Categories: ଜାତୀୟ

ଆର୍‌ଟିଆଇ ଅସ୍ତ୍ର ନିଷ୍କ୍ରିୟ ହେଉଛି

ନୂଆଦିଲ୍ଲୀ,୨୬ା୬:ଶାସନ-ପ୍ରଶାସନରେ ଚାଲିଥିବା ଦୁର୍ନୀତିର ମୂଳକୁ ଉପାଡ଼ି ସ୍ବଚ୍ଛତା ଆଣିବା ଲକ୍ଷ୍ୟରେ ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ଗଢ଼ାଯାଇଥିଲା। ସାଧାରଣ ଜନତାଙ୍କ ପାଇଁ ଏହି ଆଇନ ଥିଲା ଗଣତାନ୍ତ୍ରିକ ଉପାୟରେ ସୂଚନା ହାସଲର ଅମୋଘ ଅସ୍ତ୍ର। ସୁପ୍ରିମକୋର୍ଟଙ୍କ ଏକାଧିକ ରାୟ ଓ ନିର୍ଦ୍ଦେଶକ୍ରମେ ଆର୍‌ଟିଆଇ ବଳରେ ସରକାରୀ କଳ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ସ୍ବଚ୍ଛତା ଅବଲମ୍ବନ କରିବାକୁ ବାଧ୍ୟ ହେଉଥିଲା। କିନ୍ତୁ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଆସିବା ପରେ ଆର୍‌ଟିଆଇକୁ କ୍ରମଶଃ ପାଣିଚିଆ କରିଦିଆଗଲା। ସରକାରଙ୍କ ଦୋଷଦୁର୍ବଳତା ପଦାରେ ପଡ଼ିବା ଭୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ମଧ୍ୟ ଅନେକ ଆବେଦନର ଉତ୍ତର ଦେବାକୁ ମନା କରିଦେଲା। ଫଳରେ ଅନ୍ୟ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକ ମଧ୍ୟ ଏଥିରୁ ଉତ୍ସାହିତ ହୋଇ ଆବେଦନକାରୀଙ୍କ ପିଟିଶନଗୁଡ଼ିକୁ ଖାରଜ କରିବାରେ ଲାଗିଲେ। ଏଥିଯୋଗୁ ୨୦୧୪ ପରଠୁ ଲକ୍ଷ ଲକ୍ଷ ଆବେଦନ ଅନୁତ୍ତରିତ ହୋଇ ପଡ଼ିରହିଥିବାବେଳେ ୨୦୧୯ ଜୁଲାଇ ୨୫ରେ କେନ୍ଦ୍ର ସରକାର ଆର୍‌ଟିଆଇ ସଂଶୋଧନ ବିଲ୍‌ ଆଣି ଧାରା ୧୩, ୧୬ ଓ ୨୭ରେ ପରିବର୍ତ୍ତନ କରିବା ସହ ଏହି ଅସ୍ତ୍ରର ଧାରକୁ ଆହୁରି କମାଇଦେଲେ। ସଂଶୋଧିତ ଆଇନରେ ସୂଚନା କମିଶନରମାନଙ୍କ ପାହ୍ୟା, ଦରମା ଓ ସ୍ବାୟତ୍ତତା ସମ୍ପର୍କିତ ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ହାତକୁ ଚାଲିଗଲା। ୨୦୦୫ରେ ଆର୍‌ଟିଆଇ ଆଇନରେ ସୂଚନାକୁ ଏକ ସାମ୍ବିଧାନିକ ଅଧିକାର ବୋଲି ସ୍ପଷ୍ଟ କରାଯାଇଥିଲା। ହେଲେ ଆଇନ ସଂଶୋଧନ ଆଣିବା ପରେ କେନ୍ଦ୍ର ଯୁକ୍ତି ବାଢ଼ିଥିଲା ଯେ ଆର୍‌ଟିଆଇ ଏକ ସାମ୍ବିଧାନିକ ଅଧିକାର ହୋଇ ନ ଥିବାରୁ ସିଆଇସି ଏବଂ ରାଜ୍ୟ ସୂଚନା କମିଶନ ସାମ୍ବିଧାନିକ ସଂସ୍ଥା ନୁହନ୍ତି।

ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ପାର୍ଲାମେଣ୍ଟରେ ୨୦୦୫ ଜୁନ ୧୫ରେ ଗୃହୀତ ହୋଇ ସେହିବର୍ଷ ଅକ୍ଟୋବର ୧୨ରୁ ଦେଶରେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇଥିଲା। ଦୁର୍ନୀତି ବିରୋଧରେ ଲୋକଙ୍କ ପାଇଁ ଏକ ଶକ୍ତିଶାଳୀ ଅସ୍ତ୍ର ବୋଲି ବିବେଚନା କରାଯାଉଥିବା ଆର୍‌ଟିଆଇ ଆଇନକୁ ଇତିମଧ୍ୟରେ ୧୫ ବର୍ଷ ବିତିଗଲାଣି। ସରକାରଙ୍କ କାର୍ଯ୍ୟକାରିତାରେ ସ୍ବଚ୍ଛତା ଆଣିବା ଲାଗି ପ୍ରତିଶ୍ରୁତି ଦିଆଯାଇ ଅଣାଯାଇଥିବା ଏହି ଆଇନ ଧୀରେ ଧୀରେ ନିଷ୍କ୍ରିୟ ହୋଇ ଏକ ନିଶ୍ଚିତ ମୃତ୍ୟୁ ପଥରେ ଅଗ୍ରସର ହେଉଛି।
ଏକ ଆକଳନ ଅନୁସାରେ ଦେଶରେ ପ୍ରତିବର୍ଷ ୪୦ ଲକ୍ଷରୁ ୬୦ ଲକ୍ଷ ଆର୍‌ଟିଆଇ ଆବେଦନ କରାଯାଏ। କିନ୍ତୁ ଆର୍‌ଟିଆଇରେ ସୂଚନା ପାଇବା ପାଇଁ ଆବେଦନ କରୁଥିବା ନାଗରିକଙ୍କ ସଂଖ୍ୟା ମାତ୍ର ୩%। ଆବେଦନ ହୋଇଥିବା ସମସ୍ତ ଆପ୍ଲିକେଶନ ମଧ୍ୟରୁ ୪୫%ରୁ କମ୍‌ରେ ମଗାଯାଇଥିବା ତଥ୍ୟର ଉତ୍ତର ମିଳିଛି। ଯେଉଁ ୫୫% ଆବେଦନକାରୀଙ୍କୁ ଉତ୍ତର ମିଳିନାହିଁ, ସେମାନଙ୍କ ମଧ୍ୟରୁ ୧୦%ରୁ କମ୍‌ ଅପିଲ୍‌ ଫାଇଲ୍‌ କରିଛନ୍ତି। ସତର୍କ ନାଗରିକ ସଙ୍ଗଠନ (ଏସ୍‌ଏସ୍‌ଏନ୍‌) ଏବଂ ସେଣ୍ଟର ଫର୍‌ ଇକ୍ୱିଟି ଷ୍ଟଡିଜ୍‌ (ସିଇଏସ୍‌) ପକ୍ଷରୁ ଜାରି କରାଯାଇଥିବା ‘ରିପୋର୍ଟ କାର୍ଡ ଅଫ୍‌ ଇନ୍‌ଫର୍ମେଶନ କମିଶନ୍ସ ଇନ୍‌ ଇଣ୍ଡିଆ, ୨୦୧୮-୧୯’ ରୁ ଏହି ବିଷୟ ଜଣାପଡ଼ିଛି। ମୁଖ୍ୟ ସୂଚନା କମିଶନ (ସିଆଇସି) ଏବଂ ରାଜ୍ୟ ସୂଚନା କମିଶନ(ଏସ୍‌ଆଇସି)ମାନେ ଏକ ଅଲିଖିତ ନିୟମକୁ ଆପଣାଇଛନ୍ତି। ତାହା ହେଉଛି ଭୁଲ୍‌ କରୁଥିବା ଜନ ସୂଚନା ଅଧିକାରୀମାନଙ୍କୁ ଆର୍‌ଟିଆଇ ଆବେଦନର ଉଚିତ ସମୟରେ ଓ ଠିକ୍‌ ଭାବେ ଉତ୍ତର ଦେବାରେ ବିଫଳତା ପାଇଁ ଦଣ୍ଡିତ ନ କରିବା। ଏଥିଯୋଗୁ ବହୁସଂଖ୍ୟକ ଆବେଦନ ପଡ଼ିରହିଛି। ଉକ୍ତ ରିପୋର୍ଟ କାର୍ଡରୁ ଆହୁରି ଜଣାପଡ଼ିଛି ଯେ, ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ଏସ୍‌ଆଇସିମାନଙ୍କ ନିକଟରେ ୨.୧୮ ଲକ୍ଷ ଅପିଲ ଓ କମ୍ପ୍ଲେଣ୍ଟ ପଡ଼ିରହିଥିଲା। ରାଜ୍ୟ ସୂଚନା କମିଶନମାନେ ଅଭିଯୋଗ/ଅପିଲର ଫଇସଲା ପାଇଁ ହାରାହାରି ବର୍ଷେରୁ ଅଧିକ ସମୟ ନେଇଥିଲେ। ଆନ୍ଧ୍ର ପ୍ରଦେଶର ଏସ୍‌ଆଇସି ଗୋଟିଏ କମ୍ପ୍ଲେଣ୍ଟର ଶୁଣାଣି ଶେଷ କରିବା ପାଇଁ ୧୮ ବର୍ଷ ନେଉଥିବାବେଳେ ପଶ୍ଚିମବଙ୍ଗରେ ୭ ବର୍ଷ ୫ ମାସ ଲାଗୁଛି।
ସମ୍ମିଳିତ ଉଦ୍ୟମ
ବିମୁଦ୍ରୀକରଣ ବେଳେ ଆର୍‌ଟିଆଇ ଆବେଦନଗୁଡ଼ିକୁ ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ନିୟମିତ ଭାବେ ପ୍ରତ୍ୟାଖ୍ୟାନ କରି ଚାଲିଥିଲା, ଏଇ ସନ୍ଦେହରେ ଯେ ତଥ୍ୟ ପ୍ରଘଟ ହେଲେ ଭାରତର ସାର୍ବଭୌମତ୍ୱ, ଅଖଣ୍ଡତା, ନିରାପତ୍ତା, ରଣନୈତିକ, ବୈଜ୍ଞାନିକ ବା ଅର୍ଥନୈତିକ ସ୍ବାର୍ଥ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ। ଏଥିଯୋଗୁ ଅପରାଧକୁ ପ୍ରଶ୍ରୟ ମିଳିବ ବୋଲି ମଧ୍ୟ ଆର୍‌ବିଆଇ ବିବେଚନା କରୁଥିଲା। ଏସବୁ ଆର୍‌ଟିଆଇ ଆଇନର ଧାରା ୮ରେ ଉଲ୍ଲେଖ କରାଯାଇଛି, ଯାହାକି ବ୍ୟତିକ୍ରମ ପର୍ଯ୍ୟାୟର ଅନ୍ତର୍ଭୁକ୍ତ। ଦେଶର ଇଚ୍ଛାକୃତ ଋଣ ଖିଲାପକାରୀଙ୍କ ତାଲିକା ପ୍ରଦାନ କରିବାକୁ ଆର୍‌ବିଆଇକୁ ସିଆଇସି ନିର୍ଦ୍ଦେଶ ଦେବା ପରେ କେନ୍ଦ୍ରୀୟ ବ୍ୟାଙ୍କ କୋର୍ଟକୁ ଯାଇ ଏହା ଉପରେ ସ୍ଥଗିତାଦେଶ ଆଣିଲା। ଶେଷରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆର୍‌ବିଆଇ ଉକ୍ତ ତାଲିକା ଜାରି କଲା। ବର୍ତ୍ତମାନ କଥା ବିଚାରକୁ ନେଲେ ନରେନ୍ଦ୍ର ମୋଦି ସରକାର ନିକଟରେ କୋଭିଡ୍‌-୧୯ ମହାମାରୀର ମୁକାବିଲା ପାଇଁ ନାଗରିକମାନଙ୍କଠାରୁ ଆର୍ଥିକ ସହାୟତା ସଂଗ୍ରହ ପାଇଁ ପ୍ରାଇମ୍‌ ମିନିଷ୍ଟର୍ସ ସିଟିଜେନ୍‌ ଆସିଷ୍ଟାନ୍ସ ଆଣ୍ଡ ରିଲିଫ୍‌ ଇନ୍‌ ଏମର୍ଜେନ୍ସ୍‌ି ସିଚ୍ୟୁଏଶନ୍ସ (ପିଏମ୍‌ କେୟାର୍ସ) ଫଣ୍ଡ ଗଠନ କରିଛନ୍ତି। ହେଲେ ଏହି ପାଣ୍ଠି ସମ୍ପର୍କରେ ସୂଚନା ପାଇବା ପାଇଁ ଆବେଦନ କରାଯାଇଥିବା ଆପ୍ଲିକେଶନଗୁଡ଼ିକୁ ରଦ୍ଦ କରାଯାଇଛି। ନ୍ୟାୟପାଳିକା ମଧ୍ୟ ନିଜର କାର୍ଯ୍ୟକାରିତାରେ ସ୍ବଚ୍ଛତା ନ ଆଣି ପରୋକ୍ଷରେ ଆର୍‌ଟିଆଇ ଆନ୍ଦୋଳନକୁ ନିଷ୍ପ୍ରଭ କରିବାରେ ସରକାରଙ୍କୁ ସହାୟକ ହୋଇଛି। ନ୍ୟାୟପାଳିକାରେ ନିଯୁକ୍ତି କ୍ଷେତ୍ରରେ ଆର୍‌ଟିଆଇ ଆଇନକୁ ଲାଗୁ କରାଇବା ସମ୍ପର୍କିତ ମାମଲାଗୁଡ଼ିକରେ ସୁପ୍ରିମକୋର୍ଟଙ୍କ ନିଜ ରେକର୍ଡରୁ ଏହା ବୁଝାପଡ଼େ। ସରକାରୀ ଅଫିସଗୁଡ଼ିକରେ ପର୍ଯ୍ୟାପ୍ତ ଭିତ୍ତିଭୂମିର ଅଭାବ ଓ କର୍ମଚାରୀ ନିଅଣ୍ଟ ହେବା ଆର୍‌ଟିଆଇ ଆବେଦନଗୁଡ଼ିକ ପାଇଁ ଆଉ ଏକ ଚିନ୍ତାର ବିଷୟ। ସେହିପରି ଆର୍‌ଟିଆଇ ଆକ୍ଟିଭିଷ୍ଟ ବା ସୂଚନା ଅଧିକାର କର୍ମୀମାନଙ୍କ ଉପରେ ଆକ୍ରମଣ କରି ସେମାନଙ୍କୁ ଧମକ ମଧ୍ୟ ଦିଆଯାଉଛି। ବିଗତ ୧୫ ବର୍ଷରେ ଅନୂ୍ୟନ ୮୬ ଜଣ ବ୍ୟକ୍ତି ଆର୍‌ଟିଆଇ ବଳରେ ଆପ୍ଲିକେଶନ ଦେଇଥିବା କାରଣରୁ ପ୍ରାଣ ହରାଇଛନ୍ତି। ଅନ୍ୟ ୧୭୫ ଆବେଦନକାରୀଙ୍କ ଉପରେ ଆକ୍ରମଣ ହୋଇଛି। ଅନୁରୂପ ଭାବେ ୭ ଆବେଦନକାରୀ ଆମତ୍ହତ୍ୟା କରିଥିବାବେଳେ ୧୮୪ ଜଣଙ୍କୁ ହଇରାଣ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।
କ’ଣ କହୁଛି ସଂଖ୍ୟା:
ଉପଲବ୍ଧ ତଥ୍ୟ ଏବଂ ସିଆଇସିଙ୍କ ବାର୍ଷିକ ରିପୋର୍ଟକୁ ଦେଖିଲେ ଜଣାପଡ଼ୁଛି ଯେ, ପ୍ରତିବର୍ଷ ଆର୍‌ଟିଆଇରେ ଆବେଦନ ସଂଖ୍ୟା ଖୁବ୍‌ କମ୍‌ ବଢ଼ୁଥିବାବେଳେ ଫଇସଲା ନ ହୋଇ ଗଡ଼ୁଥିବା ମାମଲା ସଂଖ୍ୟା ତା’ଠୁ ଢ଼େର ଅଧିକ ବୃଦ୍ଧି ପାଉଛି। କମନ୍‌ଓ୍ବେଲ୍‌ଥ ହ୍ୟୁମାନ୍‌ ରାଇଟ୍ସ ଇନିସିଏଟିଭ୍‌ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ ୨୦୧୨-୧୩ରୁ ୨୦୧୮-୧୯ ମଧ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଅଫିସରେ ଆବେଦନ ସଂଖ୍ୟା (୮.୮୬ ଲକ୍ଷରୁ ୧୬.୩୦ ଲକ୍ଷ) ୮୩% ବଢ଼ିଛି। କିନ୍ତୁ ଉକ୍ତ ଆବେଦନଗୁଡ଼ିକୁ ବିଚାର କରିବା ପାଇଁ କେନ୍ଦ୍ରୀୟ ଜନ ସୂଚନା ଅଧିକାରୀ (ସିପିଆଇଓ)ଙ୍କ ସଂଖ୍ୟା ୨୧,୨୦୪ରୁ ୨୪,୦୪୮କୁ ବୃଦ୍ଧିପାଇଛି, ଯାହାକି ମାତ୍ର ୧୩%। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସିଆଇସିଙ୍କ ନିକଟରେ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକ ପକ୍ଷରୁ ତଥ୍ୟ ପ୍ରଦାନ ପାଇଁ ରିପୋର୍ଟିଂ ମଧ୍ୟ କମିଯାଇଛି। ଆର୍‌ଟିଆଇ ଆଇନ ଅଧୀନରେ ତଥ୍ୟ ବାହାରକୁ ନ ଯିବାର ଆଉ ଏକ କାରଣ ହେଉଛି ପୂର୍ବତନ ସରକାରୀ କର୍ମଚାରୀମାନଙ୍କୁ ସୂଚନା କମିଶନର ଭାବେ ନିଯୁକ୍ତି ଦିଆଯିବା। ସରକାରଙ୍କୁ ଅଡ଼ୁଆରେ ପକାଇବା ଭଳି ସୂଚନାକୁ ପ୍ରଘଟ ହେବାରୁ ରୋକିବା କାର୍ଯ୍ୟ ଜଣେ ଅବସରପ୍ରାପ୍ତ ଅମଲାତନ୍ତ୍ରୀଙ୍କଠାରୁ ଅନ୍ୟ କେହି ଭଲରେ କରିପାରିବେ ନାହିଁ। ୨୦୧୮-୧୯ ଏସ୍‌ଏସ୍‌ଏନ୍‌-ସିଇଏସ୍‌ ରିପୋର୍ଟ କାର୍ଡରୁ ଜଣାପଡ଼ିଛି ଯେ, ଆର୍‌ଟିଆଇ ଆଇନ କାର୍ଯ୍ୟକାରୀ ହେବା ଦିନଠାରୁ ୨୯ଟି ରାଜ୍ୟ ସୂଚନା କମିଶନ ଅଫିସରେ ୩୭୪ ସୂଚନା କମିଶନରଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୫୮% ହେଉଛନ୍ତି ସରକାରଙ୍କ ପୂର୍ବତନ ଅଧିକାରୀ। ଏହି ଅବଧି ମଧ୍ୟରେ ନିଯୁକ୍ତି ପାଇଥିବା ୧୧୫ ମୁଖ୍ୟ ସୂଚନା କମିଶନରଙ୍କ ମଧ୍ୟରୁ ୮୩% ହେଉଛନ୍ତି ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ସେମାନଙ୍କ ମଧ୍ୟରୁ ୬୪% ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀ ଥିଲେ।
ଖାଲି ପଦବୀ ପୂରଣ ହେଉନାହିଁ:
ଆର୍‌ଟିଆଇ ଆଇନ ବଳରେ ତଥ୍ୟ ନ ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏକ ପ୍ରଭାବଶାଳୀ ଉପାୟ ବାହାର କରିଛନ୍ତି। ତାହା ହେଉଛି ଖାଲିଥିବା ସୂଚନା କମିଶନର ପଦବୀଗୁଡ଼ିକୁ ପୂରଣ ନ କରିବା। ୨୦୧୯ ଡିସେମ୍ବରରେ ସିଆଇସି ଏବଂ ଏସ୍‌ଆଇସିଗୁଡ଼ିକରେ ୩ ମାସ ମଧ୍ୟରେ ସୂଚନା କମିଶନର ନିଯୁକ୍ତ କରି ଖାଲି ପଦବୀ ପୂରଣ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆର୍‌ଟିଆଇ ଆଇନକୁ ସୁରୁଖୁରୁରେ କାର୍ଯ୍ୟକାରୀ କରିବା ପାଇଁ ଏହି ନିର୍ଦ୍ଦେଶନାମା ଗୁରୁତ୍ୱପୂର୍ଣ୍ଣ ବୋଲି ଶୀର୍ଷ ଅଦାଲତ କହିଥିଲେ। କିନ୍ତୁ ସରକାରମାନେ ଅଦାଲତଙ୍କ ନିର୍ଦ୍ଦେଶକୁ ଗୁରୁତ୍ୱ ଦେଲେ ନାହିଁ। ୨୦୧୭ ମେ’ରେ ଆନ୍ଧ୍ର ଓ ତେଲଙ୍ଗାନା ସୂଚନା କମିଶନରମାନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନା ହାଇକୋର୍ଟ ଦୁଇରାଜ୍ୟରେ ଏସ୍‌ଆଇସି ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆନ୍ଧ୍ରରେ ୩ ଜଣ ସୂଚନା କମିଶନରଙ୍କୁ ନିଯୁକ୍ତି ଦେବା ପାଇଁ ବର୍ଷେରୁ ଅଧିକ ସମୟ ଲାଗିଲା। ତାହା ପୁଣି ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ। ସେହିପରି ଭାଜପା ଶାସିତ ତ୍ରିପୁରାରେ ୬ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଏସ୍‌ଆଇସି ପଦବୀ ଖାଲିପଡ଼ିଛି।
ସୁପ୍ରିମକୋର୍ଟଙ୍କ ରାୟ ଢାଲ:
୨୦୧୧ ଅଗଷ୍ଟ ୯ରେ ସୁପ୍ରିମକୋର୍ଟ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ବନାମ ଆଦିତ୍ୟ ବନ୍ଦୋପାଧ୍ୟାୟ ମାମଲାର ରାୟ ପ୍ରକାଶ କରିଥିଲେ। ଏଥିରେ ସର୍ବୋଚ୍ଚ ଅଦାଲତ କହିଥିଲେ, ଆର୍‌ଟିଆଇ ଆଇନର ଅପବ୍ୟବହାରକୁ ଅନୁମତି ଦିଆଯିବା ଅନୁଚିତ। ସେହିପରି ଏହାକୁ ଜାତୀୟ ବିକାଶ ଓ ସଂହତି ପଥରେ ବାଧାସୃଷ୍ଟି ବା ନାଗରିକଙ୍କ ମଧ୍ୟରେ ଶାନ୍ତିଶୃଙ୍ଖଳା ଓ ସହାବସ୍ଥାନ ଭଙ୍ଗ କରିବା ପାଇଁ ମଧ୍ୟ ଦିଆଯିବା ଉଚିତ ନୁହେଁ। ଅନୁରୂପ ଭାବେ ନିଜ କର୍ତ୍ତବ୍ୟ ପାଳନ କରୁଥିବା ଜଣେ ସଚ୍ଚୋଟ ଅଧିକାରୀଙ୍କୁ ଉତ୍ପୀଡ଼ନ ବା ଶୋଷଣର ମାଧ୍ୟମ ଭାବେ ମଧ୍ୟ ଆର୍‌ଟିଆଇକୁ ପରିବର୍ତ୍ତିତ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଥିଲେ।
ଆର୍‌ଟିଆଇରେ ତଥ୍ୟ ମଗାଗଲେ ଅନେକ ଜନ ସୂଚନା ଅଧିକାରୀ ଆବେଦନକାରୀଙ୍କୁ ନିରୁତ୍ସାହିତ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଉପରୋକ୍ତ ମନ୍ତବ୍ୟର ଅବତାରଣା କରିଥାନ୍ତି। ଆଜିକାଲି ଅନ୍ୟ କ୍ଷେତ୍ରଗୁଡ଼ିକ ଭଳି କୋର୍ଟଗୁଡ଼ିକ ମଧ୍ୟ ସରକାରଙ୍କ ପକ୍ଷ ନେବାରେ ଲାଗିଛନ୍ତି। ଏଥିଯୋଗୁ ଆର୍‌ଟିଆଇ ଆଇନର ମୌଳିକତା ବଜାୟ ରଖାଯାଇ ପାରୁନାହିଁ। ସରକାରଙ୍କ ଭୁଲ୍‌ କାମଗୁଡ଼ିକୁ ଲୋକଲୋଚନକୁ ଆଣିବା ଏକ ବିପଜ୍ଜନକ କାର୍ଯ୍ୟ ବୋଲି ଧାରଣା ସୃଷ୍ଟି କରାଯାଉଛି। ଏଭଳି ସ୍ଥିତିରେ ସରକାରଙ୍କୁ ଉତ୍ତରଦାୟୀ କରିବା ଲାଗି ସାଧାରଣ ନାଗରିକଙ୍କ ପାଖରେ କେଉଁ ଅସ୍ତ୍ର ଅଛି? ଭାରତୀୟ ନାଗରିକମାନଙ୍କ ପକ୍ଷରୁ ସମ୍ଭବତଃ ନ୍ୟାୟପାଳିକା ଏହି ପ୍ରଶ୍ନ କରିପାରିବ।

Share