Categories: ଖେଳ

ବ୍ୟାଟରଙ୍କ ପାଇଁ ବଦଳିଲା ନିୟମ

ଲଣ୍ଡନ,୯।୩: ମାରିଲେବୋନ କ୍ରିକେଟ କ୍ଲବ (ଏମ୍‌ସିସି) ବୁଧବାର କ୍ରିକେଟର ଅନେକ ନିୟମରେ ପରିବର୍ତ୍ତନ କରିଛି। ଏଥି ମଧ୍ୟରେ ବ୍ୟାଟରଙ୍କ ଲାଗି ଦୁଇଟି ନିୟମରେ ସଂଶୋଧନ କରାଯାଇଛି। ନୂଆ ନିୟମ ଚଳିତ ବର୍ଷ ଅକ୍ଟୋବରରୁ କାର୍ଯ୍ୟକରୀ ହେବ।

ବ୍ୟାଟରଙ୍କ ଲାଗି ଉଦ୍ଦିଷ୍ଟ ୧୮.୧୧ ନିୟମରେ ପରିର୍ତ୍ତନ କରାଯାଇଛି। କୌଣସି ବ୍ୟାଟର କ୍ୟାଚ୍‌ ଆଉଟ୍‌ ହେଲେ ନୂଆ ବ୍ୟାଟରଙ୍କୁ ହିଁ ପରବର୍ତ୍ତୀ ବଲର ସମ୍ମଖୁୀନ ହେବାକୁ ପଡ଼ିବ। କିନ୍ତୁ ଓଭରର ଅନ୍ତିମ ବଲରେ କୌଣସି ବ୍ୟାଟର କ୍ୟାଚ୍‌ ଆଉଟ୍‌ ହେଲେ ପୂର୍ବ ନିୟମ ଅନୁସାରେ, ନନ୍‌ ଷ୍ଟ୍ରାଇକ ଏଣ୍ଡରେ ଥିବା ବ୍ୟାଟର ବ୍ୟାଟିଂ କରିବେ। ପୂର୍ବରୁ ବଲକୁ ଫିଲ୍ଡର କ୍ୟାଚ୍‌ କରିବା ମଧ୍ୟରେ ନନ୍‌ ଷ୍ଟ୍ରାଇକ ବ୍ୟାଟର ଷ୍ଟ୍ରାଇକ ବ୍ୟାଟରଙ୍କୁ ଅତିକ୍ରମ କଲେ ନୂଆ ବ୍ୟାଟରଙ୍କୁ ନନ୍‌ ଷ୍ଟ୍ରାଇକ ଏଣ୍ଡକୁ ଆସିବାକୁ ପଡ଼ୁଥିଲା।

ଏହାବାଦ୍‌ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିୟମରେ ପରିବର୍ତ୍ତନ କରାଯାଇଛି। ବୋଲର ବଲ ପକାଇବା ପୂର୍ବରୁ ବ୍ୟାଟରମାନେ ବଡ଼ ଶଟ ଖେଳିବା ପାଇଁ ନିଜ ପୋଜିଶନରେ ପରିବର୍ତ୍ତନ କରୁଛନ୍ତି। ଯଦି ଏଭଳି ସମୟରେ ବୋଲର ଧାର୍ଯ୍ୟ ସୀମା ବାହାରେ ବୋଲିଂ କରନ୍ତି, ତେବେ ତାହାକୁ ଆଉ ଓ୍ବାଇଡ୍‌ ଦିଆଯିବ ନାହିଁ। ବ୍ୟାଟରଙ୍କ ପୋଜିଶନ ଆଧାରରେ ଓ୍ବାଇଡ୍‌ ନିର୍ଣ୍ଣୟକ କରାଯିବ। ପରିବର୍ତ୍ତିତ ୨୨.୧ ଆଇନ ଅନୁଯାୟୀ, ବ୍ୟାଟର ଛିଡ଼ା ହୋଇଥିବା ସ୍ଥାନ ଠାରୁ ଓ୍ବାଇଡ୍‌ ନିୟମ କାର୍ଯ୍ୟକାରୀ ହେବ।

Share