ରାଜ୍ୟର ୬ ବେଳାଭୂମିରେ ଜମିବ ନାଚ ଗୀତର ଆସର

ଭୁବନେଶ୍ୱର, ୧୨ା୭(ବ୍ୟୁରୋ):ଓଡ଼ିଶା ବେଳାଭୂମିର ରୂପ ବଦଳିବ। ସୌଖୀନ ଖାଦ୍ୟ ସାଙ୍ଗକୁ ନାଚ ଗୀତର ଆସର ଜମିବ। ପର୍ଯ୍ୟଟକମାନେ ମଦ୍ୟପାନ ସହ ନାଚ ଗୀତର ମଜା ନେଇପାରିବେ। ବେଳାଭୂମିକୁ ଏକ ପ୍ରକାର ରଙ୍ଗିନ କରାଯିବା ଲାଗି ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି। ସମୁଦ୍ର ବେଳାଭୂମିକୁ ନେଇ ଏପରି ପରିକଳ୍ପନା କରାଯିବା ସହିତ ଗୋଆ ବିଚ୍‌ ଭଳି ରୂପ ଦେବା ନେଇ ସରକାର ଯୋଜନା କରିଛନ୍ତି। ବେଳାଭୂମିରେ ମୁଖ୍ୟତଃ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଲାଗି ସଙ୍ଗୀତ ସାଙ୍ଗକୁ ସୁସ୍ବାଦୁ ଖାଦ୍ୟ ଏବଂ ମୃଦୁ ପାନୀୟ ବ୍ୟବସ୍ଥା ରହିବ। ରାଜ୍ୟରେ ମୋଟ ୬ଟି ବେଳାଭୂମିରେ ଓଟିଡିସି ପକ୍ଷରୁ ଝୁମ୍ପୁଡି ତିଆରି ଲାଗି ନିଷ୍ପତ୍ତି ହୋଇଛି। ଝୁମ୍ପୁଡି ନିର୍ମାଣ ଲାଗି ଓଟିଡିସି ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଛି। ପୁରୀ-କୋଣାର୍କ ମେରାଇନ ଡ୍ରାଇଭ, ଗଞ୍ଜାମ ଜିଲାର ଗୋପାଳପୁର, ବାଲେଶ୍ୱର ଜିଲା ତାଳସାରି-ଉଦୟପୁର ଏବଂ ଚାନ୍ଦିପୁର, ଜଗତ୍‌ସିଂହପୁର ଜିଲାର ପାରାଦୀପ ଏବଂ ଗଞ୍ଜାମ ଜିଲାର ପାତି ସୋନାପୁର ବେଳାଭୂମିରେ ଏହି ବ୍ୟବସ୍ଥା କରାଯିବ। ଉକ୍ତ ବେଳାଭୂମିରେ ନିର୍ମାଣ ହେବାକୁ ଥିବା ଝୁମ୍ପୁଡିରେ ମଦ ଦୋକାନ ରହିବ। ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଲାଗି ଏହି ବ୍ୟବସ୍ଥା କରାଯିବ। ଯେଉଁମାନେ ସେହିଠାରେ ବସି ମଦ ପିଇ ଖାଇବେ ସେମାନଙ୍କୁ ମଦ ମିଳିବ ବୋଲି ସରକାରଙ୍କ ଜଣେ ଅଧିକାରୀ ସୂଚନା ଦେଇଛନ୍ତି।