ଜଙ୍ଗଲରେ ନିଆଁ ଲାଗିଲେ ସତର୍କ କରାଇବ ସାଟେଲାଇଟ୍‌

ଭଞ୍ଜନଗର,୨୫।୨(ବାବୁଲା ପ୍ରଧାନ): ଫେବୃୟାରୀ ମାସ ଶେଷ ସପ୍ତାହରୁ ହିଁ ତାତି ଆରମ୍ଭ ହୋଇଗଲାଣି । ଆଗକୁ ତାତି ଭୟଙ୍କର ହେବ । ବିଗତ ୫ମାସ ହେବ ଭଞ୍ଜନଗର ଅଞ୍ଚଳରେ ବର୍ଷା ସେଭଳି ପ୍ରାୟ ହୋଇନାହିଁ । ମଝିରେ ମଝିରେ ସାମାନ୍ୟ ବର୍ଷା ହୋଇଛି । ବର୍ଷା ନଥିବା ଯୋଗୁ ଭୂତଳ ଜଳସ୍ତର ବହୁତ ତଳକୁ ଚାଲିଗଲାଣି। ଭଞ୍ଜନଗର ସହର ତଳି ଲଣ୍ଡେଇସାହିରେ ବର୍ତ୍ତମାନଠାରୁ ପାନୀୟ ଜଳ ସମସ୍ୟା ଦେଖାଦେଲାଣି। ଆଗକୁ ଆହୁରି ଭୟଙ୍କର ପରିସ୍ଥିତି ହେବାର ସମ୍ଭାବନା ରହିଛି। ବ୍ଲକର ଅନ୍ୟ ଅଞ୍ଚଳରେ ମଧ୍ୟ ପାନୀୟ ଜଳ ସମସ୍ୟା ଦେଖାଦେଲାଣି। ସରକାର ସମସ୍ତ ଘରକୁ ପାଇପ ଯୋଗେ ପାଣି ଯୋଗାଣ ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ଉକ୍ତ ମେଗା ପ୍ରକଳ୍ପ କାମ ବିଗତ କିଛିମାସ ହେବ ଆରମ୍ଭ ହୋଇଛି। ତାହା ସରିବାକୁ ଏକ ବର୍ଷରୁ ଊର୍ଦ୍ଧ୍ୱ ଦିନ ଲାଗିଯିବ । ମେଗା ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପାନୀୟ ଜଳ ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି । ବର୍ଷା ନଥିବା ଜଙ୍ଗଲ ଜମି ଶୁଷ୍କ ଅଛି । ଗଛର ପତ୍ର ଝଡ଼ା ଦେଉଛି । ତେଣୁ ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ମଧ୍ୟ ନିଅଁା ଲାଗିବା ସମ୍ଭାବନା ରହିଛି । ତେଣୁ ଏହାକୁ ଆଖି ଆଗରେ ରଖି ବିଭାଗ ପକ୍ଷରୁ ମୁଜାଗଡ଼, କେନ୍ଦ୍ରୀୟ, ତାରସିଂ, ଗାଲେରୀ, ଜଗନ୍ନାଥପ୍ରସାଦ ରେଞ୍ଜରେ ବାରମ୍ବାର ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏଥିସହ ଜଙ୍ଗଲରେ ଫାୟାର ଲାଇନ କଟାଯାଉଛି । ଫାୟାର ଲାଇନ କଟାଗଲେ ଜଙ୍ଗଲରେ ଅଧିକ ଅଞ୍ଚଳକୁ ନିଅଁା ବ୍ୟାପିବ ନାହିଁ । ତେଣୁ ପ୍ରତ୍ୟେକ ଜଙ୍ଗଲରେ ବର୍ତ୍ତମାନ ଫାୟାର ଲାଇନ କଟା କାର୍ଯ୍ୟଚାଲିଛି । ଗତ ବର୍ଷର ଜଙ୍ଗଲ ପୋଡ଼ିକୁ ଦେଖି ସେଚ୍ଛାସେବୀମାନେ ମଧ୍ୟ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଜଙ୍ଗଲ ପୋଡ଼ିକୁ ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି । ଜଙ୍ଗଲ ଏବଂ ବନ୍ୟପ୍ରାଣୀ କିଭଳି ସୁରକ୍ଷିତ ରହିବ ସେନେଇ ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି ଦୈନନ୍ଦିନ ବିଭିନ୍ନ ରେଞ୍ଜ ଗସ୍ତ କରି ସମୀକ୍ଷା କରୁଛନ୍ତି। ସୂଚନାଯୋଗ୍ୟ, ଯେ ପୂର୍ବରୁ ଜଙ୍ଗଲରେ ନିଅଁା ଲାଗିଲ ଗ୍ରାମବାସୀଙ୍କ ସୂଚନାକୁ ଆଧାର କରି ନିଅଁାକୁ ଦମନ କରାଯାଉଥିଲା । କିନ୍ତୁ ବିଗତ ଦୁଇବର୍ଷ ହେବ ସାଟେଲାଇଟ୍‌ ମାଧ୍ୟମରେ ଜଙ୍ଗଲ ନିଅଁାକୁ ଠାବ କରାଯାଉଛି । ଏହାପରେ ସମ୍ପୃକ୍ତ ଅଞ୍ଚଳର ବିଭାଗୀୟ କର୍ମଚାରୀଙ୍କ ପାଖକୁ କେଉଁ ଜଙ୍ଗଲରେ ନିଅଁା ଲାଗିଛି ଏକ ଆଲର୍ଟ ମେସେଜ୍‌ ଆସୁଛି । ଏହାପରେ କର୍ମଚାରୀମାନେ ବନ ସୁରକ୍ଷା ସମିତି କର୍ମକର୍ତ୍ତାମାନଙ୍କୁ ନେଇ ନିଅଁାକୁ ଦମନ କରିବା ପାଇଁ ଲାଗିପଡ଼ନ୍ତି । ଯଦି ନିଅଁା ଲିଭାଇବାରେ ବିଳମ୍ବ ହୁଏ ତେବେ ପୁଣି ଆଲର୍ଟ ମେସେଜ୍‌ ଆସିଥାଏ । ତେଣୁ ପୂର୍ବ ଅପେକ୍ଷା ଜଙ୍ଗଲ ନିଅଁାକୁ ଠାବ କରିବା ସହଜ ହୋଇପଡ଼ିଛି ।