନ୍ନତାର ସମାଗମ ଘଟୁଥିବା ଟ୍ରେନ ଭିତରେ ଦେଖିବାକୁ ମିଳୁଥିଲା ସମଭାବାପନ୍ନ ଯାତ୍ରୀଙ୍କ ସମାହାର। ସମସ୍ତେ ସତର୍କ, ସଚେତନ, ସମଦୃଷ୍ଟିସମ୍ପନ୍ନ। ନିଜ ଭିତରେ କେବଳ କୋଭିଡ୍‌କୁ ହରାଇବାର ପଣ ଛଡ଼ା ଅନ୍ୟ କିଛି ନଜରକୁ ଆସୁ ନ ଥିଲା। ଇତିମଧ୍ୟରେ ଜଣେ ଯାତ୍ରୀ ଛିଙ୍କିଦେବାରୁ ସମସ୍ତେ ତାଙ୍କୁ ବିକଳ ଭାବେ ଚାହଁିଥାନ୍ତି। ଯିବା ଆସିବାର ସ୍ଥଳଗୁଡ଼ିକ ବିଷୟରେ ରେଲଓ୍ବେ ତରଫରୁ ଚେକିଂ କଡ଼ାକଡ଼ି ହେଉଥାଏ। ମୁଁ ନିଶ୍ଚିତ ଥିଲି ଯେ ଆମେ ସମସ୍ତ ଯାତ୍ରୀ କେବଳ ଅତି ଆବଶ୍ୟକତା ଦୃଷ୍ଟିରୁ ଯାତ୍ରା କରୁଛନ୍ତି। ଲକ୍ଷ୍ୟ ହେଉଛି କେବଳ ଲକ୍ଷ୍ୟସ୍ଥଳ। କାମସାରି ଘରକୁ ଫେରିଆସିବା ହିଁ ସମସ୍ତଙ୍କର ଲକ୍ଷ୍ୟ। ଟ୍ରେନ ଭିତରେ କେଉଁଠି ହାତ ମାରିବାକୁ ଇଚ୍ଛା ନ ଥିଲେ ବି ଆବଶ୍ୟକତା ଦୃଷ୍ଟିରୁ ଯେଉଁଠିକୁ ଧରି ଚାଲୁଥାଏ, ସେ ସ୍ଥାନରୁ ହାତରେ ଲାଗୁଥାଏ ବହଳେ ଧୂଳି। କାରଣ ସଭିଙ୍କର ଏ ଅଭ୍ୟାସ ଯୋଗୁ ଅନେକ ସ୍ଥାନ ବାରମ୍ବାର ବ୍ୟବହାର ହେଉ ନ ଥିବା କାରଣରୁ ଏମିତି ହେଉଛି ବୋଲି ମନେହୁଏ। ବାସ୍ତବିକ ଏ ଦୃଶ୍ୟ ନୀରବ ଯାତ୍ରାର। ମନରେ ପ୍ରଶ୍ନ ଉଠୁଥାଏ, ସତରେ କ’ଣ ଏହା ଏକ ଆନନ୍ଦଦାୟକ ଯାତ୍ରା!
ଆହୁରି ଅନେକ ପ୍ରଶ୍ନରେ ଛନ୍ଦି ହେଉଥାଏ ମନ। ଏ ପରିବର୍ତ୍ତନ ଅସ୍ଥାୟୀ ନା ଚିରସ୍ଥାୟୀ। କେତେ ପର୍ଯ୍ୟାୟରେ କୋଭିଡ୍‌ ଆସିବ ତାହା କାହାରିକୁ ଜଣାନାହିଁ। କିନ୍ତୁ ଏପରି ଅଭ୍ୟାସର ଆଶା ଭବିଷ୍ୟତ ରେଳଯାତ୍ରାରେ ନୀରବତାକୁ ଦୃଢ଼ୀଭୂତ କରୁଥାଏ। ଏକଥା ସ୍ପଷ୍ଟ ଯେ, କୋଭିଡ୍‌ କାରଣରୁ ଏ ଅଭ୍ୟାସରେ ପରିବର୍ତ୍ତନ କେବଳ ଯାତ୍ରୀଙ୍କର ନୁହେଁ ବରଂ ବୁଲାବିକାଳିଙ୍କ ବେଉସାରେ ପରିବର୍ତ୍ତନ। ଟ୍ରେନ ଅନେକ ବ୍ୟକ୍ତିଙ୍କ ଜୀବନ ଜୀବିକା ସହ ଯୋଡ଼ା। ପ୍ରତିଦିନର ରୋଜଗାର ଉପରେ ନିର୍ଭର କରୁଥିବା ପରିବାରଗୁଡ଼ିକ କେମିତି ଚଳୁଥିବେ କେଜାଣି। ଏହା ନୀରବ ଟ୍ରେନର ଯାତ୍ରା ହେଇପାରେ, କିନ୍ତୁ ଏ ନୀରବତା ଅନେକ କିଛି ପ୍ରକାଶ କରୁଛି। ଶୁଣିବାକୁ କାନ ନୁହେଁ, ହୃଦୟର ଆବଶ୍ୟକତା ରହିଛି। ଆଉ କେବେ ମୁଁ ଏ ଟ୍ରେନ ଯାତ୍ରାରେ ଯିବି ମୁଁ ଜାଣେନା। ତେବେ ଆଗକୁ କୋଭିଡ୍‌ ସଂକ୍ରମଣ କମାଇବାକୁ ହେଲେ ଏ ଅଭ୍ୟାସର ଆବଶ୍ୟକତା ଢେର ବେଶି। କିନ୍ତୁ ଏପରି ସ୍ଥିତି ବେଶିଦିନ ରହିଲେ ସାରା ବିଶ୍ୱରେ ଅନେକ ସାମାଜିକ, ସାଂସ୍କୃତିକ, ଭାବଗତ ପରିବର୍ତ୍ତନ ଆଣିଦେବ; ଏଥିରେ ସନ୍ଦେହ ନାହିଁ। ତେବେ କୋଭିଡ୍‌ଜନିତ ବିପର୍ଯ୍ୟୟ ଯେ କେତେ ଭୟାନକ ଓ ଏହା ଆଗକୁ ଏହା କେତେ ଭୟଙ୍କର ହୋଇପାରେ ତାହା କହୁଛି ଦି ସାଇଲେଣ୍ଟ ଟ୍ରେନ।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ-୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri