ଦ୍ୱିତୀୟ ଲହର ଓଡ଼ିଶାରୁ ନେଲାଣି ୨୮ଡାକ୍ତରଙ୍କ ଜୀବନ

ଭୁବନେଶ୍ୱର,୧୨।୬(ବ୍ୟୁରୋ): କରୋନାର ଦ୍ୱିତୀୟ ଲହରରେ ଦେଶରେ ୭୧୯ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ଏଥିରେ ଓଡ଼ିଶାର ୨୮ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ଇଣ୍ଡିଆନ ମେଡିକାଲ ଆସୋସିଏଶନ(ଆଇଏମ୍‌ଏ) ପକ୍ଷରୁ ସୂଚନା ଦିଆଯାଇଛି। ଆଇଏମ୍‌ଏର ସୂଚନା ମୁତାବକ, ବିହାରରେ ସର୍ବାଧିକ ୧୧୧ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଥିବା ବେଳେ ଦିଲ୍ଲୀରେ ୧୦୯, ଉତ୍ତରପ୍ରଦେଶ ୭୯, ପଶ୍ଚିମବଙ୍ଗରେ ୬୩, ରାଜସ୍ଥାନରେ ୪୩, ଝାଡ଼ଖଣ୍ଡ ୩୯, ଗୁଜୁରାଟ ୩୭, ତେଲେଙ୍ଗାନା ୩୬, ଆନ୍ଧ୍ରପ୍ରଦେଶ ୩୫, ତାମିଲନାଡ଼ୁ ୩୨, ଓଡ଼ିଶାରୁ ୨୮ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ପ୍ରଥମ ଲହରରେ ଦେଶରେ ପ୍ରାୟ ୭୪୮ ଡାକ୍ତରଙ୍କ ମୃତ୍ୟୁ ଘଟିଥିବା ଆଇଏମ୍‌ଏ କହିଛି। ତେବେ ଏହିସବୁ ସଂଖ୍ୟା ଆହୁରି ଅଧିକ ହେବ। କାରଣ ଆଇଏମ୍‌ଏ କେବଳ ନିଜ ପଞ୍ଜିକୃତ ପ୍ରାୟ ସାଢ଼େ ୩ଲକ୍ଷ ସଦସ୍ୟକୁ ନେଇ ଅନୁଧ୍ୟାନ କରିଛି। ଦେଶରେ ୧୨ଲକ୍ଷରୁ ଅଧିକ ଡାକ୍ତର କାର୍ଯ୍ୟରତ ଅଛନ୍ତି।