ଗୋଟିଏ ପରିବାରରୁ ୯୬୭ କୁଇଣ୍ଟାଲ ଧାନ କିଣି ଫଶିଲେ ସମବାୟ ସମିତି ସମ୍ପାଦକ

ଭୁବନେଶ୍ୱର/ଭଣ୍ଡାରିପୋଖରୀ, ୫।୩ : ଧାନକିଣାରେ ଅନିୟମିତତା ଏବଂ ନିର୍ଦ୍ଦେଶାବଳୀର ଉଲ୍ଲଂଘନ ଅଭିଯୋଗରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମାଳଦା ସେବା ସମବାୟ ସମିତି ଭାରପ୍ରାପ୍ତ ସମ୍ପାଦକ ମଦନ ମୋହନ ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଏଥିସହିତ ଉକ୍ତ ସମିତିର ଡାଟାଏଣ୍ଟ୍ରି ଅପରେଟର ଧୀରେନ୍ଦ୍ର କୁମାର ଧଳଙ୍କୁ ବହିଷ୍କୃତ କରାଯାଇଛି। ଭଦ୍ରକ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଯୁଗ୍ମ କମିଟିର ଯାଞ୍ଚ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।
ପ୍ରକାଶ ଯେ, ସମିତି ସମ୍ପାଦକ ସାହୁ ସ୍ଥାନୀୟ ଅଞ୍ଚଳର ଗୋଟିଏ ପରିବାରର ୬ ସଦସ୍ୟଙ୍କ ନାମରେ ଚାଷୀ କାର୍ଡ କରାଇ ୯୬୭ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିଲା। ଏନେଇ ଚାଷୀମାନେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏନେଇ ଜିଲାପାଳ ଏଆର୍‌ସିଏସ୍‌ ଓ ଜିଲା ଯୋଗାଣ ଅଧିକାରୀଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଦୁଇ ଅଧିକାରୀ ମାଳଦା ସମିତିରେ ଧାନକିଣା କାଗଜପତ୍ର ଓ ଚାଷୀ କାର୍ଡ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଧାନ କିଣାରେ ଅନିୟମିତତା ହୋଇଥିବା ଜଣାପଡିିଥିଲା। ଏହି ସଂକ୍ରାନ୍ତରେ ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ରିପୋର୍ଟ ପାଇବା ପରେ ଜିଲାପାଳ କାର୍ଯ୍ୟାନୁଷ୍ଠାନ ପାଇଁ ଏଆର୍‌ସିଏସ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୋସାଇଟି ଆଡ଼ମିନିଷ୍ଟ୍ରେଟର ଅଭିଳାଷ ରଣା ଚିଠି ନଂ. ୧୯/ ୪/୩/୨୧ରେ ସମିତି ସମ୍ପାଦକଙ୍କୁ ନିଲମ୍ବନ କରିଛନ୍ତି।