ଦ୍ୱିତୀୟ ଈଶ୍ୱର

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ

ସମସ୍ତ ମାନବୀୟ ଅବିଗୁଣର ଊର୍ଦ୍ଧ୍ୱରେ ଥିବା ସତ୍ତାର ନାମ ବୋଧହୁଏ ଈଶ୍ୱର। ଈଶ୍ୱର ଚିରକାଳ ମଙ୍ଗଳମୟ। ତାଙ୍କୁ ମାନୁଥିବା କି ଅବଜ୍ଞା କରୁଥିବା, ତାଙ୍କୁ ଭକ୍ତି କରୁଥିବା ବା ଗାଳି ଦେଉଥିବା ସମସ୍ତଙ୍କ ପାଇଁ ସେ ସମ ପରିମାଣରେ ଉଦାର ବୋଲି ତ ତାଙ୍କ ନାମ ଈଶ୍ୱର। ଅନ୍ୟପକ୍ଷରେ, ମଣିଷଟିଏ ଜନ୍ମରୁ ସ୍ବାର୍ଥପର। ନିଚ୍ଛକ ସ୍ବାର୍ଥ ହିଁ ସଦାସର୍ବଦା ତା’ ଜୀବନକୁ ନିୟନ୍ତ୍ରିତ କରୁଥାଏ। ତା’ର ପ୍ରଶଂସା ଗାଉଥିବା ଲୋକଙ୍କୁ ସେ ସୁଖ ପାଏ ଓ ତା’ର ନିନ୍ଦୁକମାନଙ୍କୁ ସେ ନିଜ ଲୋକ ବୋଲି ଗ୍ରହଣ କରିପାରେନା। ଆଖିରୁ ସ୍ବାର୍ଥପରତାର ଚଷମା ଉତାରି ଜଗତକୁ ଚିହ୍ନିବାକୁ ଅସମର୍ଥ ହୁଏ ବୋଲି ମଣିଷ ଚିରକାଳ ଅସମ୍ପୂର୍ଣ୍ଣ। ଆଉ ନିନ୍ଦା, ପ୍ରଶଂସା, ଶତ୍ରୁ-ମିତ୍ର ନିର୍ବିଶେଷରେ ସମଗ୍ର ସୃଷ୍ଟିକୁ ସମାନ ଭାବରେ ଦେଖୁଥିବା ଭଳି ଦିବ୍ୟଗୁଣର ଅଧିକାରୀ ହୋଇଥିବାରୁ ଈଶ୍ୱର ସ୍ବୟଂସମ୍ପୂର୍ଣ୍ଣ।
ଏମିତି ଯେଉଁ ଈଶ୍ୱର, ସେ କିନ୍ତୁ ସଦାକାଳ ଅଦୃଶ୍ୟ, ଅପ୍ରକଟିତ। ତାଙ୍କ ଐଶ୍ୱରୀୟ ଚେତନା କେବଳ ମଣିଷର ବିଶ୍ୱାସରେ ହିଁ ଉପଲବ୍ଧ। ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ଅବତାର ନେଇ ସେ ଧରାପୃଷ୍ଠରେ ଆବିର୍ଭୂତ ହୁଅନ୍ତି ବୋଲି ଯେଉଁ କଥା ପୌରାଣିକ ଉପାଖ୍ୟାନମାନଙ୍କରେ ବର୍ଣ୍ଣିତ ହୋଇଆସିଛି, ତାହା ମଧ୍ୟ ଏକ ବିଶ୍ୱାସର ବସ୍ତୁ। ତେବେ ଏହି ପ୍ରଥମ ଈଶ୍ୱରଙ୍କ ଅସ୍ତିତ୍ୱ ବିଶ୍ୱାସର ଚାରିକାନ୍ଥ ମଧ୍ୟରେ ଅବରୁଦ୍ଧ ହୋଇ ରହିଥିବା ବେଳେ ଆମ ମଣିଷମାନଙ୍କ ମଧ୍ୟରୁ କେତେକ ଦ୍ୱିତୀୟ ଈଶ୍ୱର ରୂପେ ମାନ୍ୟତା ଅର୍ଜନ କରି ସଶରୀର ଏହି ସଂସାରରେ ଆତଯାତ ହୁଅନ୍ତି। ଈଶ୍ୱରଙ୍କ ଭଳି ଏମାନେ ମଧ୍ୟ ସତତ ମଙ୍ଗଳମୟ। ଶତ୍ରୁ ହେଉ କି ମିତ୍ର, ଧନୀ ଅବା ଗରିବ, ସମସ୍ତଙ୍କ ମଙ୍ଗଳ ପାଇଁ ସମର୍ପିତ ଏମାନଙ୍କ ବୃତ୍ତି ଓ ବ୍ୟକ୍ତିତ୍ୱ, ଶକ୍ତି ଓ ସାମର୍ଥ୍ୟ। ଏଥିପାଇଁ ଏମାନେ ନମସ୍ୟ।
ଏଇ ଦ୍ୱିତୀୟ ଈଶ୍ୱରଙ୍କ ଅନ୍ୟ ନାମ ଡାକ୍ତର। ଈଶ୍ୱର ସିନା ଶରୀରଟିଏ ସୃଷ୍ଟି କରି ସଂସାରକୁ ପଠାଇଥାନ୍ତି, ମାତ୍ର ସେଇ ଶରୀରର ସୁଷମ ପରିପୁଷ୍ଟିର ଦାୟିତ୍ୱ ଯେଉଁ ବିଶାରଦମାନଙ୍କର, ସେମାନେ ଈଶ୍ୱରଙ୍କଠାରୁ କମ୍‌ ମହାନ୍‌ ନୁହନ୍ତି। ନାନା ରୋଗ, ବ୍ୟାଧି, ଶାରୀରିକ ଘାତ ପ୍ରତିଘାତରେ ଘାଣ୍ଟି ହୋଇ ମାନବ ଶରୀର ଯେତେବେଳେ ତୀବ୍ର ଦହନରେ ଜଳୁଥାଏ, ସେତେବେଳେ ତହିଁରେ ନିଜ ଧନ୍ବନ୍ତରୀ ହାତର ଶୀତଳ ଚନ୍ଦନ ବୋଳି ଜ୍ୱଳନମୁକ୍ତ କରୁଥିବା ଡାକ୍ତରମାନେ ପାଲଟିଯା’ନ୍ତି ଜଣେ ଜଣେ ପ୍ରତ୍ୟକ୍ଷ ଈଶ୍ୱର। ସାମାନ୍ୟ କିଛି ଅର୍ଥ ବିନିମୟରେ ଏଇ ଈଶ୍ୱରତ୍ୱ କିଣାଯାଏ ବୋଲି ଉପରକୁ ପ୍ରତୀୟମାନ ହୁଏ ସିନା, ବାସ୍ତବରେ ବ୍ୟାଧିମୁକ୍ତ ମଣିଷର କୃତଜ୍ଞ ଅନ୍ତରରୁ ଯେଉଁ ମୁଗ୍‌ଧ ଆଶ୍ୱସ୍ତି ଟିକକ ଝରିପଡ଼େ ଓଠର ହସ ଓ ଆଖିର ଲୁହ ହୋଇ, ତାହା ହିଁ ଏହି ଈଶ୍ୱରଙ୍କ ପାଇଁ ପ୍ରକୃତ ଭକ୍ତି ନୈବେଦ୍ୟ।
ଅଥଚ ବିଡ଼ମ୍ବନାର ବିଷୟ ଏହା ଯେ ଏହି ଈଶ୍ୱରମାନଙ୍କ ମଧ୍ୟରୁ କେତେକ ସେମାନଙ୍କ ଦିବ୍ୟ ଈଶ୍ୱରତ୍ୱ ପାସୋରି ପକାଇ ପାଲଟିଯାଆନ୍ତି ରାକ୍ଷସଠୁ ବଳି ଆହୁରି ଇତର, ଆହୁରି ପାମର। ପୁଳାଏ ଅର୍ଥ ଅର୍ଜନ କରିବାର ଅଭିଳାଷ ଅହରହ ଏମାନଙ୍କୁ ଏମିତି ଉଚ୍ଚାଟ କରେ ଯେ ନିଜ ଅଜାଣତରେ ଏମାନେ ଅର୍ଥମୋହ ଭଳି ଏକ ଉତ୍କଟ ବ୍ୟାଧିରେ ଆକ୍ରାନ୍ତ ହୋଇପଡ଼ନ୍ତି। ପରିଣାମ ହୁଏ ଅତ୍ୟନ୍ତ ଭୟାବହ। ଥରେ ଏ ରୋଗ ଆକ୍ରମଣ କଲେ ସହଜରେ ଏଥିରୁ ନିସ୍ତାର ମିଳେନା। ବହୁ କଠୋର ସାଧନାର ସିଦ୍ଧି ସ୍ବରୂପ ଯେଉଁ ଈଶ୍ୱରତ୍ୱ ଉପଲବ୍ଧି ହୋଇଥାଏ, ଅର୍ଥରୋଗର ଆକ୍ରମଣରେ ସେଇ ଦିବ୍ୟ ଉପଲବ୍ଧି ଅକାଳରେ ଅପସରିଯାଏ। ବଦଳରେ ନିଜ ଭିତରେ ଥିବା ମୂଳ ମଣିଷଟିକୁ ନିକାଲି ଦେଇ କାୟା ବିସ୍ତାର କରେ ଅର୍ଥଲୋଲୁପ ଭୟଙ୍କର ଅସୁରଟିଏ, ଯିଏ ଯାବତୀୟ ଆସୁରିକ ଆଚରଣରେ ପୁରାଣର କଂସ ଓ ରାବଣଙ୍କୁ ମଧ୍ୟ ପଛରେ ପକାଇଦିଏ। କେଉଁଠି ଗରିବ ରୋଗୀଟି ପାଖରୁ ପାଉଣା ନ ପାଇ ପ୍ରଚଣ୍ଡ କ୍ରୋଧରେ ଲେଖିଥିବା ପ୍ରେସ୍‌କ୍ରିପ୍‌ସନ୍‌କୁ ଚିରିପକାଏ ବା ପର୍ଯ୍ୟାପ୍ତ ଟଙ୍କା ନ ମିଳିଲେ ଅପରେସନ୍‌ ଟେବୁଲ ଉପରେ ଶୋଇଥିବା ମୁମୂର୍ଷୁ ରୋଗୀର ନିଶ୍ଚେତ ଶରୀରରୁ କିଡ୍‌ନୀ କାଢ଼ିଆଣି ଚଢ଼ା ଦାମ୍‌ରେ ବିକି ଦେଇପାରେ। ଆଃ, ଅର୍ଥାସୁରର କି ଅତ୍ୟାଚାର !
ଜନଗଣଙ୍କ ବିଶ୍ୱାସରେ ଦ୍ୱିତୀୟ ଈଶ୍ୱର ରୂପେ ବିବେଚିତ ହୋଇ ଅର୍ଥମୋହରେ ଆସ୍ତେ ଆସ୍ତେ ଅସୁର ପାଲଟି ଯାଉଥିବା ଡାକ୍ତରମାନଙ୍କ ଦୃଷ୍ଟାନ୍ତର ଦୁର୍ଭାଗ୍ୟପୂର୍ଣ୍ଣ ଦୃଶ୍ୟପଟ ଯେତେ ଦୁଃଖଦାୟକ ହେଲେ ବି ସାଂପ୍ରତିକ ଭୋଗବାଦୀ ସମାଜରେ ଆସ୍ତେ ଆସ୍ତେ ଏହାର ସଂଖ୍ୟା ବଢ଼ିବାରେ ଲାଗିଛି। ବସ୍ତୁବାଦୀ ଆଧୁନିକ ଜୀବନର ଆହ୍ବାନରେ ଅର୍ଥଲାଳସାର ବଶବର୍ତ୍ତୀ ହୋଇ ବିଭିନ୍ନ ବୃତ୍ତିର ବହୁ ଲୋକ ଯେତେବେଳେ ପରସ୍ପରକୁ ଅତିକ୍ରମ କରି ଆଗକୁ ଯିବା ପାଇଁ ତତ୍ପର, ସେତେବେଳେ ନିଜ ନିଜକୁ ଈଶ୍ୱର ମନେକରି ଡାକ୍ତରମାନେ ପଛରେ ପଡ଼ିରହନ୍ତେ ବା କାହିଁକି ! ଆଧୁନିକ ଜୀବନଚର୍ଯ୍ୟାରେ ଯାବତୀୟ ଆବଶ୍ୟକତାକୁ ପୂରଣ କରିବାକୁ ଶୁଖିଲା ଈଶ୍ୱରତ୍ୱର ବା ସାମର୍ଥ୍ୟ କେତେ? ନ୍ୟାୟ ନୀତି ଓ ସଦାଚାରକୁ ଛୁଟିରେ ପଠାଇ ଯେତେବେଳେ ମନ୍ତ୍ରୀ, ଯନ୍ତ୍ରୀ, ପ୍ରଶାସକ ତଥା ଅନ୍ୟାନ୍ୟ ବୃତ୍ତିର ଅଧିକାରୀମାନେ ପୁଳାଏ ସହଜଲଭ୍ୟ ଧନ ଅର୍ଜନ କରି ନିଜ ନିଜର ବର୍ତ୍ତମାନ ସହ ଭବିଷ୍ୟତକୁ ସମୃଦ୍ଧ କରିବାକୁ ନିୟୋଜିତ, ସେତେବେଳେ କ’ଣ ବା ମିଳନ୍ତା ସେଇ ଦ୍ୱିତୀୟ ଈଶ୍ୱରର ମୂଲ୍ୟହୀନ ମାନ୍ୟତାରୁ !!
ତାହା ହିଁ ହେଉ। ଡାକ୍ତର ରୂପୀ ମଣିଷଟିଏ ଈଶ୍ୱର ନ ହୋଇ ମଣିଷଟିଏ ହୋଇ ରହନ୍ତୁ। ସମଗ୍ର ଜଗତର ସବୁ ବସ୍ତୁ ଅର୍ଥ ପରିମାପକରେ ତଉଲା ଯାଉଥିବା ବେଳେ ଡାକ୍ତରଙ୍କ ସ୍ବାସ୍ଥ୍ୟସେବା ବି ନିର୍ଦ୍ଧାରିତ ହେଉ ଅର୍ଥର ଏକକରେ। ଟଙ୍କା ବିନିମୟରେ ଉପଲବ୍ଧ ହେଉ ଡାକ୍ତରଙ୍କ ସେବା ଓ ଦକ୍ଷତା। ଧନୀମାନେ ବଞ୍ଚିରୁହନ୍ତୁ ନିଜ ଧନ ଦେଇ ଆପଣାର ଆୟୁଷ କିଣି। ଦରିଦ୍ରମାନେ ମରିଯାଆନ୍ତୁ ନିଜ ଦାରିଦ୍ର୍ୟକୁ ଅଭିଶାପ ଦେଇ। ଏସବୁ ଭାଷା ସେଇ ଦରିଦ୍ରମାନଙ୍କର, ଯେଉଁମାନେ ସାଂପ୍ରତିକ ସମାଜର ମହଙ୍ଗା ହୋଇଯାଇଥିବା ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହୋଇ ଅଭିମାନରେ ତାଙ୍କର ଏ ଦୁର୍ଭାଗ୍ୟ ପାଇଁ ଈଶ୍ୱରଙ୍କୁ ଦାୟୀ କରନ୍ତି। ତାଙ୍କର ଏହି ଅଭିମାନ ଓ ଅବସୋସର ଭାଷା ବୁଝିବାକୁ ନା ସେମାନଙ୍କ ସ୍ରଷ୍ଟା ବୋଲାଉଥିବା ପ୍ରଥମ ଈଶ୍ୱରଙ୍କର ସମୟ ଥାଏ ନା ସ୍ବାସ୍ଥ୍ୟରକ୍ଷାର ଦାୟିତ୍ୱ ନେଉଥିବା ଦ୍ୱିତୀୟ ଈଶ୍ୱର ବୋଲାଉଥିବା ଡାକ୍ତରମାନଙ୍କର ସ୍ପୃହା ଥାଏ। ମାତ୍ର କାଁ ଭାଁ ଏମିତି କିଛି ଘଟଣା ଘଟେ, ଯାହା ବିରଳ ବ୍ୟତିକ୍ରମ ହେଲେ ବି ଘନ ଅନ୍ଧକାର ମଧ୍ୟରେ ଉଜ୍ଜ୍ୱଳ ଆଲୋକ ରେଖାଟିଏ ହୋଇ ଏକ ଭିନ୍ନ ସତ୍ୟର ପ୍ରମାଣ ରଖେ। କଟୁତିକ୍ତ ଜୀବନର ସ୍ବାଦ ବଦଳିଯାଏ।
କର୍ନାଟକର ମାଣ୍ଡ୍ୟା ସହରରେ ବାସ କରୁଥିବା ଜଣେ ନିଆରା ଡାକ୍ତରଙ୍କ କଥା ଲକ୍ଷ୍ୟ କରାଯାଉ। ଶଙ୍କର ଗୌଡ଼ ନାମକ ଏହି ଡାକ୍ତର କୌଣସି କ୍ଲିନିକ୍‌ ବା ନର୍ସିଂହୋମ୍‌ ସହ ସଂଯୁକ୍ତ ନୁହନ୍ତି କି ତାଙ୍କର କୌଣସି ନିଜସ୍ବ ଚାମ୍ବର ନାହିଁ। ସହରର ଏକ ଗଳିରେ ଥିବା ଛୋଟ ଜଳଖିଆ ଦୋକାନର ଅଧା କାନ୍ଥ ଉପରେ ବସି ସେ ରୋଗୀ ଦେଖନ୍ତି। ସକାଳ ଆଠରୁ ବାରଟା ଯାଏ ସେଇ ମୁକ୍ତାଞ୍ଚଳରେ ଚାଲେ ତାଙ୍କର ରୋଗୀଦେଖା ଓ ବାକି ସମୟ ନିଜ ବାସଗୃହ ବାରଣ୍ଡାରେ। କୌଣସି ଘରୋଇ ହସ୍ପିଟାଲ କିମ୍ବା ନର୍ସିଂହୋମ୍‌ ସହ ଅନୁବନ୍ଧିତ ହେଲେ ବା ନିଜ ଘରେ ବି ଏକ ସୁସଜ୍ଜିତ ଚାମ୍ବରଟିଏ କଲେ ସେ ବେଶି ରୋଜଗାର କରିପାରନ୍ତେ ନିଶ୍ଚୟ। ମାତ୍ର ସେପରି ହେଲେ ତାଙ୍କ ପାଖକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ସ୍ବଚ୍ଛଳ ବର୍ଗର ହୋଇଥିବା ସବୁଠୁ ପ୍ରାଥମିକ ଆବଶ୍ୟକତା, ଯାହା ଏକଦା ସେ ଡାକ୍ତର ହେବା ପୂର୍ବରୁ କରିଥିବା ପ୍ରତିଜ୍ଞାର ବଡ଼ ପରିପନ୍ଥୀ।
ନିଜେ ଏକ ଦରିଦ୍ର ପରିବାରରେ ଜନ୍ମ ହୋଇଥିଲେ ଡାକ୍ତର ଶଙ୍କର ଗୌଡ଼ ଏବଂ ଦରିଦ୍ର ହୋଇଥିବା କାରଣରୁ ସ୍କୁଲରେ ପଢ଼ୁଥିବା ବେଳେ ନିଜ ଅଳ୍ପବୟସ୍କ ଅସୁସ୍ଥ ପିତାଙ୍କୁ ବିନା ଚିକିତ୍ସାରେ ହରାଇ ବସିଥିଲେ। ସେ’ଦିନ ବାପାଙ୍କ ଶବକୁ ଶ୍ମଶାନରେ ଦାହ କରିବା ପୂର୍ବରୁ ଅନ୍ୟ କେଉଁ ଦରିଦ୍ର ପିତାଙ୍କୁ ଅକାଳରେ ବିନା ଚିକିତ୍ସାରେ ଝଡ଼ିଯିବାକୁ ନ ଦେବା ପାଇଁ ସେ ନୀରବରେ ପ୍ରତିଜ୍ଞା କରିଥିଲେ। ନିଜ ଦାରିଦ୍ର୍ୟ ବିରୋଧରେ ଲଢ଼ି ବଡ଼ କଷ୍ଟରେ ସେ ମେଡିକାଲ ଶିକ୍ଷା ଗ୍ରହଣ କରି ଡାକ୍ତର ହୋଇଥିଲେ। ଚର୍ମରୋଗ ବିଶେଷଜ୍ଞ ଭାବେ ସାର୍ଟିଫିକେଟ ହାସଲ କରି ଫେରିଲା ପରେ ନିଜ ପରିବାରର ଦାରିଦ୍ର୍ୟ ମୋଚନ ହିଁ ତାଙ୍କ ପାଇଁ ପ୍ରଥମ ସଂକଳ୍ପ। ସରକାରୀ ଚାକିରି ପାଇଁ ଅବା ଅନ୍ୟ କୌଣସି ଘରୋଇ ହସ୍ପିଟାଲ ସହ ସଂଯୁକ୍ତ ହେବା ପାଇଁ ଯଥେଷ୍ଟ ସୁଯୋଗ ମଧ୍ୟ ଥିଲା। ମାତ୍ର ସେ ନିଜ ପିତାଙ୍କ ମୃତ୍ୟୁଶଯ୍ୟା ନିକଟରେ କରିଥିବା ଶପଥକୁ ମନେପକାଇ ଏଥିରୁ ନିବୃତ୍ତ ରହିଥିଲେ। ବାସ୍‌, ପରେ ପରେ ଆରମ୍ଭ ହୋଇଥିଲା ଶପଥ ରକ୍ଷା ଦିଗରେ ତାଙ୍କର ଏକ ଭିନ୍ନ ପରିକଳ୍ପନା, ଏକ ଅଭିନବ ଯାତ୍ରା। ମାତ୍ର ପାଞ୍ଚ ଟଙ୍କା ପାରିଶ୍ରମିକରେ ରାସ୍ତା କଡ଼ରେ ରୋଗୀ ଦେଖିବାର ତାଙ୍କର ଏ ଯାତ୍ରା ସହିତ ସେ ଅର୍ଜନ କରିଥିଲେ ସମଗ୍ର ରାଜ୍ୟରେ ‘ପାଞ୍ଚଟଙ୍କିଆ ଡାକ୍ତର’ ଭାବେ ଏକ ଅନନ୍ୟ ପରିଚୟ, ଏକ ଅସାଧାରଣ ପ୍ରତିଷ୍ଠା।
ପ୍ରତିଦିନ ସକାଳ ଆଠଟାରେ ଖୋଲିଯାଏ ଡାକ୍ତର ଗୌଡ଼ଙ୍କ ପାଞ୍ଚଟଙ୍କିଆ କ୍ଲିନିକ୍‌। ଦୁଇ ଶହରୁ ପାଞ୍ଚ ଶହ ଟଙ୍କା ଯାଏ ଡାକ୍ତର ଫିସ୍‌ ଦେବା ଯେଉଁମାନଙ୍କ ସାମର୍ଥ୍ୟର ବାହାରେ, ସେମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଯା’ନ୍ତି ଏହି ଅଦ୍‌ଭୂତ କ୍ଲିନିକ୍‌ରେ, ଯେଉଁଠି ରୋଗୀମାନଙ୍କ ବସିବା ପାଇଁ ତ ଦୂରର କଥା, ଡାକ୍ତରଙ୍କ ବସିବା ପାଇଁ ମଧ୍ୟ ଚେୟାରଟିଏ ନ ଥାଏ। ଗୋଟିଏ ଅଧାକାନ୍ଥ ଉପରେ ଜଳଖିଆ ଦୋକାନର କାନ୍ଥକୁ ଆଉଜି ବସିଯାନ୍ତି ଡାକ୍ତର ଗୌଡ଼ ଓ ଜଣ ଜଣ କରି ରୋଗୀ ଦେଖି ସ୍ବଳ୍ପ ମୂଲ୍ୟର ସୁଲଭ ଜେନେରିକ ଔଷଧର ବ୍ୟବସ୍ଥାପତ୍ର ଲେଖିଦିଅନ୍ତି। ସମସ୍ତଙ୍କଠୁଁ ନିଅନ୍ତି ପାଞ୍ଚ ଟଙ୍କା ଲେଖାଏ ଫିସ୍‌, କେବଳ ବୁଢ଼ୀବୁଢ଼ା ଓ ଭିକାରିମାନଙ୍କୁ ଛାଡ଼ି। ଲକ୍ଷ୍ୟକରିବାର କଥା, ଡାକ୍ତର ଗୌଡ଼ ତାଙ୍କ ଘରେ ଯେଉଁ ରୋଗୀ ଦେଖନ୍ତି, ତାହା ଥାଏ ସମ୍ପୂର୍ଣ୍ଣ ନିଃଶୁଳ୍କ।
କାହାକୁ ରୋଗ ହେଲେ ଯେଉଁଠି କିଛି ଡାକ୍ତରଙ୍କୁ ଶୋଷଣ କରିବାର ଏକ ସୁବର୍ଣ୍ଣ ସୁଯୋଗ ମିଳିଯାଏ, ଯେଉଁଠି ମୃତ୍ୟୁର ଭୟ ଦେଖାଇ ଜୀବନକୁ ସବୁମତେ ଲୁଣ୍ଠନ କରାଯାଏ, ଆବଶ୍ୟକତା ନ ଥାଇ ମଧ୍ୟ ଚିକିତ୍ସା ନାମରେ ପରୀକ୍ଷା ନିରୀକ୍ଷା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ବାଧ୍ୟ କରାଯାଏ ଓ ରୋଗ ଭଲ ହୋଇଗଲା ପରେ ମଧ୍ୟ ଅଧିକ ରୋଜଗାର ପାଇଁ ରୋଗୀକୁ ଡିସ୍‌ଚାର୍ଜ କରାଯାଏ ନାହିଁ ଏବଂ ସର୍ବୋପରି ରୋଗୀର ମୃତ୍ୟୁ ହୋଇଗଲେ ବି ମୋଟା ଅଙ୍କର ବିଲ୍‌ ପରିଶୋଧ ନ କଲେ ମୃତଦେହକୁ ଅଟକାଇ ରଖାଯାଏ, ସେଠି ଡାକ୍ତର ଶଙ୍କର ଗୌଡ଼ଙ୍କ ଭଳି କେଇଜଣ ଅଛନ୍ତି ବୋଲି ତ ଏ ସଂସାର ସୁନ୍ଦର ଲାଗୁଛି। ସଚରାଚର ଆତଯାତ ହେଉଥିବା ରକ୍ତ ଶୋଷଣକାରୀ ରାକ୍ଷସମାନଙ୍କ ମେଳରେ ତାଙ୍କ ଭଳି ଦୁର୍ଲଭ ଦ୍ୱିତୀୟ ଈଶ୍ୱରଙ୍କ ପାଇଁ ସକଳ ଦୁଃଖ ଯାତନା ସତ୍ତ୍ୱେ ବି ଜୀବନ ଲାଗୁଛି ତଥାପି ଅପରିବର୍ଜନୀୟ!!

ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର, ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri