ସରକାରୀ ଆଇଟିଆଇରେ ଫାଙ୍କା ପଡ଼ିିଲା ସିଟ୍‌

ଭୁବନେଶ୍ୱର, ୨୪।୯ (ବ୍ୟୁରୋ):ଆଇଟିଆଇଗୁଡ଼ିକରେ ଚଳିତବର୍ଷ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହୋଇଛି। ଏହାପରେ କଟକ ସହରସ୍ଥ ୨ଟି ଯାକ ସରକାରୀ ଆଇଟିଆଇରେ ୫୦ ପ୍ରତିଶତ ସିଟ୍‌ ଫାଙ୍କା ପଡ଼ିଛି। ଏହାକୁ ନେଇ ଏବେ ଚିନ୍ତା ବଢିଛି। ସ୍ପଟ୍‌ ଆଡ୍‌ମିଶନ ଉପରେ ସମସ୍ତଙ୍କ ନଜର ରହିଛି। ଯଦି କମ୍‌ ଛାତ୍ରୀଛାତ୍ର ନାମଲେଖାନ୍ତି ତେବେ ବହୁ ସିଟ ଫାଙ୍କା ପଡ଼ିିବ। କଟକ ଜିଲାରେ ୨ଟି ସରକାରୀ ଆଇଟିଆଇ ରହିଛି। ସେଗୁଡ଼ିକ ହେଲା ଖପୁରିଆ ଆଇଟିଆଇ ଏବଂ ଯୋବ୍ରାସ୍ଥିତ ମଧୁସୂଦନ ଆଇଟିଆଇ। ପ୍ରତିବର୍ଷ ଏଠାରେ ବହୁ ଛାତ୍ରୀଛାତ୍ର ନାମ ଲେଖାଇଥାନ୍ତି। ପ୍ରଥମ ପର୍ଯ୍ୟାୟ ନାମଲେଖାରେ ପ୍ରାୟ ସମସ୍ତ ସିଟ ପୂରଣ ହୋଇଯାଏ। ମାତ୍ର ଚଳିତ ଶିକ୍ଷାବର୍ଷରେ ଏଥିରେ ବ୍ୟତିକ୍ରମ ଘଟିଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ପରେ ବି ୫୦ ପ୍ରତିଶତ ସିଟ ଫାଙ୍କା ପଡ଼ିଛି। ଖପୁରିଆ ଆଇଟିଆଇର ମୋଟ ୧୧୪୬ ସିଟ୍‌ ମଧ୍ୟରୁ ୬୫୯ ପୂରଣ ହୋଇଥିବାବେଳେ ୪୮୭ଟି ଶୂନ୍ୟ ପଡ଼ିିଛି। ସେହିପରି ମଧୁସୂଦନ ଆଇଟିଆଇରେ ୩୫୨ ସିଟ୍‌ ମଧ୍ୟରୁ ୧୭୧ଟି ପାଇଁ ଆଡ୍‌ମିଶନ ସରିଥିବାବେଳେ ୧୮୧ଟି ଫାଙ୍କା ରହିଛି। ଚଳିତବର୍ଷ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖାକୁ ବାଦ୍‌ ଦିଆଯାଇଛି। ତେଣୁ ସ୍ପଟ ଆଡମିଶନ ଉପରେ ଭରସା। ଆସନ୍ତା ୨୫ ତାରିଖରୁ ସ୍ପଷ୍ଟ ଆଡମିଶନ ପାଇଁ ରେଜିଷ୍ଟ୍ରେଶନ ପ୍ରକ୍ରିୟା ଆରମ୍ଭ ହେବ। ତେବେ ଏତେ ସଂଖ୍ୟକ ସିଟ୍‌ ପୂରଣ ହେବା ନେଇ ବିଭାଗୀୟ ଅଧିକାରୀମାନେ ଆଶଙ୍କାରେ ରହିଛନ୍ତି।