ସାନ୍ତାଳି ସମ୍ପ୍ରଦାୟ ନିଜ ଭାଷା, ସଂସ୍କୃତିକୁ ନେଇ ଗର୍ବ କରନ୍ତୁ

ଭୁବନେଶ୍ୱର, ୧୭।୫ (ବ୍ୟୁରୋ):ହୀନମନ୍ୟତା ପରିହାର ନ କଲେ କୌଣସି ଜାତି ଓ ଭାଷା ନିଜର ସ୍ବାଭିମାନ ପ୍ରତିଷ୍ଠା କରିପାରିବ ନାହିଁ। ସୋମବାର ଗୀତଗୋବିନ୍ଦ ଭବନଠାରେ ସାନ୍ତାଳି, ଅଲ୍‌ଚିକି ଭାଷାର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହା କହିଛନ୍ତି। ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଆଦିମ୍‌ ଆଓ୍ବାର୍‌ ଜାର୍କା ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ଉତ୍ସବକୁ ଉଦ୍‌ଘାଟନ କରି ମନ୍ତ୍ରୀ ମାର୍ଣ୍ଡି କହିଲେ, ପଣ୍ଡିତ ମୁର୍ମୁ ଥିଲେ ଏକାଧାରରେ ସାହିତି୍ୟକ, ଦାର୍ଶନିକ ଓ ସାଂସ୍କୃତିକ ସଙ୍ଗଠକ। ତାଙ୍କ ଭଳି ବ୍ୟକ୍ତିତ୍ୱ ଅନ୍ୟମାନଙ୍କ ପାଇଁ ପ୍ରେରଣା। ସାନ୍ତାଳି ସମ୍ପ୍ରଦାୟର ଲୋକମାନେ ନିଜର ଭାଷା ଓ ସଂସ୍କୃତିକୁ ନେଇ ଗର୍ବ ଅନୁଭବ କରିବାକୁ ମନ୍ତ୍ରୀ ଆହ୍ବାନ ଦେଇଥିଲେ।
ମୁଖ୍ୟବକ୍ତା ଭାବେ ଜନଜାତି ବିଶେଷଜ୍ଞ ଡ. ପରମାନନ୍ଦ ପଟେଲ ଯୋଗଦେଇ କହିଲେ, ସାନ୍ତାଳି ଭାଷାରେ ତ୍ରିଭାଷିକ ଅଭିଯାନ ତିଆରି ଚାଲିଛି। ଏହା ପ୍ରକାଶ ପାଇଲେ ସାନ୍ତାଳି ଭାଷାର ପ୍ରସାରରେ ସହାୟକ ହୋଇପାରିବ। ସମ୍ମାନିତ ଅତିଥି ଭାବେ ଆଦିମ୍‌ ଆଓ୍ବାର୍‌ ଜାର୍କା ସଭାପତି କାରୁ ମୁର୍ମୁ ଯୋଗଦେଇ ସାନ୍ତାଳି ଭାଷା ସ୍କୁଲ, କଲେଜର ପାଠ୍ୟକ୍ରମରେ କିପରି ଅଧିକରୁ ଅଧିକ ଅନ୍ତର୍ଭୁକ୍ତ ହୋଇପାରିବ ସେ ଦିଗରେ ସରକାର ଧ୍ୟାନ ଦେବା ଉଚିତ୍‌ ବୋଲି ମତବ୍ୟକ୍ତ କରିଥିଲେ। ଏକାଡେମୀ ସଭାପତି ଡ. ହୃଷୀକେଶ ମଲ୍ଲିକ ଏଥିରେ ସଭାପତିତ୍ୱ କରିଥିଲେ। ୨୦୨୫ରେ ଅଲ୍‌ଚିକି ଭାଷାର ଜନ୍ମ ଶତବାର୍ଷିକୀ ପାଳନ କରିବାକୁ ମନ୍ତ୍ରୀ ଦେଇଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ଦିଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ସବୁମତେ ସହଯୋଗ କରିବ ବୋଲି ଡ. ମଲ୍ଲିକ ପ୍ରତିଶ୍ରୁତି ଦେଇଥିଲେ। ଏକାଡେମୀ ଉପସଭାପତି ଡ. ସଂଗ୍ରାମ ଜେନା ଅଲ୍‌ଚିକି ଭାଷାର ବିଶେଷତ୍ୱ ଉପରେ ନିଜର ମତ ରଖିବା ସହ ସମାପନୀ ବକ୍ତବ୍ୟ ଦେଇଥିଲେ। ରବିନାରାୟଣ ରାୟ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଏକାଡେମୀ ଉପବିଭାଗ ଅଧିକାରୀ ସଞ୍ଜୟ କୁମାର ଛୁଆଳସିଂ ଧନ୍ୟବାଦ ଦେଇଥିଲେ। ଶେଷରେ ସାନ୍ତାଳି ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା।