ଚମକ ଚାଲିଯାଇଛି

ଆମେରିକୀୟ ସାମ୍ବାଦିକ ବବ୍‌ ଉଡ୍‌ୱାର୍ଡ (ଓ୍ବାଟରଗେଟ ଦୁର୍ନୀତିର ରିପୋର୍ଟ ପାଇଁ ପ୍ରସିଦ୍ଧ) ବିଲ୍‌ କ୍ଲିଣ୍ଟନ୍‌ଙ୍କ ପରଠାରୁ ଆମେରିକାର ରାଷ୍ଟ୍ରପତିମାନଙ୍କ କାର୍ଯ୍ୟକାଳ ଏବଂ ଘଟଣାଗୁଡ଼ିକ ବିଷୟରେ ବହି ଲେଖିଆସୁଛନ୍ତି। ଭାରତେରେ ରାଜଦୀପ ସର୍ଦ୍ଦେଶାଇ ସମାନ କାର୍ଯ୍ୟ କରୁଛନ୍ତି ଏବଂ ଗତ ତିନିଟି ଲୋକ ସଭା ଉପରେ ବହି ଲେଖି ଆସିଛନ୍ତି। ସେ ୨୦୧୪ ଏବଂ ୨୦୧୯ ନିର୍ବାଚନ ଉପରେ ରିପୋର୍ଟ ପ୍ରସ୍ତୁତ କରିବା ସହ ପୁସ୍ତକ ଲେଖିଛନ୍ତି ଏବଂ ଏବେ ସେ ‘୨୦୨୪: ନିର୍ବାଚନ ଯାହା ଭାରତକୁ ଆଶ୍ଚର୍ଯ୍ୟ କରିଛି’ ଶୀର୍ଷକ ଏକ ବହି ପ୍ରକାଶ କରିଛନ୍ତି। ସ୍ବାଭାବିକ ଭାବରେ ନିର୍ବାଚନ ପ୍ରଚାର ବିଷୟରେ ପୁସ୍ତକ ଲେଖାଯାଇଥିଲେ ମଧ୍ୟ ଏଥିରେ କୋଭିଡ୍‌ ମହାମାରୀ ଏବଂ ଏହାର ପରିଚାଳନାଗତ ଅପାରଗତା ଉପରେ ଏକ ଅଧ୍ୟାୟ ଅଛି। ଆଉ ଏକ ଅଧ୍ୟାୟ କୃଷକଙ୍କ ଆନ୍ଦୋଳନ ଉପରେ ରହିଛି। ସମ୍ଭବତଃ ମୋଦି ସରକାରଙ୍କ ଅବନତି ୨୦୧୯ ମସିହାର ଶେଷ ଭାଗରେ ଶାହିନ ବାଗ ଆନ୍ଦୋଳନରୁ ଆରମ୍ଭ ହୋଇ ୨୦୨୧ ଶେଷଭାଗରେ କୃଷକଙ୍କ ନିକଟରେ ଆତ୍ମସମର୍ପଣ କରିବାବେଳେ ଶୀର୍ଷରେ ପହଞ୍ଚତ୍ଥିବା ଲକ୍ଷ୍ୟ କରାଯାଏ। ବହିର ଶେଷଭାଗରେ ଆକର୍ଷଣୀୟ ବିଷୟ ରହିଛି, ଯେଉଁଥିରେ ସର୍ଦ୍ଦେଶାଇଙ୍କୁ ବାରମ୍ବାର ପଚରା ଯାଉଥିବା ପ୍ରଶ୍ନର ଉତ୍ତର ସେ ଦେଇଛନ୍ତି। ସେଥିମଧ୍ୟରୁ ତିନୋଟି ବିଷୟ ଆଲୋଚନା କରିବା। ପ୍ରଥମଟି ହେଉଛି: ମୋଦି ଯୁଗ ଧୀରେ ଧୀରେ ଶେଷ ହୋଇ ଆସୁଛି କି? କିଛି କାରଣ ପାଇଁ ଉତ୍ତରରେ ସର୍ଦ୍ଦେଶାଇ ନା କହିଛନ୍ତିି। ଏହା ବୁଝିବା ଜରୁରୀ ଯେ, ଏହି ପ୍ରଶ୍ନ ଉପରେ ତାଙ୍କ ଦୃଷ୍ଟିକୋଣ ଭିନ୍ନ ଏବଂ ତାହା ହେଉଛି, ମୋଦି କ୍ଷମତାରୁ ଚାଲିଯାଉଛନ୍ତି କି? ସେ ଲେଖିଛନ୍ତି ଯେ, ଦୃଢ଼ ପ୍ରତିବଦ୍ଧତା ଏବଂ କ୍ଷମତାରେ ରହିବା ପାଇଁ ଯାହା ଆବଶ୍ୟକ ତାହା କରିବାକୁ ପ୍ରସ୍ତୁତ ଭଳି ମନୋଭାବ ଯୋଗୁ ମୋଦି ତାଙ୍କ ତୃତୀୟ କାର୍ଯ୍ୟକାଳ ପୂରଣ କରିବେ। ଏହାର ଏକ ସଙ୍କେତ ଭାବରେ ଲାଟେରାଲ ନିଯୁକ୍ତି ସମେତ ନୀତିରେ ମୋଦି ପଛକୁ ହଟିବା ସ୍ଥିତିକୁ ସେ ସୂଚିତ କରିଛନ୍ତି। ମୋଦିଙ୍କ ‘ସହଯୋଗୀ’ ଅର୍ଥାତ୍‌ ଚନ୍ଦ୍ରବାବୁ ନାଇଡୁଙ୍କ ଭଳି ତାଙ୍କୁ ସରକାରରେ ସମର୍ଥନ କରୁଥିବା ବ୍ୟକ୍ତିଙ୍କ ଆଞ୍ଚଳିକ ଏଜେଣ୍ଡାଗୁଡ଼ିକ ରହିଛି ଏବଂ ସେମାନଙ୍କ ବ୍ୟବସ୍ଥାକୁ ଅସ୍ଥିର କରିବାକୁ ସେମାନେ ଚାହୁଁନାହାନ୍ତି। ଏହାବାଦ୍‌ ସଫଳତାର ଆଉ ଏକ ସୁଯୋଗ ଅଛି। ସର୍ଦ୍ଦେଶାଇ କହିଛନ୍ତି ଆର୍‌ଏସ୍‌ଏସ୍‌ ସ୍ବୀକାର କରେ ଯେ, ମୋଦି ଭାଜପାଠାରୁ ଅଧିକ ଲୋକପ୍ରିୟ (ସର୍ଭେ ଅନୁଯାୟୀ)। ଚାରି ଜଣ ଭୋଟରଙ୍କ ମଧ୍ୟରୁ ଜଣେ କହନ୍ତି ଯେ, ସେମାନେ ମୋଦି ପାଇଁ ପାର୍ଟିକୁ ଆସିଛନ୍ତି। ଏହି ଅନୁପାତ ୨୦୧୯ ତୁଳନାରେ ହ୍ରାସ ପାଇଛି ଓ ସେତେବେଳେ ପ୍ରତି ତିନି ଜଣରେ ଜଣେ ଏହି କଥା କହୁଥିଲେ। ଏବେ ଆଭ୍ୟନ୍ତରୀଣ ଝଗଡ଼ା ନ ଥିବାରୁ ମୋଦି ତାଙ୍କ ୭୫ତମ ଜନ୍ମଦିନ (ବର୍ଷକରୁ କମ୍‌ ସମୟ ଅଛି) ପରେ ମଧ୍ୟ ଶାସନ ଜାରି ରଖିବେ। ଦ୍ୱିତୀୟ ପ୍ରଶ୍ନଟି ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ରହିଛି। ଜଣେ ରାଜନେତା ଭାବେ ରାହୁଲ ଗାନ୍ଧୀ ସରକାର ଚଳାଇବାକୁ ଯୋଗ୍ୟ କି? ଏହି ପ୍ରଶ୍ନର ଉତ୍ତରରେ ସର୍ଦ୍ଦେଶାଇ ହଁ କହିଥିଲେ ବି ସମ୍ପୂର୍ଣ୍ଣ ଏକମତ ହୋଇନାହାନ୍ତି। ସେ କହିଛନ୍ତି, ଅତୀତ ତୁଳନାରେ ଏକ ପରିବର୍ତ୍ତନ ଆସିଛି। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା ଏବଂ ନିର୍ବାଚନ ଫଳାଫଳ ଏବଂ ଏହା ପରେ ସଂସଦରେ ପରିବର୍ତ୍ତନ ଏହାର ପ୍ରମାଣ। ତେବେ କିଛି କାର୍ଯ୍ୟ ବାକି ଅଛି ବୋଲି ସର୍ଦ୍ଦେଶାଇ ଲେଖିଛନ୍ତି ଏବଂ ରାଜ୍ୟ ନିର୍ବାଚନରୁ ଗାନ୍ଧୀଙ୍କ ନେତୃତ୍ୱର ପରାକାଷ୍ଠା ଏବଂ ଦକ୍ଷତା ବିଷୟରେ ଅଧିକ ଜଣାପଡ଼ିବ। ସେ ଉଲ୍ଲେଖ କରିଥିବା ତୃତୀୟ ପ୍ରଶ୍ନ ହେଉଛି: ଗଣତନ୍ତ୍ର ମୋଦି ଯୁଗରେ ତିଷ୍ଠି ରହିବ କି? ଏହାର ଉତ୍ତରରେ ଲେଖକ ଦୁଇଟି ବିଷୟକୁ ମାନକ ଭାବରେ ଆଲୋଚନା କରିଛନ୍ତି। ପ୍ରଥମେ ଅର୍ଥନୈତିକ ବିକାଶର ବ୍ୟାପକ ଦୁର୍ବଳତା ଏବଂ ଦ୍ୱିତୀୟରେ ମୋଦିଙ୍କ ଶାସନରେ ଏକଚ୍ଛତ୍ରବାଦ ଆଡ଼କୁ ଗତି କରିବା। ଯଦି ପ୍ରଶ୍ନର ଉତ୍ତର ‘ହଁ’ ହେବ, ତେବେ ଉଭୟଙ୍କୁ ଦୂର କରାଯିବା ଆବଶ୍ୟକ।
ସର୍ଦ୍ଦେଶାଇ ଯାହା କହିଛନ୍ତି ସେସବୁ ସାଧାରଣ କଥା। ଆଉ ଏକ ଉପାୟରେ ମୋଦିଯୁଗ ଏବଂ ଏହା ଶେଷ ହେଉଛି କି ନାହିଁ ତାହାର ଉତ୍ତର ଦିଆଯାଇପାରେ। ବାସ୍ତବରେ ଯୁଗର ଅର୍ଥ କ’ଣ ଥିଲା? ଏହା ଏକ ସମୟ ବା ଦଶନ୍ଧି, ଯେଉଁଥିରେ ବ୍ୟକ୍ତିଗତ ଭାବରେ ଜଣେ ଏକ ପରିବର୍ତ୍ତନ ଆଣି ଯାହା ହୋଇ ପାରି ନ ଥିଲା ସେସବୁ କରନ୍ତି ବୋଲି ଦାବି କରୁଥିଲେ। ଗତ ଦଶନ୍ଧିର ଏକ ବାସ୍ତବ ମୂଲ୍ୟାଙ୍କନ ଦେଖିଲେ ଜଣାଯାଏ ଯେ, ଏହି ଦାବି ଅସତ୍ୟ ଏବଂ ଏହାର ପ୍ରଭାବ କିଛି ନାହିଁ। ୨୦୧୪ ତୁଳନାରେ ଆଜି ଅଧିକାଂଶ ଭାରତୀୟଙ୍କ ଜୀବନ ମଧ୍ୟ ଭିନ୍ନ ନୁହେଁ। ସଂସଦରେ ପଶ୍ଚାତ୍‌ଗତିରୁ ଏହା ଦେଖାଯାଇଛି ଯେ, ମୋଦିଙ୍କ କ୍ଷମତା ସୀମିତ। ସେ ୨୪୦ଜଣ ସାଂସଦଙ୍କୁ ନେଇ ଏଚଚାଟିଆ ଭାବେ କିଛି କରିପାରିବେ ନାହିଁ। ସେ ଆଉ ସ୍ବତନ୍ତ୍ର ଏବଂ ଅନନ୍ୟ ବୋଲି ଦାବି କରିବାର କୌଣସି ପ୍ରଶ୍ନ ନାହିଁ। ବିମୁଦ୍ରୀକରଣ ଓ ଲକ୍‌ଡାଉନ ସମ୍ପର୍କରେ କ୍ୟାବିନେଟ୍‌ ନ ଜାଣିପାରିବା ମୋଦିଙ୍କ ଏଜେନ୍ସି ‘ମାଷ୍ଟରଷ୍ଟ୍ରୋକ୍‌’ କହୁଥିଲେ। ଏବେ ତାହା ଆଉ ଶୁଣାଯାଉନାହିଁି। ସହଯୋଗୀମାନଙ୍କୁ ନିୟନ୍ତ୍ରଣ କରିବା ତଥା କୌଣସି ଆଭ୍ୟନ୍ତରୀଣ ମତଭେଦ ନ ହେବା ପାଇଁ ବହୁ ସମୟ ଓ ଶକ୍ତି ବିନିଯୋଗ କରାଯାଉଛି ଏବଂ ଆଗକୁ ହେବ ବୋଲି ସର୍ଦ୍ଦେଶାଇ ଉଲ୍ଲେଖ କରିଛନ୍ତି। ସେ ଏବେ ଆଉ ଏକ ପ୍ରକାର ରାଜନେତା ଏବଂ ସର୍ବେସର୍ବାର ଚମକ ସବୁଦିନ ପାଇଁ ଚାଲିଯାଇଛି। ସର୍ଦ୍ଦେଶାଇ ଉଲ୍ଲେଖ କରିଥିବା କାରଣଗୁଡ଼ିକ ପାଇଁ ସମ୍ଭବତଃ ସେ ଏହି ପାଳିର ଅବଶିଷ୍ଟ ସମୟ କ୍ଷମତାରେ ରହିପାରନ୍ତି। ୨୦୧୪ ଏବଂ ୨୦୧୯ରେ ଲୋକମାନେ ତାଙ୍କୁ ଯାହା ଭାବିଥିଲେ, ସେହି ସ୍ତରରେ ସେ ଅଛନ୍ତି ବୋଲି ମନେକଲେ ମୋଦି କ୍ଷମତାରେ ରହିପାରିବେ ନାହିଁ। ମନେରଖିବାକୁ ହେବ ଯେ, ଆମେ ନିୟମିତ ରାଜନୀତିର ଏକ ସମୟକୁ ଫେରିଛୁ। ଆମେ ୫୦ ଲକ୍ଷ ଲୋକଙ୍କୁ କିଭଳି ଦାରିଦ୍ର୍ୟରୁ ସମୃଦ୍ଧି ପଥକୁ ନେବା ଏବଂ ଏକ ସମୟରେ ଅନେକ କୋଟି ନିଯୁକ୍ତି ସୃଷ୍ଟି କରିବା ତାହା ଉପରେ ଗୁରୁତ୍ୱ ଦେବା। ପୂର୍ବାପେକ୍ଷା ଏହା ଏବେ ଅଧିକ କଷ୍ଟ ହୋଇଥିଲେ ମଧ୍ୟ ଆମେ ହାସଲ କରିପାରିବା। ଯଦି ଆମେ ଏହା କରିବାକୁ ସକ୍ଷମ ହେବା, ତେବେ ଏହା ହେବ ଗଣତନ୍ତ୍ରର ସର୍ବୋତ୍ତମ ସଫଳତା।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେବଳ ଶିକ୍ଷାଦାନରେ ସୀମିତ ନ ରହି ସ୍କୁଲର କଳେବର ବଦଳାଇବାରେ ପ୍ରମୁଖ ଭୂମିକା ନେଇଛନ୍ତି ମଧ୍ୟପ୍ରଦେଶର ଜଣେ ଶିକ୍ଷକ। ରାଜଗଡ଼ର ମୋହନପୁର କଲୋନୀରେ ଥିବା ଇଣ୍ଟିଗ୍ରେଟେଡ...

ବନରୁ ଜୀବନ

ପରିବର୍ତ୍ତନର ବିରାଟ କଳାବାଦଲ ଆଜି ସାରା ବିଶ୍ୱର ଭାଗ୍ୟାକାଶକୁ ଆଚ୍ଛାଦିତ କରିଛି। କ୍ରମାଗତ ବୃଦ୍ଧି ପାଉଥିବା ତାପମାତ୍ରା, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦେଖିବାକୁ ମିଳିଛି। ପରିବେଶ...

ଟ୍ରମ୍ପଙ୍କ ହିସାବ

ଜାନୁଆରୀ ୨୦ରେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ନେବେ । ଏହି ସମାରୋହକୁ ସେ କେତୋଟି ହାତଗଣତି ଦେଶର ମୁଖ୍ୟତଃ ଦକ୍ଷିଣପନ୍ଥୀ...

ସମୟର ସ୍ବରୂପ

କେବେ ଭାବିଛନ୍ତି, ଯଦି ସମୟକୁ ରୋକି ହୁଅନ୍ତା ଆଉ ପୁଣି ବିଗତ ସମୟକୁ ଫେରେଇ ଆଣି ହୁଅନ୍ତା, ଏ ସାରା ସଂସାରଟା କେତେ ବିଚିତ୍ର ଲାଗନ୍ତା...

ଏଇ ଭାରତରେ

୧୪ ବର୍ଷ ବୟସରେ ବାହା ହୋଇଥିଲେ ତାଙ୍କଠାରୁ ତିନିଗୁଣ ଅଧିକ ବୟସର ବ୍ୟକ୍ତିଙ୍କୁ। ସେ ମା’ ହେଲେ ୧୫ ବର୍ଷରେ। ବାଲ୍ୟ ବିବାହର ଯନ୍ତ୍ରଣାକୁ ଅତି...

ଭୂତଳ ଜଳ ଜହର

ଦେଶର ଭୂତଳ ଜଳ ଓ ଏହାର ଗୁଣ ନେଇ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ(ସିଜିଡବ୍ଲ୍ୟୁବି)ର ବାର୍ଷିକ ମୂଲ୍ୟାୟନ ରିପୋର୍ଟରେ ଯେଉଁ ତଥ୍ୟ ପ୍ରକାଶ ପାଇଛି, ତାହା...

ସାଂସ୍କୃତିକ ସମର ଓ ସେନାପତି ଫକୀରମୋହନ

ସାଂସ୍କୃତିକ ଜାଗରଣର ଅଗ୍ରଦୂତ ଫକୀରମୋହନ ସେନାପତି। ଭାଷା ସୁରକ୍ଷା ଆନ୍ଦୋଳନର କର୍ଣ୍ଣଧାର। କେନ୍ଦ୍ରାପଡ଼ାର କୁଶିନ୍ଦା ଗ୍ରାମରୁ ଆସି ବାଲେଶ୍ବର ଜିଲାର ମଲ୍ଲିକାଶପୁରରେ ସ୍ଥାୟୀ ଭାବରେ ରହୁଥିଲେ...

କାନି ବା ହାତ ଧରନି

ସ୍ବାମୀ ଓ ସ୍ତ୍ରୀ ପରସ୍ପର ସହମତିରେ ବିବାହ ବିଚ୍ଛେଦ ପାଇଁ ଦାୟର କରିଥିବା ମାମଲା ବିଚାରାଧୀନ ଥିବା ସମୟରେ ଦମ୍ପତିଙ୍କ ମଧ୍ୟରୁ ଜଣେ ଯେକୌଣସି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri