ଭିତ୍ତିପ୍ରସ୍ତରରେ ଅଟକିଛି ସାଲ୍‌କି ସେତୁ

ଫୁଲବାଣୀ ଅଫିସ, ୨।୧ – ଫୁଲବାଣୀ ବ୍ଲକ ଆଲାମୀ ପଞ୍ଚାୟତ ନୂଆଁରିପଦରଠାରେ ସାଲୁଙ୍କି ନଦୀରେ ଏକ ପୋଲ ନିର୍ମାଣ ପାଇଁ ଲୋକେ ବହୁଦିନ ଧରି ଦାବି କରିଆସୁଥିଲେ। ଲୋକଙ୍କ ସମସ୍ୟାକୁ ବୁଝି ସରକାର ପୋଲ ନିର୍ମାଣ ପାଇଁ ସ୍ବୀକୃତି ଦେବାସହ ଭିତ୍ତିପ୍ରସ୍ତର ସ୍ଥାପନ ହେଲା। ମାତ୍ର ଭିତ୍ତିପ୍ରସ୍ତର ସ୍ଥାପନକୁ ଦେଢ଼ବର୍ଷ ବିତିଥିଲେ ମଧ୍ୟ କାମ ଆରମ୍ଭ ହେଉନି। କେବେ ପୋଲ ହେବ ଓ ଅଞ୍ଚଳବାସୀଙ୍କ ଦୁର୍ଦ୍ଦଶା ଦୂରହେବ ଚାହିଁ ବସିଛନ୍ତି ୩୦ ଗ୍ରାମର ଲୋକେ।
ପ୍ରକାଶ ଯେ, ଆଲାମୀ ପଞ୍ଚାୟତ ନୂଆଁରିପଦରଠାରେ ବଡ ସାଲୁଙ୍କୀ ନଦୀ ଉପରେ ‘ସାଲ୍‌କି ସେତୁ’ ନିର୍ମାଣ ପାଇଁ ୨୦୧୯ ମାର୍ଚ୍ଚରେ ରାଜ୍ୟ ସରକାର ଘୋଷଣା କରିଥିଲେ। ଏହା ପରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବଡ଼ ଜାକଜମକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସେହି ସମୟର ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପୋଲ ହେବା ଆଶାରେ ୩୦ ଖଣ୍ଡ ଗ୍ରାମବାସୀଙ୍କ ମୁହଁରେ ହସ ଫୁଟିଥିଲା। ହେଲେ ଦେଢବର୍ଷ ପରେ ମଧ୍ୟ କାମ ଆରମ୍ଭ ହୋଇନାହିଁ। ଏବେ ଲୋକଙ୍କ ମଧ୍ୟରେ ଅସନ୍ତୋଷ। ନିର୍ବାଚନକୁ ଆଖିଆଗରେ ରଖି ଭିତ୍ତିପ୍ରସ୍ତର ଭେଳିକି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କେବେ ପୋଲ ନିର୍ମାଣ ହେବ ତାହା କେହି ଠିକ୍‌ରେ କହୁନାହାନ୍ତି ବୋଲି ଗ୍ରାମ ଯୁବକ ସଂଘ ସଭାପତି ଅନନ୍ତ ଚରଣ କହଁର, ସମ୍ପାଦକ ଅର୍ଜୁନ କହଁର ଓ ଅନ୍ୟମାନେ ପ୍ରକାଶ କରିଛନ୍ତି।
ପୋଲ ନ ଥିବାରୁ ପ୍ରତ୍ୟେକ ବର୍ଷ ଅସ୍ଥାୟୀ କାଠପୋଲ ନିର୍ମାଣ କରି ଲୋକେ ଯାତାୟାତ କରୁଛନ୍ତି। ଗତ କିଛିଦିନ ତଳେ ରାଣୀଖଣ୍ଡି ଠାରେ ସାଇନିପଦର ଗ୍ରାମର ସଟ୍ଟାକର ଯୁବକ ସଂଘର ସଦସ୍ୟମାନେ ନଦୀ ଉପରେ ଅସ୍ଥାୟୀ କାଠପୋଲ ନିର୍ମାଣ ସହ ଉଭୟ ପାର୍ଶ୍ୱରେ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିଛନ୍ତି। ନଦୀର ଅପରପାର୍ଶ୍ୱରେ ରହୁଥିବା ଆଲାମୀ, ଦୁଡୁକି ଆଦି ପଞ୍ଚାୟତର ପ୍ରାୟ ୩୦ ଖଣ୍ଡ ଛୋଟଛୋଟ ଗ୍ରାମର ଲୋକେ ଏହି ପୋଲ ଉପରେ ଯାତାୟାତ କରିଥାନ୍ତି, ମାତ୍ର ଆମ୍ବୁଲାନ୍ସ, ଦମକଳ ଗାଡ଼ି ଯାଇପାରେନି। ବର୍ଷାଦିନେ ଏହା ବିଚ୍ଛିନ୍ନାଞ୍ଚଳରେ ପରିଣତ ହୁଏ।
ତୁରନ୍ତ ଉକ୍ତ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଅଞ୍ଚଳର ଅଲେଖ କହଁର, ଜଳନ୍ଧର କହଁର, ଯଶବନ୍ତ କହଁର, ଗୁଗୁନା ଦଳଛତ୍ର, ଇନ୍ଦ୍ର ଦଳଛତ୍ର, ଶୁରସେନ କହଁରଙ୍କ ସମେତ ଅନ୍ୟମାନେ ଦାବି କରିଛନ୍ତି।