କରୋନାରୁ ସୁସ୍ଥ ହେବା ପରେ ହୃଦଘାତ: ଶ୍ରୀମନ୍ଦିର ବରିଷ୍ଠ ଦଇତାପତି ସେବକ ପ୍ରେମାନନ୍ଦଙ୍କ ପରଲୋକ

ପୁରୀ ଅଫିସ,୨୦।୯: ଶ୍ରୀମନ୍ଦିରର ବରିଷ୍ଠ ଦଇତାପତି ସେବକ ପ୍ରେମାନନ୍ଦ ଦାସ ମହାପାତ୍ର(୬୫)ଙ୍କ ପରଲୋକ ହୋଇଯାଇଛି। କିଛି ଦିନ ତଳେ ସେ କରୋନାରୁ ସୁସ୍ଥ ହୋଇ ହୋମ୍‌ ଆଇସୋଲେଶନରେ ରହିଥିଲେ। ରବିବାର ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପରିବାରଲୋକେ ଜିଲା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତାଙ୍କର ହୃଦଘାତରେ ପରଲୋକ ଘଟିଥିବା କୁହାଯାଉଛି। ସ୍ବର୍ଗତ ଦାସ ମହାପାତ୍ର ଶୁଦ୍ଧସୁଆର ନିଯୋଗର ସମ୍ପାଦକ ରହିଥିଲେ। ଏହାପୂର୍ବରୁ ୨୦ ବର୍ଷ ଧରି ଦଇତାପତି ନିଯୋଗର ସମ୍ପାଦକ ମଧ୍ୟ ରହିଥିଲେ। ଏହାଛଡ଼ା ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ଥିଲେ। ତାଙ୍କ ମୃତ୍ୟୁରେ ସମଗ୍ର ସେବାୟତଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର ଗଭୀର ଶୋକ ପ୍ରକାଶ କରିବା ସହ ଏହା ଅପୂରଣୀୟ କ୍ଷତି ବୋଲି ଅବିହିତ କରିଛନ୍ତି।