ବିଦ୍ୟାଳୟ ଅବସ୍ଥା ବେହାଲ

ଅନୁଗୋଳ ଅଫିସ, ୧।୧: ଦୋହଲିଯାଇଛି ଭିତ୍ତିଭୂମି। କେଉଁଠି ଲଟାବୁଦା ମାଡ଼ି ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି ତ ଆଉ କେଉଁଠି ଅତ୍ୟାବଶ୍ୟକ ସରଞ୍ଜାମ ଉଇ ଚରିଲେଣି। କେଉଁଠି ବିଦ୍ୟୁତ୍‌ ତାର ଛିଣ୍ଡି ଝୁଲିଛି ତ ଅନ୍ୟ କେଉଁଠି ପାନୀୟ ଜଳ ପାଇଁ ଥିବା ଆକ୍ୱାଗାର୍ଡ ଭାଙ୍ଗିପଡ଼ିଛି। କରୋନା ସମୟରେ ହଜାର ହଜାର ପ୍ରବାସୀଙ୍କ ଠିକଣା ପାଲଟିଥିବା ଶିକ୍ଷାନୁଷ୍ଠାନଗୁଡ଼ିକର ଏବେ ଏଭଳି ଦୂରବସ୍ଥା, ଯାହା ସ୍କୁଲ ଖୋଲିବା ପରେ ବିଦ୍ୟାର୍ଥୀ ଏବଂ ଶିକ୍ଷକଙ୍କ ପାଇଁ ନୂଆ ସମସ୍ୟା ସୃଷ୍ଟି କରିବ। ଏସବୁ ଅବ୍ୟବସ୍ଥିତ ଭିତ୍ତିଭୂମି ସଜାଡ଼ିବାକୁ ଅର୍ଥର ଅଭାବ ଥିବାବେଳେ ପ୍ରଶାସନର ସହାୟତାକୁ ଅପେକ୍ଷା କରିଛି ଅନୁଗୋଳ ଜିଲା ଶିକ୍ଷା ବିଭାଗ।
କରୋନା ଭୟ, ଲକ୍‌ଡାଉନ୍‌ ଏବଂ କର୍ମସଂସ୍ଥାନରେ ତାଲା ଝୁଲିବା ପରେ ଶିଳ୍ପସମୃଦ୍ଧ ଅନୁଗୋଳ ଜିଲାକୁ ଛୁଟିଥିଲା ପ୍ରବାସୀଙ୍କ ସୁଅ। ସଂକ୍ରମଣ ଏଡ଼ାଇବା ରାଜ୍ୟ ସରକାରଙ୍କ ପାଇଁ ପାଲଟିଥିଲା ଚ୍ୟାଲେଞ୍ଜ। ବିଦ୍ୟାଳୟଗୁଡ଼ିକୁ କ୍ୱାରାଣ୍ଟାଇନ୍‌ ସେଣ୍ଟର କରିବାକୁ ନିଷ୍ପତ୍ତି ନେଇଥିଲେ ସରକାର। ଶିକ୍ଷା ବିଭାଗ ଶିକ୍ଷାନୁଷ୍ଠାନଗୁଡ଼ିକୁ ପ୍ରଶାସନକୁ ହସ୍ତାନ୍ତର କରିବା ପରେ ସେଠାରେ ପ୍ରବାସୀଙ୍କ ରହିବା ଲାଗି ଆବଶ୍ୟକ ବନ୍ଦୋବସ୍ତ ହୋଇଥିଲା। ଜିଲାର ମୋଟ ୧,୬୬୬ ବିଦ୍ୟାଳୟ (ଉଚ୍ଚ ବିଦ୍ୟାଳୟ ୨୪୩ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧,୪୨୩) ମଧ୍ୟରୁ ୩୨୬ଟିକୁ କ୍ୱାରାଣ୍ଟାଇନ୍‌ ସେଣ୍ଟର ଭାବେ ବ୍ୟବହାର କରାଯାଇଥିଲା। ପର୍ଯ୍ୟାୟକ୍ରମେ ପ୍ରବାସୀଙ୍କ ରହଣି ସମୟରେ ସ୍କୁଲଗୁଡ଼ିକରେ ଅବ୍ୟବସ୍ଥା ପଦାକୁ ଆସିଥିଲା। ପରିଚାଳନାଗତ ଅବ୍ୟବସ୍ଥାକୁ କେନ୍ଦ୍ରକରି କେତେକ ସ୍ଥାନରେ ପ୍ରବାସୀମାନେ ସ୍କୁଲ ସାମଗ୍ରୀ ଭଙ୍ଗାରୁଜା କରିବା ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଥିଲା। ଅନ୍ୟକେତେକ ସ୍ଥାନରେ ଠିକ୍‌ ଦାୟିତ୍ୱ ତୁଲାଇ ପ୍ରଶଂସା ସାଉଁଟିଥିଲେ ପ୍ରବାସୀ ଶ୍ରମିକ। କରୋନା ସଂକ୍ରମଣ ହ୍ରାସ ପାଇବା ପରେ ବିଦ୍ୟାଳୟଗୁଡ଼ିକୁ ପ୍ରଶାସନ ଶିକ୍ଷା ବିଭାଗକୁ ପୁନର୍ବାର ହସ୍ତାନ୍ତର କରିଛି। ତେବେ ୯ ମାସ ତଳେ ଯେଉଁ ସ୍କୁଲ ପରିଷ୍କାର ପରିଚ୍ଛନ୍ନତା ଲାଗି ଉଦାହରଣ ସାଜିଥିଲା, ସେସବୁ ଏବେ ଦୟନୀୟ ହୋଇପଡ଼ିଛି। ଅନୁଗୋଳ ବାଳିକା ଉଚ୍ଚ ବିଦ୍ୟାଳୟରେ ପିଲାମାନେ ବ୍ୟବହାର କରୁଥିବା ଟେବୁଲ, ଚୌକି ଭଙ୍ଗାରୁଜା ହୋଇ ସ୍କୁଲ ପରିସରରେ ପଡ଼ିଛି। ଛେଣ୍ଡିପଦା ହାଇସ୍କୁଲରେ ଲକ୍ଷେ ଟଙ୍କା ବ୍ୟୟରେ ଲାଗିଥିବା ବିଶୁଦ୍ଧ ପାନୀୟ ବ୍ୟବସ୍ଥା ଅଚଳ ହୋଇପଡ଼ିଛି। ସେହିପରି ଅନେକ ସ୍ଥାନରେ ବିଦ୍ୟୁତ୍‌ ସରଞ୍ଜାମ ସମେତ ମୂଲ୍ୟବାନ ଆସବାବପତ୍ରକୁ ଭାଙ୍ଗିରୁଜିଯାଇଛି। ଏଭଳି ଅବ୍ୟବସ୍ଥିତ ପରିବେଶରେ ପାଠପଢ଼ା କିଭଳି ହେବ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସମ୍ପୃକ୍ତ ସ୍କୁଲର କର୍ତ୍ତୃପକ୍ଷ। ଏ ସଂକ୍ରାନ୍ତରେ ସେମାନେ ଶିକ୍ଷା ବିଭାଗ ଏବଂ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ ଏଯାଏ ସମାଧାନର ବାଟ ବାହାରି ପାରିନାହିଁ।
ଦୀର୍ଘ ୯ମାସ ହେଲା ତାଲା ଝୁଲୁଥିବା ସ୍କୁଲ ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ। ଏଥିଲାଗି ସଜାଗ ରହିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ତେବେ ବିଦ୍ୟାଳୟ ଖୋଲିବା ପରେ ଛାତ୍ରୀଛାତ୍ରମାନେ କିଭଳି ଅଧ୍ୟୟନ କରିବେ, ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସ୍କୁଲ କର୍ତ୍ତୃପକ୍ଷ ଏବଂ ଅଭିଭାବକ। ପ୍ରଶାସନର ଅର୍ଥ ମଞ୍ଜୁର କଲେ ବିଦ୍ୟାଳୟ ପୂର୍ବ ସ୍ଥିତିକୁ ଫେରିବ ବୋଲି ଶିକ୍ଷା ବିଭାଗର ପଦସ୍ଥ ଅଧିକାରୀ କହିଛନ୍ତି।