ସେଲ୍‌ଫି ଜୋନ୍‌ ପାଲଟିଛି ହକି ଷ୍ଟାଚ୍ୟୁ

ରାଉରକେଲା ଅଫିସ,୨।୧: ରାଉରକେଲା ସହରରେ ଆଉ ମାତ୍ର ୧୧ ଦିନ ପରେ ଆରମ୍ଭ ହୋଇଯିବ ବିଶ୍ୱକପ୍‌ ହକି ମହାକୁମ୍ଭ। ଏଥିପାଇଁ ରାଉରକେଲା ସହର ହକିମୟ ହୋଇ ପଡିଥିବାବେଳେ ବିଭିନ୍ନ ସମୟରେ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ଅଞ୍ଚଳରେ ଭିଡ ଲାଗି ରହୁଥିବା ପରିଲକ୍ଷିତ ହୋଇଛି। ବିର୍ସାମୁଣ୍ଡା ଷ୍ଟାଡିୟମ ବାହାରେ ନିର୍ମାଣ ହୋଇଥିବା ହକି ଷ୍ଟାଚ୍ୟୁ ନିକଟରେ ସ୍ବତନ୍ତ୍ର ସେଲ୍‌ଫି ଜୋନ୍‌ ତିଆରି କରାଯାଇଥିବାରୁ ପ୍ରତିଦିନ ସେଠାରେ ଜନସାଧାରଣଙ୍କ ଭିଡ଼ ଲାଗି ରହୁଛି। ବିର୍ସାମୁଣ୍ଡା ଷ୍ଟାଡିୟମ ବାହାରେ ନିବନିର୍ମିତ ବିଶାଳକାୟ ହକି ଷ୍ଟାଚ୍ୟୁ ଓ ଗ୍ରୀନ ଗାଡେନ ସହରବାସୀଙ୍କୁ ବିଶେଷ ଆକର୍ଷିତ କରିଛି। ସନ୍ଧ୍ୟା ହେଲେ ସହରବାସୀ ସପରିବାର ଉକ୍ତ ଷ୍ଟାଚ୍ୟୁ ତଳେ ଫଟୋ ଉଠାଇବା ସହ ଷ୍ଟାଡିୟମ ପରିସର ରୋଡ୍‌ ଓ ପ୍ରସାରଣ ହୋଇଥିବା ନୂତନ ରାଉରକେଲା ବିମାନ ବନ୍ଦର ବାହ୍ୟପାର୍ଶ୍ୱ ଅଞ୍ଚଳର ଉନ୍ନତୀକରଣକୁ ବୁଲି ଦେଖୁଛନ୍ତି। ଉକ୍ତ ଅଞ୍ଚଳ ବହୁ ଦିନ ଧରି ଅଳିଆ ଡମ୍ଫିଂ ୟାର୍ଡ ହୋଇ ପଡିରହିଥିଲା। ହକି ବିଶ୍ୱକପ ପାଇଁ ଏହି ଅଞ୍ଚଳର ଉନ୍ନତୀକରଣ ହେବା ପରେ ସତେ ଯେପରି ସହରବାସୀଙ୍କ ପାଇଁ ଭୂସ୍ବର୍ଗ ପାଲିଟିଛି। ବିଶ୍ୱକପ୍‌ ପାଇଁ ଏହି ସ୍ଥାନରେ ବିରାଟକାୟ ହକି ଷ୍ଟାଚ୍ୟୁ ନିର୍ମାଣକୁ କ୍ରୀଡ଼ାପ୍ରେମୀ ସ୍ବାଗତ କରିଛନ୍ତି।