ଚିହ୍ନ ବଦଳିଲା, ହେଲେ ଗାଡ଼ି ନମ୍ବର ବଦଳିଲା ନାହିଁ

ଧର୍ମଶାଳା,୫ା୬(ଶିବ ପ୍ରସାଦ ମହାନ୍ତି): ରାଜନୀତିରେ ରାଜନେତାମାନେ ନିଜର ଦବଦବା ଦେଖାଇ ଥାଆନ୍ତି। ରାଜ ଉଆସ ପରି ଘର ସାଙ୍ଗକୁ ନାମୀଦାମୀ ଅନେକ ଗାଡ଼ି ମଧ୍ୟ ବ୍ୟବହାର କରିଥାନ୍ତି ସବୁଠୁ ବଡ଼ କଥା ନେତା ମାନେ ଚଏସ୍‌ ନମ୍ବର ସହ ସବୁ ଗାଡ଼ିର ନମ୍ବରଗୁଡ଼ିକ ଏକ ପ୍ରକାର ପରି ବ୍ୟବହାର କରିଥାନ୍ତି । ସେହିପରି ନେତାଙ୍କ ପାଖରେ ଥିବା କୁଜି ନେତା ବା କର୍ମୀମାନେ ମଧ୍ୟ ନେତାଙ୍କ ଚଏସ୍‌ ଗାଡ଼ି ନମ୍ବର ସହ ନିଜର ଗାଡ଼ିଗୁଡ଼ିକ ନମ୍ବରକୁ ସମାନ କରି ଗାଡ଼ିଗୁଡିକୁ ବ୍ୟବହାର କରିଥାନ୍ତି। ଏହାଦ୍ୱାରା ସେ ମନ୍ତ୍ରୀ ଓ ବିଧାୟକଙ୍କ ପାଖ ଲୋକ ବୋଲି ନିଜର ପରିଚୟ ସୃଷ୍ଟି କରନ୍ତି ବୋଲି ସେମାନଙ୍କ ବିଶ୍ୱାସ ରହିଥାଏ।
ଏହା ପାଇଁ ଆର୍‌ଟିଓରେ ମଧ୍ୟ ଅଧିକ ଟଙ୍କା ଦିଆଯାଉଥିବା ଶୁଣିବାକୁ ମିଳୁଛି। ଏହି କ୍ରମରେ ଦୀର୍ଘବର୍ଷ ହେବ ସବୁ କିଛି ଚାଲି ଆସୁଥିଲା। ନିର୍ବାଚନ ପ୍ରଚାର ପ୍ରସାର ସମୟ ହେଉ ଅବା ସଭା ସମିତି ସମୟରେ ସମାନ ନମ୍ବର ବିଶିଷ୍ଟ ନାମୀଦାମୀ ଗାଡ଼ିଗୁଡ଼ିକ ନଜରକୁ ଆସିଥାଏ। କିନ୍ତୁ ଦୀର୍ଘ ୨୪ବର୍ଷ ପରେ ରାଜ୍ୟରେ ସରକାର ବଦଳିଛି ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଦଳ ପରିବର୍ତ୍ତନ ହୋଇଛି। ବିଶେଷ ଭାବରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ମଧ୍ୟ ପରିବର୍ତ୍ତନ ହୋଇଛି। ସାରା ରାଜ୍ୟରେ ଚର୍ଚ୍ଚାରେ ଥିବା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଅନେକ କିଛି ପରିବର୍ତ୍ତନ ହୋଇଛି। ସେହି କ୍ରମରେ ବର୍ତ୍ତମାନ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳୁଛି। ଅନ୍ୟ ଦଳର କୁଜି ନେତା ବା କର୍ମୀମାନେ ମଧ୍ୟ ଦଳ ପରିବର୍ତ୍ତନ କରି ନୂଆ ବିଧାୟକଙ୍କ ଶିବିରରେ ସାମିଲ ହୋଇଛନ୍ତି। ଯାହା ଫଳରେ ଭାଜପା ଟୋପି ଉତ୍ତରୀୟ ସାଙ୍ଗକୁ ବେକରେ ଗାମୁଛା ଖଣ୍ଡେ ଖଣ୍ଡେ ପକାଇ ସଭା ସମିତି ସମୟରେ ନୂଆ ରୂପରେ ନଜର ଆସୁଛନ୍ତି। କିନ୍ତୁ ସବୁଠୁ ବଡ଼ କଥା ନିଜେ ପରିବର୍ତ୍ତନ ହୋଇ ଗଲେ କିନ୍ତୁ ଗାଡ଼ିଗୁଡ଼ିକ ଏବେବି ଅପରିବର୍ତ୍ତନ ରହିଛି। ଗାଡ଼ିରେ ବସି ଯିବା ସମୟରେ ଚିହ୍ନ ବଦଳାଇଲେ କିନ୍ତୁ ଗାଡ଼ିର ନମ୍ବରଗୁଡ଼ିକ ବଦଳି ପାରିଲା ନାହିଁ ବରଂ ଦିନ ଚାଲିଗଲା ଚିହ୍ନ ରହିଗଲା ବୋଲି ଲୋକେ ଆଲୋଚନା କରୁଛନ୍ତି।

Dharitri – Odisha’s No.1 Odia Daily

Share