Posted inଫୁରସତ

ଶିକ୍ଷକଙ୍କ ଅକ୍ଳାନ୍ତ ଚେଷ୍ଟାରେ ସ୍କୁଲ ପାଲଟିଛି ଉଦାହରଣ

ଶିକ୍ଷାର୍ଥୀ ପାଇଁ ବିଦ୍ୟାଳୟ ହେଉଛି ଦ୍ୱିତୀୟ ଘର ସଦୃଶ। ମାଆର ପଣତ, ବାପାଙ୍କ ସ୍ନେହ, ଗୁରୁଜନଙ୍କ ଆଦର ଭିତରେ ତା’ର ପିଲାମନ ଖୋଜିହୁଏ ସେହି ଅନୁଭବ ବିଦ୍ୟାଳୟ ପରିବେଶରେ। ଏଇ ବିକଳ୍ପ ଘରଟି ଶିଶୁ ପାଇଁ ସବୁଦିଗରୁ ଆକର୍ଷଣୀୟ ହେଉ, ଏକଥା ଚାହାନ୍ତି ପ୍ରାୟ ପ୍ରତ୍ୟେକ ଅଭିଭାବକ। ଏହି ଚାହିଁବାରୁ ବୋଧହୁଏ ଘରୋଇ ବିଦ୍ୟାଳୟଗୁଡିକର ଉଦ୍ଭବ। ଯାହାର ସୌନ୍ଦର୍ଯ୍ୟ ଆଉ ପାଠପଢା ସବୁବେଳେ ଆକର୍ଷିତ କରେ ସମସ୍ତଙ୍କୁ। ତେବେ ଆମେ ଯଦି ଫେରିଯିବା କେତେ ଦଶନ୍ଧି ତଳକୁ ଯେତେବେଳେ କ୍ୱଚିତ ଘରୋଇ ବିଦ୍ୟାଳୟ ଥିଲା ସେତେବେଳେ ଆମ ପାଇଁ ଉଦ୍ଦିଷ୍ଟ ବିଦ୍ୟାଳୟରେ ବି ମିଳୁଥିଲା ଆମ ଚାହିଁବା ମୁତାବକ ସୁବିଧା ସୁଯୋଗ। ପିଲାଏ ବିଦ୍ୟାଳୟ ହତାରେ ଶିକ୍ଷକଙ୍କ ସହ ମିଶି ଖୁବ୍‌ ଉତ୍ସାହରେ ଗଛ ଲଗାଉଥିଲେ। ବଗିଚା ତିଆରି କରୁଥିଲେ। ବିଦ୍ୟାଳୟ କାନ୍ଥରେ ନୈତିକ ପୌରାଣିକ କାହାଣୀମାନଙ୍କର ଚିତ୍ର ଆଙ୍କୁଥିଲେ। ନିଜ ପାଠ୍ୟ ଅତିରିକ୍ତ ଗୁଣାବଳୀର ବିକାଶ କରିବାକୁ ସୁଯୋଗ ମଧ୍ୟ ପାଉଥିଲେ।’ ଗାଁ ପରିମଳ ଧୋବା ତୁଠ’ରୁ ନ୍ୟାୟରେ ବିଦ୍ୟାଳୟକୁ ଦୂରରୁ ଦେଖି ଜଣା ପଡିଯାଉଥିଲା ତାର ଶୈକ୍ଷିକ ମାନ । ଶୈକ୍ଷିକ ମାନ ବା ଗୁଣବତ୍ତା ଘରୋଇ କି ସରକାରୀ ଉଭୟ ଭାବନାଠାରୁ ଉଦ୍ଧର୍‌ବରେ। ଶିକ୍ଷାର ମାନ ନିର୍ଭର କରେ ଶିକ୍ଷକମାନଙ୍କ ଅଙ୍ଗୀକାରବଦ୍ଧତାରେ ଯାହା ପ୍ରତିଫଳିତ ହୋଇ ଆସିଥାଏ ଶିକ୍ଷାର୍ଥୀର ସାମଗ୍ରିକ ବିକାଶରେ। ଶିକ୍ଷାର ମାନ କହିଲେ ପିଲା ପାଉଥିବା ଡିଭିଜନ ବା ରଖୁଥିବା ନମ୍ବର ତ ନୁହେଁ, ମାନ ଏକ ସାମଗ୍ରିକ ବିଷୟ । ଶାରୀରିକ, ମାନସିକ, ସାମାଜିକ, ଆବେଗିକ, ନୈତିକ ବିକାଶ ସହ ବିକଶିତ ହୋଇଥାଏ ଶିଶୁର ଆନୁଷ୍ଠାନିକ ଜ୍ଞାନ। ଏଭଳି ଏକ ଗୁରୁ ଦାୟିତ୍ୱ ବହନ କରିଥାଏ ବିଦ୍ୟାଳୟ ଯିଏ ସଠିକ୍‌ ଭାବରେ ଗଢ଼ିଥାଏ ପିଲାଙ୍କୁ। ଆମେ ଏହି ନିଷ୍ଠା ଏବଂ ତ୍ୟାଗର ଉଦାହରଣ ଦେଖିଛେ ଗୋପବନ୍ଧୁଙ୍କ ସତ୍ୟବାଦୀ ବନବିଦ୍ୟାଳୟରେ, ଚିତ୍ତରଞ୍ଜନ ଦାସଙ୍କ ଜୀବନ ବିଦ୍ୟାଳୟରେ ଆଉ ଅନେକ ବିଦ୍ୟାଳୟମାନଙ୍କରେ ଯେଉଁଠି ଶିକ୍ଷାଦାତା ବିଦ୍ୟାଳୟକୁ ମନ୍ଦିର ମନେ କରି ପୂଜାକାର୍ଯ୍ୟ ଭଳି ଶିକ୍ଷାଦାନ କାର୍ଯ୍ୟକୁ ଖୁବ୍‌ ସୁନ୍ଦର ଭାବରେ ସମ୍ପାଦନ କରିଛନ୍ତି। ପିଲାଙ୍କ କୋମଳ ମନକୁ ବୁଝିବା ପାଇଁ ନିଜେ ପିଲାହୋଇ ପିଲାଙ୍କ ସହ କାମ କରନ୍ତି । ସେମାନଙ୍କୁ ସ୍ବାଧୀନତା ଏବଂ ସ୍ବଚ୍ଛନ୍ଦତା ଦେବା ସହ ସେମାନଙ୍କର ଅଭିବୃଦ୍ଧି ଓ ବିକାଶ ପାଇଁ ସଦା ଚେଷ୍ଟିତ ହୋଇଥାନ୍ତି । କିଛି ଶିକ୍ଷକ ଥାଆନ୍ତି ସେମାନେ ବିଦ୍ୟାଳୟକୁ ଘର ମନେ କରି ସରକାର ଧାର୍ଯ୍ୟ କରିଥିବା ସମୟଠାରୁ ଯଥେଷ୍ଟ ଅଧିକ ସମୟ ବିଦ୍ୟାଳୟର ଉନ୍ନତି ପାଇଁ ଦେଇଥାଆନ୍ତି। ସେମାନଙ୍କର ବିଦ୍ୟାଳୟ ପ୍ରତି ଥିବା ଅକୁଣ୍ଠ ଶ୍ରଦ୍ଧା, ଶ୍ରମଦାନ ବିଦ୍ୟାଳୟକୁ ମନ୍ଦିର କରିଥାଏ। ଏହି କଥାକୁ ସତ କରି ଦେଖାଇଛନ୍ତି କିଛି ଶିକ୍ଷକ, ଯାହାଫଳରେ କି ସେହି ବିଦ୍ୟାଳୟଗୁଡିକ ଅନ୍ୟମାନଙ୍କ ପାଇଁ ଏବେ ପ୍ରେରଣା…

ସୌନ୍ଦର୍ଯ୍ୟ ବଢ଼ିଛି ସମ୍ମାନ ମିଳିଛି: ବିଦ୍ୟାଳୟ ଯାହାର ଅନ୍ୟ ଏକ ନାମ ମଣିଷ ତିଆରି କାରଖାନା। ଯେଉଁଠି ଛାତ୍ରୀଛାତ୍ରମାନଙ୍କ ଭବିଷ୍ୟତ ଓ ଚରିତ୍ର ଗଠନର ମୂଳଦୁଆ ପଡ଼ିଥାଏ। ତେବେ କେବଳ ବିଦ୍ୟାଳୟ ଶ୍ରେଣୀଗୃହ ଚାରିକାନ୍ଥ ମଧ୍ୟରେ ଶିକ୍ଷାଦାନ ନୁହେଁ, ଏହାର ପରିସରକୁ ଯଦି ସୁନ୍ଦର କରିବା ସହ ଶୈକ୍ଷିକ ବାତାବରଣ ସୃଷ୍ଟି କରାଯାଏ, ତା’ହେଲେ ପାଠ ପଢ଼ିବା ପାଇଁ ପିଲାଙ୍କର ଆଗ୍ରହ ବଢ଼ିବ। ଏଥିପାଇଁ ଶିକ୍ଷକ, ଅଭିଭାବକଙ୍କ ସହ ଛାତ୍ରୀଛାତ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମିତି ଏକ ବିଦ୍ୟାଳୟ ଅଛି ସୁବର୍ଣ୍ଣପୁର ଜିଲାର ଡୁଙ୍ଗୁରିପାଲ୍ଲୀ ବ୍ଲକ ଅଧୀନ ସମଲେଇଚୁଆଁ ଗ୍ରାମପଞ୍ଚାୟତରେ। ଏଠାରେ ୧୯୬୬ ମସିହାରେ ସ୍ଥାପିତ ହୋଇଥିଲା ‘ସରକାରୀ ଉଚ୍ଚବିଦ୍ୟାଳୟ, ସମଲେଇଚୁଆଁ’। ଯେଉଁ ସ୍କୁଲ କି ନିଜର ସବୁଜ ସୁନ୍ଦର ପରିବେଶ ପାଇଁ ଅନ୍ୟମାନଙ୍କ ଲାଗି ପ୍ରେରଣା ପାଲଟିଛି। ଏଠାରେ ଷଷ୍ଠରୁ ୧୦ମ ଶ୍ରେଣୀ ରହିଥିବା ବେଳେ ଚଳିତବର୍ଷ ୨୮୬ ଛାତ୍ରୀଛାତ୍ର ଓ ୬ଜଣ ଶିକ୍ଷୟିତ୍ରୀ,ଶିକ୍ଷକଙ୍କୁ ନେଇ ଶିକ୍ଷାଦାନ ଚାଲିଛି। ଏହି ବିଦ୍ୟାଳୟର ଶିକ୍ଷକ ସୁରେଶ ପୂଜାରୀ କୁହନ୍ତି, ‘୨୦୦୧ମସିହାରୁ ମୁଁ ଏହି ସ୍କୁଲରେ ଶିକ୍ଷକତା କରୁଛି। ଆମ ଘରଠାରୁ ଉକ୍ତ ବିଦ୍ୟାଳୟର ଦୂରତା ମାତ୍ର ୩ କିମି। ପିଲାଦିନୁ ଗଛଲଗାଇବା ଅଭ୍ୟାସ ରହିଥିବାରୁ ଆମ ବିଦ୍ୟାଳୟ ପରିସରରେ ଆଜକୁ ପ୍ରାୟ୧୦ବର୍ଷ ତଳୁ ବିଭିନ୍ନ ବୃକ୍ଷଲତା ଲଗାଇ ତା’ର ଯତ୍ନ ନେଉଥିଲି। ତେବେ କରୋନା ମହାମାରୀ ଯୋଗୁଁ ଚାରିଆଡ଼େ ଲକ୍‌ଡାଉନ ଘୋଷଣା ହେଲା। ସମସ୍ତ ଶିକ୍ଷାନୁଷ୍ଠାନ ଅନେକ ଦିନ ଧରି ବନ୍ଦ ରହିଲା। ଫଳରେ ସେହି ସମୟରେ ଚିନ୍ତାକଲି ସ୍କୁଲ ପରିସରରେ ବିଭିନ୍ନ ଫୁଲ ଓ ଫଳଚାରା ରୋପଣ କରିବି। ତା’ପରେ ଚାରା ଆଣି ଗଛ ଲଗାଇଲି। କିଛିଦିନ ପରେ ସ୍କୁଲର ପରିବେଶ ଦେଖି ପ୍ରଧାନ ଶିକ୍ଷକ ଆନନ୍ଦ ପ୍ରଧାନ ଖୁବ୍‌ ଖୁସି ହୋଇ ମୋତେ ଉତ୍ସାହିତ କଲେ। ଅନ୍ୟ ଶିକ୍ଷକମାନେ ମଧ୍ୟ ଖୁବ୍‌ ସହଯୋଗ କଲେ। ଏପରି କି ଗାଁର ନାରାୟଣ ନନ୍ଦ ଓ ରାଜୁ ଦୀପ୍‌ ନାମକ ଛାତ୍ର ଆମ ସହିତ ମିଶି କାମ କଲେ। ଦିନକୁ ଦିନ ବିଦ୍ୟାଳୟ ପରିସର ଖୁବ୍‌ ଆକର୍ଷଣୀୟ ହୋଇଉଠିଲା। ସ୍କୁଲର ସୁନ୍ଦର ପରିବେଶ ଦେଖି ବିଦ୍ୟାଳୟ ରାସ୍ତାଦେଇ ଯାଉଥିବା ଯେକୌଣସି ବ୍ୟକ୍ତି କିଛି ସମୟ ଚାହିଁ ରୁହନ୍ତି। ଏଥିଯୋଗୁ ସମସ୍ତଙ୍କ ପ୍ରଶଂସା ସହ ଶିକ୍ଷା ବିଭାଗ ତରଫରୁ ସହଯୋଗ ମିଳିଲା। ବିଦ୍ୟାଳୟର ପ୍ରାୟ ଏକ ଏକର ପରିମିତ ଜାଗାରେ ତୁଳସୀ ଆଦି ୪୦ପ୍ରକାରର ବିଭିନ୍ନ ଔଷଧୀୟ ବୃକ୍ଷଲତା ଲାଗିଥିବା ବେଳେ ଟଗର, ଗୋଲାପ, ହେନା, ଚମ୍ପା ଆଦି ପ୍ରାୟ ୩୫ପ୍ରକାରର ବିଭିନ୍ନ ଫୁଲଗଛ ଲାଗିଛି। ବର୍ଷର ସବୁ ସମୟରେ ଫୁଟୁଥିବା କିଛି ପ୍ରଜାତିର ଫୁଲଗଛ ରହିଛି। ୫ ପ୍ରକାର କଇଁ, ୭ପ୍ରକାର ବିଦେଶୀ ପଦ୍ମ ପାଣିରେ ଲଗାଯାଇଛି। ସେହିପରି ରାଜହଂସ, ଟର୍କି, ୫ ପ୍ରଜାତିର କୁକୁଡ଼ା, ଠେକୁଆ ଆଦି କେତେକ ଗୃହପାଳିତ ପଶୁପକ୍ଷୀ ରଖାଯାଇଛି। ପଠନ ଉପଯୋଗୀ ବିଷୟ ଉପରେ ଆଧାରିତ କିଛି କଳାକୃତି ଏବଂ ପରିବେଶ ସୁରକ୍ଷା ସମ୍ପର୍କିତ ବାର୍ତ୍ତା ଲେଖାଯାଇଛି। ବିଦ୍ୟାଳୟ ପରିସର ବାମପଟେ ଏକ ହାତତିଆରି ଛୋଟ ପାହାଡ଼ ଓ ଝରଣା ଏବଂ ଏକ କୁଟିର ତିଆରି ହୋଇଛି। ଏମିତି କାଯର୍‌ୟ ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଜରିଆରେ ପ୍ରାୟ ୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ପୂର୍ବତନ ଜିଲାପାଳ ମନିଷା ବାନାର୍ଜୀ ସ୍କୁଲ ପରିଦର୍ଶନରେ ଆସି ବିଦ୍ୟାଳୟର ଉନ୍ନତି ପାଇଁ ସହଯୋଗକରି ପ୍ରଶଂସା କରିଥିଲେ। ପୂର୍ବତନ ବିଇଓ ଡ. ରାଧାକାନ୍ତ ଗଡ଼ତିଆ ଏହି ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ପାଇଁ ସହଯୋଗ କରିଛନ୍ତି। ଏମିତିରେ ଅନ୍ୟମାନଙ୍କ ସହଯୋଗରେ ବିଦ୍ୟାଳୟର ସୌନ୍ଦର୍ଯ୍ୟ ଦୁଇଗୁଣ ହୋଇପାରିଥିବାରୁ ଚଳିତ ବର୍ଷ ଜୁନ୍‌ ମାସରେ ଜଙ୍ଗଲ ବିଭାଗ ତରଫରୁ ଏହି ବିଦ୍ୟାଳୟକୁ ‘ପ୍ରକୃତି ମିତ୍ର’ ପୁରସ୍କାର ମିଳିପାରିଛି ଯାହା ବିଦ୍ୟାଳୟକୁ ଦେଇଛି ଏକ ନିଆରା ପରିଚୟ।

ଶିକ୍ଷକଙ୍କ ସବୁଜ ସଂକଳ୍ପ:ଏମିତି କିଛି ବିଦ୍ୟାଳୟ ରହିଛି ମାଲକାନଗିରି ଜିଲାରେ ଯାହା ବେସରକାରୀ ବିଦ୍ୟାଳୟର ଭ୍ରମ ସୃଷ୍ଟି କରିବ । ସରକାରୀ ବିଦ୍ୟାଳୟରୁ ମୁହଁ ଫେରାଉଥିବା ଅଭିଭାବକମାନଙ୍କୁ ନିଶ୍ଚିତ ସରକାରୀ ବିଦ୍ୟାଳୟ ପ୍ରତି ଆକର୍ଷିତ କରିବ । ବିଦ୍ୟାଳୟଟି ବାହାରୁ ମନ୍ଦିର ଭଳି ଦେଖାଯାଉଛି। ଭିତରକୁ ଗଲେ ପାର୍କର ଭ୍ରମ ସୃଷ୍ଟି ହେଉଛି। କିନ୍ତୁ ଏହା ମନ୍ଦିର ନୁହେଁ କି କୌଣସି ପାର୍କ ନୁହେଁ । ଏହା ଏକ ଶିକ୍ଷାନୁଷ୍ଠାନ। ଏ ହେଉଛି ଉପାନ୍ତ ମାଲକାନଗିରି ଜିଲା ଭେଙ୍କେଟ ପାଲମ ପଞ୍ଚାୟତର ମାଙ୍ଗିପାଲି ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ, କାଙ୍କରକୋଣ୍ଡା କସ୍ତୁରବା ଗାନ୍ଧୀ ବିଦ୍ୟାଳୟ ଓ ମାନମକୋଣ୍ଡା ବିଦ୍ୟାଳୟ।
ସୁନ୍ଦର ପରିବେଶ ପାଇଁ ସାରା ଜିଲାରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଛି । ଏହି ବିଦ୍ୟାଳୟ ପରିସରରେ ଗଣେଶ ମୂର୍ତ୍ତି, ସରସ୍ବତୀ ମୂର୍ତ୍ତି, ବୁଦ୍ଧ ମୂର୍ତ୍ତି, ସୁଭାଷ ବୋଷଙ୍କର ଏକ ଆକର୍ଷଣୀୟ ମୂର୍ତ୍ତି ସହ ବିଦ୍ୟାଳୟ ପରିସରରେ ଏକ ଗଜ ଉଦ୍ଧାରଣ ପାର୍କ ମଧ୍ୟ ରହିଛି ,ଯାହା ଛାତ୍ରୀଛାତ୍ରମାନଙ୍କୁ ବେଶ୍‌ ଆକର୍ଷିତ କରୁଛି । କେବଳ ଛାତ୍ରୀଛାତ୍ରମାନଙ୍କୁ ନୁହେଁ ଜିଲାର ଅନେକ ଲୋକ ମଧ୍ୟ ଉକ୍ତ ବିଦ୍ୟାଳୟର ପରିବେଶକୁ ଉପଭୋଗ କରିବାକୁ ଆସୁଥିବାର ଦେଖିବାକୁ ମିଳିଛି । ପୂର୍ବତନ ଜିଲାପାଳ ମନୀଷ ଅଗ୍ରଓ୍ବାଲ, ପୂର୍ବତନ ପିଡି ଡିଆରଡିଏ ଲିଙ୍ଗରାଜ ପଣ୍ଡା ମଧ୍ୟ ଅନେକ ଥର ଉକ୍ତ ବିଦ୍ୟାଳୟକୁ ଆସି ବିଦ୍ୟାଳୟର ପରିବେଶ ଦେଖି ଖୁସି ହୋଇଛନ୍ତି। ତତ୍କାଳୀନ ଜିଲାପାଳ ବଳବନ୍ତ ସିଂ ମଧ୍ୟ ଉକ୍ତ ବିଦ୍ୟାଳୟକୁ ଅନେକ ଥର ପରିଦର୍ଶନରେ ଆସିଥିଲେ ।

ଏକ ଆଦିବାସୀବହୁଳ ଗ୍ରାମରେ ରହିଥିବା ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାନ ୨୦୧୬ ମସିହାରେ ଦାୟିତ୍ୱ ନେବା ପରେ ବିଦ୍ୟାଳୟର ପରିବେଶ ସଂପୂର୍ଣ୍ଣ ପରିବର୍ତ୍ତନ ହୋଇଯାଇଥିଲା । ବର୍ତ୍ତମାନ ଏହି ବିଦ୍ୟାଳୟଟି ଏକ ଆଦର୍ଶ ବିଦ୍ୟାଳୟ ତାଲିକାରେ ରହିଛି। ବିଦ୍ୟାଳୟର ଏହି ପରିବେଶ ପାଇଁ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାନଙ୍କୁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ପୁରସ୍କାର ମିଳିଛି । ଏହି ବିଦ୍ୟାଳୟରେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିବାର ବ୍ୟବସ୍ଥା ରହିଛି। ଏମାନଙ୍କ ମଧ୍ୟରେ କେତେକ ଛାତ୍ରୀଛାତ୍ର ଛାତ୍ରାବାସରେ ରହି ପାଠ ପଢୁଥିବା ଜଣାପଡ଼ିଛି । ସ୍ବଚ୍ଛ ଭାରତ ଅଭିଯାନ, ପରିବେଶ ସଚେତନତା ଅଭିଯାନ ମାଧ୍ୟମରେ ମଧ୍ୟ ପ୍ରଧାନ ଶିକ୍ଷକ ପ୍ରଧାନ ଆଦିବାସୀ କୋୟା ଜନଜାତିବହୁଳ ମାଙ୍ଗିପାଲି ଗ୍ରାମରେ ବୁଲି ବୁଲି ଲୋକଙ୍କୁ ସଚେତନ ମଧ୍ୟ କରାଇଥାନ୍ତି। ପ୍ରଧାନ ଶିକ୍ଷକଙ୍କ ଏହିପରି କାର୍ଯ୍ୟଶୈଳୀ ଦେଖି ତତ୍କାଳୀନ ଜିଲାପାଳ ମନୀଷ ଅଗ୍ରୱାଲ ମଧ୍ୟ ନିଜ କାର୍ଯ୍ୟାଳୟ ପରିସର ପରିବେଶକୁ ସୌନ୍ଦର୍ଯ୍ୟକରଣ କରିବାକୁ ଦାୟିତ୍ୱ ଦେଇଥିଲେ। ଏଥିସହ ଏହି ଶିକ୍ଷକ ୧୯୮୮ ମସିହାରେ ପ୍ରଥମେ କାଲିମେଳା ବ୍ଲକର କୋଇମେଟେଲା ବିଦ୍ୟାଳୟରେ ଯୋଗ ଦେଇଥିଲେ। ଆଗରୁ ୧୯୯୧ ମସିହାରେ ସେ ମନ୍ମମକୋଣ୍ଡା ବିଦ୍ୟାଳୟରେ ଯୋଗ ଦେଇଥିଲେ। ସେଠାରେ ମଧ୍ୟ ସେ ନିଜ ଚେଷ୍ଟାରେ ବିଦ୍ୟାଳୟ ପରିସରକୁ ସରସ ସୁନ୍ଦର କରିଥିଲେ। ୨୦୧୧ ମସିହା ପର୍ଯ୍ୟନ୍ତ ସେ ସେହି ସ୍କୁଲରେ ଥିଲେ। ସେତେବେଳେ ବି ବିଦ୍ୟାଳୟକୁ ସୁନ୍ଦର କରିବା ପାଇଁ ଚର୍ଚ୍ଚାରେ ଆସିଥିଲେ। ପରେ ୨୦୧୧ରେ ତାଙ୍କୁ କଙ୍କରକୋଣ୍ଡା କସ୍ତୁରବା ବିଦ୍ୟାଳୟକୁ ବଦଳି କରାଯାଇଥିଲା। ସେଠାରେ ବି ବିଦ୍ୟାଳୟକୁ ସେ ଖୁବ୍‌ ସୁନ୍ଦର ଆଦର୍ଶ ବିଦ୍ୟାଳୟ ରୂପରେ ଗଢ଼ିଥିଲେ। ଏହାପରେ ତାଙ୍କୁ ୨୦୧୬ରେ ମାଙ୍ଗିପାଲି ବିଦ୍ୟାଳୟକୁ ବଦଳି କରାଯାଇଥିଲା, ଯାହାକୁ ସବୁଜ ସୁନ୍ଦର କରିବା ପାଇଁ ସେ ସଂକଳ୍ପ ନେଇଥିଲେ। ସେଥିରେ ତାଙ୍କୁ ବିଦ୍ୟାଳୟ କମିଟି, ଛାତ୍ରୀଛାତ୍ରଙ୍କ ଅଭିଭାବକ ଓ ସହକର୍ମୀ ଶିକ୍ଷକ ମାନେ ସାହାଯ୍ୟ ଓ ସହଯୋଗ କରିବା ସହ ଜିଲାପାଳ ମଧ୍ୟ ସାହାଯ୍ୟର ହାତ ବଢ଼ାଇଥିଲେ।

ଆକର୍ଷଣ ସାଜିଛି ପାତାଳି ଏକ୍ସପ୍ରେସ:ଅଧିକାଂ ସରକାରୀ ବିଦ୍ୟାଳୟକୁ ଏତେ ଗୁରୁତ୍ୱ ଦିଅନ୍ତି ନାହିଁ। ଭାବନ୍ତି ସରକାରୀ ବିଦ୍ୟାଳୟରେ ପାଠ ପଢ଼ି ପିଲା ପ୍ରତିଯୋଗିତାମୂଳକ ଦୁନିଆରେ ସଫଳତା ପାଇପାରିବ ତ ? ବହୁତ ଗୁଡିଏ ବେସରକାରୀ ଶିକ୍ଷାନୁଷ୍ଠାନ ଗଢ଼ି ଉଠିବା ଓ ତାହାର ପାଠପଢ଼ା ଓ ପରିବେଶକୁ ଦେଖି ଏଭଳି ଅନେକଙ୍କ ମନରେ ଆସିବା କିଛି ଅସ୍ବାଭାବିକ କଥା ନୁହେଁ। ହେଲେ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର କଇରାଝୁଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅନ୍ୟ ବିଦ୍ୟାଳୟ ପାଇଁ ଏବେ ଉଦାହରଣ ପାଲଟିଛି। ବେସରକାରୀ ବିଦ୍ୟାଳୟକୁ ଶିକ୍ଷା, ଭିତ୍ତିଭୂମି ଓ ଶୈକ୍ଷିକ ବାତାବରଣରେ ପଛରେ ପକାଇ ଦେଇଛି ଏହି ସରକାରୀ ବିଦ୍ୟାଳୟ । ଏହି ସ୍କୁଲ ବାଟ ଦେଇ ଯିଏ ଥରେ ଯାଉଛି ଘଡିଏ ସେଇଠି ଅଟକି ରହୁଛି । ସ୍କୁଲର କାନ୍ଥବାଡ କଥା ତ ଛାଡ ସ୍କୁଲ ହତାରେ ଛିଡ଼ା ହୋଇଛି ଏକ ଟ୍ରେନ୍‌। ଟ୍ରେନ୍‌ର ନଁା ପୁଣି ପାତାଳି ଏକ୍ସପ୍ରେସ। ଷ୍ଟେଶନର ନାମ କରାଇଝୁଲି। ପୁଣି ଟ୍ରେନ୍‌ ଯିବ ପାତାଳି ଶ୍ରୀକ୍ଷେତ୍ରରୁ ପୁରୀ ବୋଲି ଲେଖାଅଛି। ପ୍ରକୃତରେ ଏହା ଟ୍ରେନ୍‌ ନୁହେଁ, ସ୍କୁଲର ସାଇକେଲ ଷ୍ଟାଣ୍ଡ। ସତରେ ଦେଖିବାକୁ ଗଲେ କ’ଣ ନାହିଁ ଏହି ବିଦ୍ୟାଳୟରେ । ଶିକ୍ଷୟିତ୍ରୀ ଶିକ୍ଷକ, ରୋଷେୟା ଓ ଛାତ୍ରୀଛାତ୍ର ମିଶି ଏହି ବିଦ୍ୟାଳୟକୁ ସୁନ୍ଦର ଭାବେ ସଜେଇ ଦେଇଛନ୍ତି । କରୋନା ସମୟରେ ପିଲାମାନେ ସିନା ବିଦ୍ୟାଳୟ ଆସୁନାହାନ୍ତି ଶିକ୍ଷୟିତ୍ରୀ ଶିକ୍ଷକ କିନ୍ତୁ ବିଦ୍ୟାଳୟ ଆସି ଘାସ ବାଛିବା ସହିତ ଗଛ ଲତାରେ ପାଣି ଦେଉଛନ୍ତି । ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ବିଭିନ୍ନ ଶିକ୍ଷଣୀୟ ମଡେଲ୍‌ ନିର୍ମାଣ ହୋଇଛି, ଯାହାଦ୍ୱାରା କି ଛାତ୍ରୀଛାତ୍ର ବିଦ୍ୟାଳୟରେ ପାଠ ପଢ଼ିବାକୁ ଆଗ୍ରହୀ ହେବେ। ସ୍ବଚ୍ଛ, ସବୁଜ ଓ ସୁନ୍ଦର ଶୈକ୍ଷିକ ପରିବେଶ ସମସ୍ତଙ୍କ ନଜରରେ ଭିନ୍ନ ପରିଚୟ ସୃଷ୍ଟି କରୁଛି । ଏହି ବିଦ୍ୟାଳୟ ୧୯୫୬ ମସିହାରେ ପ୍ରତିଷ୍ଠା ହୋଇଥିଲା । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଏଠାରେ ପାଠ ପଢୁଛନ୍ତି । ଚଳିତ ବର୍ଷ ବିଦ୍ୟାଳୟର ମୋଟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୧୬୨ । ମୋଟ ୮ ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନେଇ ଶିକ୍ଷାଦାନ ଚାଲିଛି । ବିଦ୍ୟାଳୟର ସହକାରୀ ଶିକ୍ଷକ ହୃଷୀକେଶ ଚାନ୍ଦ କୁହନ୍ତି, ‘୬ ବର୍ଷ ହେଲା ଏହି ସ୍କୁଲରେ ଚାକିରି କରିଆସୁଛି । ଆମ ଘରଠାରୁ ବିଦ୍ୟାଳୟର ଦୂରତା ୧୦ କିଲୋମିଟର । ପିଲାଦିନୁ ପରିବେଶ ପ୍ରତି ଆଗ୍ରହ ଥିଲା । ବିଦ୍ୟାଳୟ ପରିସରରେ ବିଭିନ୍ନ ଗଛଲତା ଲଗାଇ ତା’ର ଯତ୍ନ ନେଇଥିଲୁ । ସେ ଦିନର ପ୍ରୟାସ ଏବେ ସାକାର ହୋଇଛି ।’ ଚଳିତ ବର୍ଷ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଦ୍ୟାଳୟକୁ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଏହି ବିଦ୍ୟାଳୟ ୨୦୧୨ରେ ଉଲୁଣ୍ଡା ବ୍ଲକ ସ୍ତରରେ ଶ୍ରେଷ୍ଠ ବିଦ୍ୟାଳୟ ପରିଚାଳନା କମିଟି, ୨୦୧୪ରେ ଜିଲାସ୍ତରରେ ଶ୍ରେଷ୍ଠ ବିଦ୍ୟାଳୟ ପରିଚାଳନା କମିଟି, ୨୦୧୫-୧୬ରେ ଜିଲାସ୍ତରରେ ଶ୍ରେଷ୍ଠ ମଧ୍ୟାହ୍ନ ଭୋଜନ ପରିଚାଳନା କମିଟି, ୨୦୧୭ରେ ଜିଲାସ୍ତରୀୟ ସ୍ବଚ୍ଛ ବିଦ୍ୟାଳୟ ପୁରସ୍କାର ଓ ୨୦୧୯ରେ ରାଜ୍ୟସ୍ତରୀୟ ସ୍ବଚ୍ଛ ବିଦ୍ୟାଳୟ ପୁରସ୍କାର ହାସଲ କରିଛି । ସେହିପରି ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଶିଶୁ ସଞ୍ଚୟନ ଯୋଜନାରେ ପ୍ରାୟ ୨ଲକ୍ଷ ଟଙ୍କା ସଂଗ୍ରହ ହୋଇପାରିଛି । ବିଦ୍ୟାଳୟର ପ୍ରାକ୍ତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେଶ ପ୍ରଧାନ କୁହନ୍ତି, ‘ମୋ ଘରଠାରୁ ବିଦ୍ୟାଳୟର ଦୂରତା ମାତ୍ର ୨ କିଲୋମିଟର । ଦୀର୍ଘ ବର୍ଷ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହିଥିଲି । ବିଦ୍ୟାଳୟର ୨ ଏକର ଜାଗାରୁ ୧ ଏକର ଜାଗାର ଉନ୍ନତୀକରଣ ପାଇଁ ୨୦୧୧ରେ ନିଷ୍ପତ୍ତି ନେଲୁ । ବିଧାୟକଙ୍କ ଅନୁଦାନରୁ ବିଦ୍ୟାଳୟର ପ୍ରାଚୀର, ସାଇକେଲ ଷ୍ଟାଣ୍ଡ, ଜିଲା ପରିଷଦ ସଦସ୍ୟଙ୍କ ଉଦ୍ୟମରୁ କଂକ୍ରିଟ୍‌ ରୋଡ ଓ ସରପଞ୍ଚଙ୍କ ଉଦ୍ୟମରୁ ଶୌଚାଳୟ ନିର୍ମାଣ ହୋଇଛି । ବିଦ୍ୟାଳୟକୁ ମିଳିଥିବା କମ୍ପୋଜିଟ୍‌ ଗ୍ରାଣ୍ଟରୁ ବିଭିନ୍ନ ପ୍ରକାର ଶିକ୍ଷଣୀୟ ଚିତ୍ର ଆଙ୍କିବା ସହ ବଗିଚା ପ୍ରସ୍ତୁତ ହୋଇଛି । ବିଦ୍ୟାଳୟ ବଗିଚାରେ ଜିନିଆ, ଗୋଲାପ, ଗେଣ୍ଡୁ, ଚାଇନା ଟଗର, ମନ୍ଦାର, ଚମ୍ପା କେଦାର ଗୌରୀ ଆଦି ବିଭିନ୍ନ ପ୍ରକାର ଫୁଲ ଗଛ ଲାଗିଛି । ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ ନିର୍ମାଣ ହୋଇଛି । ସେହିପରି ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ଲାଇବ୍ରେରିର ବ୍ୟବସ୍ଥା ହୋଇଛି । ବିଦ୍ୟାଳୟ କାନ୍ଥରେ ଦେଶ ଓ ରାଜ୍ୟର ପ୍ରାକ୍ତନ୍‌ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଫଟୋ ଓ ନାମ ରହିଛି । କବିକୃତି କାନ୍ଥରେ ବିଶିଷ୍ଟ କବିଙ୍କ ନାମ ଓ ଫଟୋଚିତ୍ର ଅଙ୍କନ ହୋଇଛି । ବିଶିଷ୍ଟ କ୍ରୀଡାବିତ୍‌ଙ୍କ ବିଷୟରେ ପିଲାମାନେ ଜାଣିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଛାତ୍ରୀଛାତ୍ରଙ୍କ ଚିତ୍ତବିନୋଦନ ପାଇଁ ପାର୍କ ଓ ଦୋଳି ରହିଛି। ୨୦୨୦ ମସିହା ଡିସେମ୍ବରରୁ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ଜନାର୍ଦ୍ଦନ ସାହୁ କୁହନ୍ତି, ‘ବିଦ୍ୟାଳୟକୁ ସୁନ୍ଦର ଓ ଶ୍ରେଷ୍ଠ କରିବା ପାଇଁ ଆମେ ଉଦ୍ୟମ କରିଛୁ। ଏଥିରେ ସମସ୍ତଙ୍କର ସହଯୋଗ ରହିଛି। ପାଠ ପଢ଼ାରେ ମଧ୍ୟ ବିଦ୍ୟାଳୟ ବେଶ୍‌ ଆଗରେ ଅଛନ୍ତି।
କେବଳ ଏହି କେତୋଟି ସ୍କୁଲ ନୁହେଁ, ସାରା ଓଡ଼ିଶାରେ ରହିଛି ଏମିତି ଅନେକ ସ୍କୁଲ, ଯାହାକି ଶିକ୍ଷକ ଏବଂ ଛାତ୍ରୀଛାତ୍ରଙ୍କ ସହଯୋଗରେ ଖୁବ୍‌ ସୁନ୍ଦର ହେବା ସହ ଏକ ଆଦର୍ଶ ବିଦ୍ୟାଳୟରେ ପରିଣତ ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି।

-ରୋଜାଲିନ୍‌ ମହାନ୍ତି
ତଥ୍ୟ ସହାୟତା : ମୃତ୍ୟୁଞ୍ଜୟ ଶତପଥୀ, ନୃସିଂହ ଚରଣ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri