ନୀରବ ବିଦ୍ରୋହ ଭାରି ପଡ଼ିବ

ତିର୍ତ୍ତୋଲ, ୩୧ା୧୦ (ସ୍ବ.ପ୍ର.): ୨୦୧୯ ନିର୍ବାଚନରେ ତିର୍ତ୍ତୋଲ ବିଧାନସଭା ଆସନରୁ ବିଜୟୀ ହୋଇଥିବା ବିଜେଡି ନେତା ବିଷ୍ଣୁଚରଣ ଦାସଙ୍କ ପରଲୋକ ପରେ ଏବେ ଚାଲିଛି ସେଠାରେ ଉପନିର୍ବାଚନ ପ୍ରକ୍ରିୟା। ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୩ ବ୍ଲକ୍‌ ତିର୍ତ୍ତୋଲ, ରଘୁନାଥପୁର ଓ ବିରିଡ଼ିର ୬୧ ପଞ୍ଚାୟତ ନେତାଙ୍କ ଛାଉଣି ହୋଇଯାଇଛି। ପ୍ରଚାର, ଶୋଭାଯାତ୍ରା, ବୈଠକ ସାଙ୍ଗକୁ ଭୋଜିଭାତର ଆସର ଜମୁଛି। ଗାଁଗଣ୍ଡାରେ ନିର୍ବାଚନୀ ମାହୋଲ ସରଗରମ ଥିବାବେଳେ ଭାଜପା ନିର୍ବାଚନ ରଣାଙ୍ଗନରେ ପଛରେ ପଡ଼ିଥିବା ଦଳର ତିର୍ତ୍ତୋଲ ପଞ୍ଚାୟତ ପୂର୍ବତନ ପ୍ରଭାରୀ ଚୌଧୁରୀ ବିଜୟ କୁମାର ସୂତାର କହିଛନ୍ତି। ସେ କହିଛନ୍ତି, କର୍ମୀଙ୍କ ସହ ଆଲୋଚନା ନ କରି ତିର୍ତ୍ତୋଲରେ ଦଳୀୟ ପ୍ରାର୍ଥୀ ଭାବେ ଭାଜପା ରାଜକିଶୋର ବେହେରାଙ୍କ ଉପରେ ଭରସା କରିଛି। ଦଳରେ ବହୁ ପୂର୍ବରୁ କାର୍ଯ୍ୟ କରୁଥିବା କର୍ମୀଙ୍କ ମହଲରେ ଏନେଇ ଅସନ୍ତୋଷ ଦେଖାଦେଇଛି। ବହୁ ସ୍ଥାନରେ କର୍ମୀ ରାଜକିଶୋରଙ୍କୁ ସହଯୋଗ କରିବା ବଦଳରେ ନୀରବ ରହିବାକୁ ପସନ୍ଦ କରୁଛନ୍ତି। ଏହି ନୀରବ ବିଦ୍ରୋହ ଦଳ ପାଇଁ ଭାରି ପଡ଼ିବ ବୋଲି ସୂତାର କହିଛନ୍ତି। ସେହିପରି ଗତ ନିର୍ବାଚନର ଦଳୀୟ ପ୍ରାର୍ଥୀ ରମାକାନ୍ତ ଭୋଇଙ୍କୁ ଭାଜପା ଅଣଦେଖା କରି ରାଜକିଶୋରଙ୍କୁ ପ୍ରାର୍ଥୀ କରିଛି। ରମାକାନ୍ତ ୨୦୧୯ ବିଧାନସଭା ନିର୍ବାଚନରେ ୫୩,୫୮୧ ଭୋଟ୍‌ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଉପନିର୍ବାଚନ ସମୟରେ ଭାଜପା ଅନ୍ୟାୟ କରିଥିବା କହି ରମାକାନ୍ତ ତାଙ୍କ ସମର୍ଥକଙ୍କ ସହ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି। ଏହା ଭାଜପା ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ଦଳର ଅନ୍ୟ କର୍ମୀମାନେ ମତପ୍ରକାଶ କରିଛନ୍ତି। ରଘୁନାଥପୁରସ୍ଥିତ ଶାଳିଜଙ୍ଗା ଗ୍ରାମର ହେମନ୍ତ ବିଶ୍ୱାଳ କହିଛନ୍ତି ଯେ, ବିଜେଡି ପ୍ରାର୍ଥୀ ବିଜୟଶଙ୍କର ଦାସଙ୍କ ପାଇଁ ଦଳର ବହୁ ରାଜ୍ୟସ୍ତରୀୟ ନେତା ପ୍ରଚାର ଜୋରଦାର ଚଳାଇଛନ୍ତି। ଏ କ୍ଷେତ୍ରରେ ଭାଜପାରେ ସେଭଳି ଆଗ୍ରହ ଦେଖିବାକୁ ମିଳୁନାହିଁ। ଶାସକ ଦଳ ପକ୍ଷରୁ ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର, ଜଗତ୍‌ସିଂହପୁର ଏମ୍‌ପି ରାଜଶ୍ରୀ ମଲ୍ଲିକ, ମନ୍ତ୍ରୀ ଅରୁଣ ସାହୁ, ମନ୍ତ୍ରୀ ରଘୁନନ୍ଦନ ଦାସ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଓ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ବହୁ ବିଧାୟକ, ପୂର୍ବତନ ବିଧାୟକ ଏବଂ ଦଳୀୟ ସଂଗଠନ ଦାୟିତ୍ୱରେ ଥିବା ନେତାମାନେ ପ୍ରାର୍ଥୀ ବିଜୟଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି। ରଘୁନାଥପୁରର କିଛି ଅଞ୍ଚଳ, ଯାହାକି ଦିନେ ଭାଜପାର ଭୋଟ ବାକ୍ସ ଥିଲା, ସେଠାରେ ବିଜେଡି ତା’ର ସଙ୍ଗଠନ ମଜଭୁତ କରୁଥିବାବେଳେ ଭାଜପା ନେତାଙ୍କ ଦେଖା ମିଳୁ ନ ଥିବା ହେମନ୍ତ ବିଶ୍ୱାଳ କହିଛନ୍ତି। ତିର୍ତ୍ତୋଲରେ ଭାଜପା ପକ୍ଷରୁ ମୟୂରଭଞ୍ଜ ଏମ୍‌ପି ବିଶ୍ୱେଶ୍ୱର ଟୁଡୁ, ଭୃଗୁ ବକ୍ସିପାତ୍ର, ପୂର୍ବତନ ବିଧାୟକ ଅଲେଖ ଜେନା, ସୁରମା ପାଢ଼ୀଙ୍କ ସମେତ ଦଳର କେତେଜଣ ପୁରୁଖା କର୍ମୀ ପ୍ରାରମ୍ଭରୁ ପ୍ରଚାର କରୁଥିବା ନଜରକୁ ଆସିଛି। ବାହାଘର ବେଳେ ବାଇଗଣ ରୁଆ ଭଳି ନିର୍ବାଚନ ପ୍ରଚାର ଶେଷ ହେବାର ଦିନେ ଦୁଇଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ପ୍ରଚାରରେ ସାମିଲ ହୋଇଛନ୍ତି। ଯଦି ସେମାନେ ସପ୍ତାହେ ପୂର୍ବରୁ ଏଠାରେ ପ୍ରଚାରକୁ ଓହ୍ଲାଇଥାନ୍ତେ ତାହାହେଲେ ପ୍ରାର୍ଥୀଙ୍କୁ ଅଧିକ ଫାଇଦା ହୋଇଥାନ୍ତା। ସେହିପରି ଦଳ କନ୍ଦଳ ଓ ଅସନ୍ତୋଷ କିଛିମାତ୍ରାରେ ଥମିପାରିଥାନ୍ତା ବୋଲି ରଘୁନାଥପୁର ବ୍ଲକ ଶଙ୍ଖପୁର ବାସିନ୍ଦା ସରୋଜ କୁମାର ପାତ୍ର କହିଛନ୍ତି। ଏନେଇ ଭାଜପା ପ୍ରାର୍ଥୀ ରାଜକିଶୋର ବେହେରା କହିଛନ୍ତି, ତିର୍ତ୍ତୋଲରେ ଦଳ ପ୍ରତି ଲୋକଙ୍କ ଯଥେଷ୍ଟ ଭଲପାଇବା ରହିଛି। ଅନ୍ୟ ଦଳର ଷ୍ଟାର କ୍ୟାମ୍ପେନର କି ହେଭିଓ୍ବେଟ୍‌ ନେତାଙ୍କ ପ୍ରଚାର ଭାଜପା ପ୍ରତି ଥିବା ଲୋକଙ୍କ ଭରସା ଓ ବିଶ୍ୱାସକୁ ଦୋହଲାଇ ପାରିବ ନାହିଁ। ନିର୍ବାଚନରେ ହାରଜିତ୍‌ ଲାଗି ରହିଛି, ଆମେ ହାରିବୁ କି ଜିତୁବୁ ସେ କଥା ଭୋଟର ବିଚାର କରିବେ। କିନ୍ତୁ ସବୁବେଳେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ବିଜେଡି ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିବା ପଛରେ ଅନୁକମ୍ପା ଭୋଟ ଏକ ବଡ଼ କାରଣ ବୋଲି କୁହାଯାଉଛି। ବିଜୟଙ୍କ ବଳ ବଢ଼ାଇବା ପାଇଁ ଶାସକ ଦଳ ପକ୍ଷରୁ ୩ ବ୍ଲକ୍‌ରେ ୩୦ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ନେତା ମନ୍ତ୍ରୀଙ୍କୁ ନିୟୋଜିତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ରାଲି କରି ନିର୍ବାଚନ ପ୍ରଚାରକୁ ଜୋରଦାର କରିଥିବାବେଳେ ବିଜେଡି ନେତାମାନେ ବାରମ୍ବାର ବିଷ୍ଣୁ ଦାସଙ୍କ ବିଷୟରେ କହି ସେ ଛାଡ଼ିଯାଇଥିବା ବିକାଶ କାର୍ଯ୍ୟକୁ ତାଙ୍କ ପୁଅ ବିଜୟ ପୂରା କରିବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। ଏଭଳି ଉପାୟରେ ସେମାନେ ଭୋଟରଙ୍କୁ ଭାବପ୍ରବଣତାରେ ବାନ୍ଧି ରଖିବାକୁ ଚେଷ୍ଟା କରୁଥିବା ନଜରକୁ ଆସୁଛି। ଏନେଇ ରାମକୁମାରପୁର ବାସିନ୍ଦା ବନବୀର ଜେନା କହିଛନ୍ତି, ସମସ୍ୟା ତ ଅନେକ ଅଛି, ହେଲେ ବର୍ତ୍ତମାନ ସୁଦ୍ଧା ଗଁାକୁ ଅଧିକାଂଶ ବିଜେଡି କର୍ମୀ ହିଁ ଆସିଛନ୍ତି। ଗଁାର ଥିବା ସମସ୍ୟା ଆଗାମୀ ଦିନରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବିଧାୟକ ବିଷ୍ଣୁ ଦାସଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ବିଜୟ ପ୍ରଥମ ଥର ପ୍ରାର୍ଥୀ ହୋଇଛନ୍ତି। ତେଣୁ ତାଙ୍କୁ ଭୋଟ ଦେବେ ବୋଲି ସେ କହିଛନ୍ତି। ସେହିପରି ପ୍ରାର୍ଥୀଙ୍କୁ ନୁହେଁ, ବରଂ ନବୀନ ବାବୁଙ୍କୁ ଭୋଟ ଦେଉଛୁ ବୋଲି ଶଙ୍ଖପୁର ଗ୍ରାମର ମଞ୍ଜୁଲତା ଜେନା କହିଛନ୍ତି। ଅପରପକ୍ଷରେ ଟିକେଟ ବଣ୍ଟନକୁ ନେଇ ବିଜେଡିରେ ଥିବା କନ୍ଦଳ ତୁଟାଇବାରେ ରାଜ୍ୟସ୍ତରୀୟ ନେତାମାନେ ଜୋରଦାର ଉଦ୍ୟମ କରୁଛନ୍ତି। ଫଳରେ ପୁରୁଖା ନେତ୍ରୀ ରାଜଶ୍ରୀ ମଲ୍ଲିକ ଏବେ ବିଜୟଙ୍କ ସହ ପ୍ରଚାରରେ ଯୋଗଦେଇ ଭୋଟ ମାଗୁଥିବା ଦେଖିବାକୁ ମିଳୁଛି। ରାଜଶ୍ରୀ ୨୦୧୪ରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିଲେ। ୨୦୧୯ରେ ତାଙ୍କୁ ଦଳ ଜଗତ୍‌ସିଂହପୁର ଲୋକ ସଭା ଆସନରୁ ପ୍ରାର୍ଥୀ କରି ସଫଳ ହୋଇଥିଲା। ଏବେ ଉପନିର୍ବାଚନ ସମୟରେ ରାଜଶ୍ରୀଙ୍କ ଅନୁଗତଙ୍କୁ ଟିକେଟ ନ ମିଳିବାରୁ ଦଳୀୟ କନ୍ଦଳ ଦେଖିବାକୁ ମିଳିଥିଲା। ରାଜଶ୍ରୀଙ୍କ ସମର୍ଥକମାନେ ବିଦ୍ରୋହୀ ପାଲଟିଥିଲେ। ଏବେ ଏହି ସ୍ଥିତିରେ ସୁଧାର ଆସିଥିବା ପ୍ରଚାର କାର୍ଯ୍ୟରେ ରାଜଶ୍ରୀଙ୍କ ସକ୍ରିୟତାରୁ ଅନୁମାନ କରାଯାଉଛି। ବିଜେଡି ପ୍ରାର୍ଥୀ ବିଜୟ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଜନସାଧାରଣଙ୍କ ଆସ୍ଥା ଓ ଭଲପାଇବାକୁ ବଜାୟ ରଖିବା ଭଳି କାମ କରିବି। ପ୍ରାର୍ଥୀ ହେବା ପାଇଁ ଦଳରେ ଅନେକ ଆଶୟୀ ଥିଲେ, ଆଶାୟୀ ରହିବା ବି ସ୍ବାଭାବିକ। ହାର ହେଉ କି ଜିତ୍‌ ଦଳ ପକ୍ଷରୁ ମିଳିଥିବା ଏହି ଦାୟିତ୍ୱକୁ ଆଗାମୀ ଦିନରେ ମୁଁ ସଫଳ କରିବାକୁ ଚେଷ୍ଟା କରିବି ବୋଲି ସେ କହିଛନ୍ତି।
ଯୁବ ଇଞ୍ଜିନିୟର ହିମାଂଶୁ ଭୂଷଣ ମଲ୍ଳିକ୍‌ଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ଦଳ ନୂଆମୁହଁ ଉପରେ ଭରସା କରିଥିବାବେଳେ ପୁରୁଖା ନେତା ଚିରଞ୍ଜୀବ ବିଶ୍ୱାଳ ଓ ତାଙ୍କ ଭାଇ ରଞ୍ଜୀବ ବିଶ୍ୱାଳ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସମେତ ବାପି ସର୍ଖେଲ, ଏଆଇସିସି ମୁଖପାତ୍ର ରାଗିନୀ ନାୟକ, ବରିଷ୍ଠ ନେତା ଗଣେଶ୍ୱର ବେହେରା, ପୂର୍ବତନ ଏମ୍‌ପି ପ୍ରଦୀପ ମାଝୀ ପ୍ରଚାର ମଙ୍ଗ ଧରିଛନ୍ତି। ଇତିମଧ୍ୟରେ ପିସିସି ସଭାପତି ଓ ପ୍ରଭାରୀ ଏ. ଚେଲ୍ଲାକୁମାର ମଧ୍ୟ ହିମାଂଶୁଙ୍କ ପାଇଁ ପ୍ରଚାର କରିଛନ୍ତି। କିନ୍ତୁ କଂଗ୍ରେସ ଛାଡ଼ି ଭାଜପାରେ ଯୋଗଦେଇଥିବା ରାଜକିଶୋର ହିମାଂଶୁଙ୍କ ଚିନ୍ତା ବଢ଼ାଇଛନ୍ତି। ଏକାଧିକ ଦଳୀୟ ସଙ୍ଗଠକ ରାଜକିଶୋରଙ୍କ ସହ ଭାଜପାରେ ଯୋଗଦେଇଛନ୍ତିି। ଅବଶ୍ୟ ପୁରୁଖା ନେତାମାନେ ବିଭିନ୍ନ ସ୍ଥାନରେ ନିଜ ପୁରୁଣା ସଙ୍ଗଠନକୁ ପୁନର୍ଜୀବନ ଦେବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏହି ବାଣ କାମ ଦେଇ ନ ପାରେ ବୋଲି ଶଙ୍ଖପୁର ଗ୍ରାମର ଶୁଭଶ୍ରୀ ଜେନା କହିଛନ୍ତିି। କଂଗ୍ରେସ ପ୍ରାର୍ଥୀ ହିମାଂଶୁ କହିଛନ୍ତି, ଲୋକଙ୍କ ନିକଟରେ ଆମେ ଥିଲୁ, ଅଛୁ ଓ ରହିବୁ। ନିର୍ବାଚନ ସମୟରେ ବହୁ ନେତା ମନ୍ତ୍ରୀ ଏଠାରେ ଡେରା ପକାଇଛନ୍ତି। କିନ୍ତୁ ସେମାନେ ନିର୍ବାଚନ ପରେ ଚାଲିଯିବେ, ଜନସାଧାରଣ ଏ କଥା ଭଲରେ ଜାଣିଛନ୍ତି। ତେଣୁ ସେମାନେ ନିଜ ପ୍ରାର୍ଥୀ ନିଜେ ବାଛିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri