ଏବେ ହସ୍ପିଟାଲ୍‌ ଦାୟିତ୍ୱ ସମ୍ଭାଳିବେ ଏସ୍‌ଏଚ୍‌ଜି ମହିଳା

ଭୁବନେଶ୍ୱର,୧୬ା୫(ବ୍ୟୁରୋ): ମିଶନ୍‌ ଶକ୍ତି ଅନ୍ତର୍ଗତ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସଦସ୍ୟାଙ୍କୁ ଅଧିକ ସଶକ୍ତ କରିବାକୁ ଯାଇ ରାଜ୍ୟ ସରକାର ପୁଣି ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ଥିବା ହସ୍ପିଟାଲ୍‌ଗୁଡ଼ିକରେ ଏସ୍‌ଏଚ୍‌ଜି ମହିଳାମାନଙ୍କୁ ସରକାର ନୂଆ ଦାୟିତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ଏସ୍‌ଏଚ୍‌ଜି ମହିଳା ସଦସ୍ୟାଙ୍କୁ ଆଉ ୧୩ଟି ନୂତନ କାର୍ଯ୍ୟ ହସ୍ତାନ୍ତର କରାଯିବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଥିପାଇଁ ଖସଡ଼ା ପ୍ରସ୍ତୁତ ହୋଇଛି। ହସ୍ପିଟାଲ୍‌ରେ ଡାଏଟ୍‌ ମ୍ୟାନେଜମେଣ୍ଟ, ହାଉସ୍‌କିପିଂ, ହେଲ୍ପଡେସ୍କ ପରିଚାଳନା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ସଚେତନତା ସୃଷ୍ଟି, ମହାପ୍ରୟାଣ ଗାଡ଼ି ପରିଚାଳନା ଆଦି ୧୩ଟି କାର୍ଯ୍ୟରେ ଏସ୍‌ଏଚ୍‌ଜି ସଦସ୍ୟା ନିୟୋଜିତ ହେବେ। ଏନେଇ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ସୁମିତ୍ରା ସେନାପତି ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ ଡିନ୍‌ ଓ ପ୍ରିନ୍ସିପାଲ ଏବଂ ସିଡିଏମ୍‌ଓମାନଙ୍କୁ ରବିବାର ଚିଠି ଲେଖି ଅବଗତ କରାଇଛନ୍ତି। ମିଶନ୍‌ ଶକ୍ତି ଏବଂ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ଗାଇଡ୍‌ଲାଇନ୍‌ ଅନୁସାରେ ଏମାନେ ସରକାରୀ କାର୍ଯ୍ୟରେ ନିୟୋଜିତ ହେବେ। ସୂଚନାଯୋଗ୍ୟ, ପୂର୍ବରୁ ଏସ୍‌ଏଚଜି ସଦସ୍ୟାଙ୍କ ଜୀବିକାରେ ଉନ୍ନତି ଆଣିବା ପାଇଁ ସରକାର ବହୁ ପଦକ୍ଷେପ ନେଇଛନ୍ତି। ଧାନକିଣାଠାରୁ ଆରମ୍ଭ କରି ଗଁା ଗଁାରେ ବ୍ୟାଙ୍କସେବା, ଜଳ ଓ ପରିମଳ ପରିଚାଳନା, ମାଛଚାଷ, ସବୁଠି ସେମାନେ ଦକ୍ଷତା ପ୍ରଦର୍ଶନ କରିଛନ୍ତି।