କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ

ଗଞ୍ଜାମ,୨ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ ହେବାରେ ଲାଗିଛି। ବିଶେଷକରି ଗୋଖରକୁଦାଠାରୁ ବଟେଶ୍ୱର ମନ୍ଦିର ବେଳାଭୂମି ପର୍ଯ୍ୟନ୍ତ ବେଳାଭୂମି ଅବକ୍ଷୟ ହେଉଥିବା ଦେଖିବାକୁ ମିଳିଛି। ଯାହାଫଳରେ ବେଳାଭୂମି ନଷ୍ଟ ହେବା ସହ ବଟେଶ୍ୱରଠାରୁ ସମୁଦ୍ର କୂଳକୁ ସଂଯୋଗ ରାସ୍ତା ବି ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗି ଗଲାଣି। ଏଥିପାଇଁ ସମୁଦ୍ର ଉପକୁଳ ତଟବର୍ତ୍ତୀ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ଏଥିପାଇଁ ଆନ୍ଦୋଳନ ପାଇଁ ସଜବାଜ ହେଲେଣି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳବାସୀ। ଏନେଇ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ତଥା ତିନି ଗ୍ରାମବାସୀ କଣ୍ଟିଆଗଡ଼, ନୀଳାଦ୍ରି ପୁର ଓ ଖଟୁଆକୁଦା ଗ୍ରାମବାସୀ ବଟେଶ୍ୱର ପୀଠ ପ୍ରାଙ୍ଗଣରେ ଏକ ଜରୁରୀ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଥିଲା। ଏଥିରେ ନାରାୟଣ ପ୍ରଧାନ ସଭାପତିତ୍ୱ କରିଥିଲେ। ପ୍ରଶାସନ ପକ୍ଷରୁ ତୁରିତ ପଦକ୍ଷେପ ଗ୍ରହଣ ନ କରନ୍ତି ତାହେଲେ ଆସନ୍ତା ୮ ଜିଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ପ୍ରତିବାଦ ଓ ଧାରଣା ଦିଆଯିବ ବୋଲି ବୈଠକରେ ନିସତୀ ଗ୍ରହଣ କରାଯାଇ ଥିବା ଜଣାପଡ଼ିଛି। ଆନ୍ଦୋଳନ ପରିଚାଳନା ନିମନ୍ତେ ଏକ କମିଟି ଗଠନ କରାଯାଇଛି।

କଣ୍ଟିଆଗଡ଼ର ଶିବରାମ ପଲାଇ, ପୀତାମ୍ବର ସ୍ବାଇଁ, ରଞ୍ଜିତ ପଲାଇ, ନାରାୟଣ ପ୍ରଧାନ, ସମୟ ସ୍ବାଇଁ, ରଞ୍ଜନ ପ୍ରଧାନ ଓ କିଶୋର ପ୍ରଧାନ, ଖଟୁଆକୁଦାପୁର ଗ୍ରାମର ବୃନ୍ଦାବନ ପ୍ରଧାନ, ଶବର କୁମାର ତରାଇ, ଅଜୟ ପ୍ରଧାନ, ପ୍ରଦୀପ ସାହୁ, ପିଣ୍ଟୁ ସାହୁ, ଅଭିରାମ ଗୌଡ଼ ଏବଂ ନୀଳାଦ୍ରି ପୁର ଗ୍ରାମର ଦିଲ୍ଲୀପ ଛୋଟରାଏ, ଧର୍ମରାଜ ସ୍ବାଇଁ, ତ୍ରିଲୋଚନ ପ୍ରଧାନ, ସତୀଶ ସ୍ବାଇଁ, ବିଦ୍ୟାଧର ପ୍ରଧାନ, ଶ୍ରୀଧର ସ୍ବାଇଁ ଓ ପୀତାମ୍ବର ପ୍ରଧାନ ପ୍ରମୁଖଙ୍କୁ ନେଇ ୧୭ ଜଣିଆ କମିଟି ଗଠନ କରାଯାଇଛି। ଏଥିସହ ପ୍ରତ୍ୟେକ ଗ୍ରାମର ଜଣେ ପୁରୁଷ ଓ ଜଣେ ମହିଳା ଆନ୍ଦୋଳନରେ ସାମିଲ ହେବାକୁ ବୈଠକରେ ଆହ୍ବାନ ଦିଆଯାଇଛି। ପାଳିବନ୍ଧ ପଞ୍ଚାୟତ ସମସ୍ତ ଗ୍ରାମରେ ଡାକବାଜି ଯନ୍ତ୍ର ତଥା ମାଇକରେ ପ୍ରଚାର କରାଯାଇ ଲୋକଙ୍କୁ ସଚେତନତା କରାଯିବ ବୋଲି ଶିବରାମ ପଲାଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ପୋଡମ ପେଟା ଗ୍ରାମର ଚାରି ଭାଗରୁ ତିନି ଭାଗ ସମୁଦ୍ର ଗର୍ଭରେ ଲୀନ ହୋଇ ସାରିଲାଣି ଆଉ କିଛି ମାସ ପରେ ସମ୍ପୂର୍ଣ୍ଣ ଅନ୍ୟ ଗ୍ରାମଗୁଡ଼ିକରେ ସମୁଦ୍ର ଲହଡ଼ି ମାରିବ ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Share