କ୍ଷମତାର ଅପବ୍ୟବହାର କରି ସରକାରଙ୍କୁ ଲୁଟୁଥିଲେ ସରପଞ୍ଚ

ଲୋଇସିଂହା,୨୭।୧: କ୍ଷମତାର ଅପବ୍ୟବହାର କରି ନିଜ ଦୁଇ ସମ୍ପର୍କୀୟଙ୍କ ନାଁରେ ୨ଟି ଗ୍ରାମୀଣ ଆବାସ ଘର ହାତେଇବା ବଲାଙ୍ଗୀର ସଦର ବ୍ଲକ ଲୋଇସିଂହା ଥାନା ଅନ୍ତର୍ଗତ ମନହୀରା ପଞ୍ଚାୟତର ସରପଞ୍ଚ ବ୍ରଜ ପୁଟେଲଙ୍କୁ ମହଙ୍ଗା ପଡିଛି। ପ୍ରଶାସନିକ ତଦନ୍ତ ପରେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଚିଠି ସଂଖ୍ୟା ୧୬୧୦/ତା୨୫ା୧।୨୦୨୧ରେ ତାଙ୍କୁ ନିଲମ୍ବିତ କରାଯାଇଛି ।

 

ସୂଚନାଯୋଗ୍ୟ, ସରପଞ୍ଚ ପୁଟେଲଙ୍କ ଭଣଜା ହେମନ୍ତ ପୁଟେଲଙ୍କ ଘର ସୁବର୍ଣ୍ଣପୁର ଜିଲା ଦିଗଶିରା ଗାଁରେ। ତାଙ୍କ ନାମରେ ୨୦୧୭-୧୮ ଆର୍ଥିକ ବର୍ଷରେ କାର୍ଯ୍ୟାଦେଶ ସଂଖ୍ୟା ୫୧୪୫/ତା ୬ା୧୨ା୧୭ରିଖରେ ଆବାସ ଯୋଜନାରେ ଏକ ଘର ଦିଆଯାଇଥିଲା। ଧାର୍ଯ୍ୟ ସମୟରେ ଘର କାମ ସାରିଥିବାରୁ ତାଙ୍କୁ ପ୍ରୋତ୍ସାହନ ରାଶି ବାବଦକ ୨୦ହଜାର ଟଙ୍କା ଦିଆଯାଇଥିଲା। ପରେ ସରପଞ୍ଚଙ୍କ ବାପା ଡମନ ପୁଟେଲଙ୍କ ନାମରେ ଆବାସ ଯୋଜନାରେ ଏକ ଘର ଆବଣ୍ଟିତ କରାଯାଇଥିଲା। ଏହାଜଣା ପଡିବା ପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। ୨୦୨୦ ଜାନୁୟାରୀ ୨୦ତାରିଖରେ ପାଟଣାଗଡ଼ରେ ଚାଲିଥିବା ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ପଞ୍ଚାୟତର ଜନସାଧାରଣ ଏନେଇ ଲିଖିତ ଭାବେ ଜଣାଇଥିଲେ। ଏହି ଘଟଣାରେ ତତ୍କାଳୀନ ଜିଲାପାଳ ଅରିନ୍ଦମ ଡାକୁଆ ଉପଜିଲାପାଳଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।ଅଭିଯୋଗରେ ସତ୍ୟତା ରହିଥିବା ଉପଜିଲାପାଳ ସେହି ମାସ ୩୧ ତାରିଖର ରିପୋର୍ଟରେ ଉଲ୍ଲେଖ କରିଥିଲେ । ଉକ୍ତ ରିପୋର୍ଟରେ ଉଭୟ ଆବାସ ବାବଦ ଟଙ୍କା ସାଢେ ୧୨ ପ୍ରତିଶତ ସୁଧ ଜମା କରିବା ପାଇଁ ସରପଞ୍ଚଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉପଜିଲାପଲାଙ୍କ ତଦନ୍ତ ରିପୋର୍ଟ ହସ୍ତଗତ ପରେ ୨୦୨୦ ଫେବୃୟାରୀ ୨୯ରେ ସେତେବେଳର ଜିଲାପାଳ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଞ୍ଚାୟତିରାଜ ନିର୍ଦ୍ଦେଶକଙ୍କୁ ସୁପାରିଶ କରିଥିଲେ। ସେହି ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।