ଶତାଦ୍ଦୀର ଚତୁର୍ଥ ଦଶକରେ, ଯେତେବେଳେ ସାମ୍ୟବାଦ ନାଁ ଶୁଣିବା ମାତ୍ରେ ଭୟରେ ଥରହର ହେଉଥିଲେ ଅଭିଜାତ ଗୋଷ୍ଠୀ, ସେହି ସମୟରେ ଭଗବତୀଚରଣ ପାଣିଗ୍ରାହୀଙ୍କ ନେତୃତ୍ୱରେ ଗଠନ ହେଲା(୧୯୩୫) ‘ନବଯୁଗ’ ସାହିତ୍ୟ ସଂସଦ। ତା’ର ଆବାହନୀ ସଂଗୀତ ଲେଖି କବି ଅନନ୍ତ ପଟ୍ଟନାୟକ ଗାଇଲେ ”ନବୀନ ଯୁଗର ତରୁଣ ଜାଗରେ ଜାଗ ବନ୍ଧନ ହରା ,ବକ୍ଷ ଶୋଣିତ ଲକ୍ଷ ଜୀବନେ ଖେଳାଅ ଆଲୋକ ଧାରା।“ ସାହିତ୍ୟ ମାଧ୍ୟମରେ ସମାଜବାଦୀ ଚେତନାକୁ ଆଗେଇନେବା ପାଇଁ ଭଗବତୀଚରଣଙ୍କ ସମ୍ପାଦନାରେ ଆତ୍ମପ୍ରକାଶ କଲା (୧୯୩୬) ସଂସଦର ମୁଖପତ୍ର ‘ଆଧୁନିକ’। ପତ୍ରିକାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ‘ନବଭାରତ’ର ତୃତୀୟ ବର୍ଷ ଷଷ୍ଠ ସଂଖ୍ୟାରେ ଲେଖାଥିଲା -‘ନବଯୁଗର ବାର୍ତ୍ତା ବହନକରି ଆସୁଛି ‘ଆଧୁନିକ’। ଓଡ଼ିଶାର ପତ୍ରିକା ଜଗତରେ ଯୁଗାନ୍ତର ହେବା ସହିତ ହୃଦୟରେ ସଞ୍ଚାରଣ କରିବ ଅଭିନବ ଜାଗରଣ। ଧ୍ବଂସକରିବ ଅପସାହିତ୍ୟର ଘୃଣ୍ୟ ଆବର୍ଜନା। ସୃଷ୍ଟି କରିବ ଉଚ୍ଚ ଚିନ୍ତାର ଯୁଗୋପଯୋଗୀ ସନ୍ଦର୍ଭ ’। ଆଧୁନିକର ପ୍ରଥମ ସଂଖ୍ୟାରେ ତା’ର ଆଭିମୁଖ୍ୟକୁ ଆହୁରି ସ୍ପଷ୍ଟ କରିବା ଲକ୍ଷ୍ୟରେ ସମ୍ପାଦକ ଭଗବତୀଚରଣ ଲେଖିଲେ ଆଧୁନିକ କେବଳ ସାହିତ୍ୟ ପାଇଁ ସାହିତ୍ୟ ଚର୍ଚ୍ଚା ନୁହେଁ। ପୃଥିବୀବ୍ୟାପୀ ଆନ୍ଦୋଳନ ବିଷୟରେ ଚେତନା ଆଣିବା ନିମନ୍ତେ ତା’ର ଜନ୍ମ। ସାପ ମରିବନି କି ବାଡ଼ି ଭାଙ୍ଗିବ ନାହିଁ-ଏହା ହିଁ ସାଧାରଣତଃ ସାହିତ୍ୟ ପତ୍ରିକାର ନୀତି। ମାତ୍ର ଆଧୁନିକ ଏହି ନୀତିର ଏକ ବ୍ୟତିକ୍ରମ। ବାଡ଼ି ଭାଙ୍ଗୁ ପଛେ ସାପକୁ ମାରିବା ତା’ର ଲକ୍ଷ୍ୟ। ଓଡ଼ିଆ ସାହିତ୍ୟରେ ଭଗବତୀଚରଣଙ୍କ ବହୁଚର୍ଚ୍ଚିତ ଗଳ୍ପ ‘ଶିକାର’ ହିଁ ପ୍ରଗତିବାଦୀ ଚେତନାର ଅଗ୍ନିବୀଜ। ଏହା ଆଧୁନିକରେ ପ୍ରକାଶ ପାଇଲା(୧୯୩୬) ପରେ।
ତା’ର ଅବିଶ୍ବସନୀୟ ପାଠକୀୟ ଆବେଦନ ଏମିତି ଉନ୍ମାଦନା ସୃଷ୍ଟିକଲା ଯେ ଓଡ଼ିଆ ସାହିତ୍ୟରୁ ଅନେକାଂଶରେ ଅପସରିିଗଲା ଜଡ଼ତା,କଳ୍ପନା ବିଳାସିତା ଓ ପଳାୟନପନ୍ଥୀ ଭାବନା। ଯୁଗ ଯୁଗ ଧରି ଯେଉଁମାନେ ମୂକ ଓ ନିର୍ବାକ ଥିଲେ, ସେମାନଙ୍କ ମୁହଁରେ ଫୁଟିଲା ପ୍ରତିବାଦର ଭାଷା। ସାମନ୍ତବାଦୀ ଚରିତ୍ର ପରିବର୍ତ୍ତେ ସାହିତ୍ୟରେ ନାୟକ ଭାବେ ଚିତ୍ରିତ ହେଲେ ନିମ୍ନ ମଧ୍ୟବିତ୍ତ ବର୍ଗର ମଣିଷ। କାଲମାର୍କ୍ସଙ୍କ ଦାସ କ୍ୟାପିଟାଲ ପଢ଼ି ଭଗବତୀଚରଣ ବୁଝିଥିଲେ ଲୋକେ ଧର୍ମ ରୂପକ ଅଫିସ ଖାଇ କେବଳ ଶୋଷଣର ଶିକାର ହେଉନାହାନ୍ତି,ଏହାଦ୍ବାରା ବଢୁଛି ସାମ୍ପ୍ରଦାୟିକ ବିଦ୍ୱେଷ। ବିପନ୍ନ ହେଉଛି ଜାତୀୟ ଏକତା। ଏହି ମର୍ମରେ ସେ ଲେଖିଲେ-”ଧର୍ମ ଯେଉଁଠାରେ ତା’ର ଶୁଭ ଦୃଷ୍ଟି ପକାଏ, ସେଠାରେ ଉପନିବେଶ ସ୍ଥାପନକରେ ଦାସତ୍ୱ। ଜନତାର ଦାସତ୍ୱ ହିଁ ଧର୍ମର ସହଯାତ୍ରୀ। ଧର୍ମ ପ୍ରଚାରର ଉଦ୍ଦେଶ୍ୟ ହୁଏତ ଭିନ୍ନ ହୋଇପାରେ, କିନ୍ତୁ ପ୍ରତ୍ୟେକ ସ୍ଥଳରେ ତା’ର ପରିଣାମ ହେଉଛି ଜନତାର ଦାସତ୍ୱ।“ ‘ଆଧୁନିକ’ର ପ୍ରଭାବରେ ଧୀରେ ଧୀରେ ତୁଟିବାକୁ ଲାଗିଲା ଧର୍ମ ଓ ଭଗବାନଙ୍କ ଉପରୁ ବିଶ୍ବାସ। ପ୍ରେମ ଓ ସୌନ୍ଦର୍ଯ୍ୟର ନିରାଜନା କରୁଥିବା ସବୁଜ କବିମାନେ ସୁଦ୍ଧା ସବୁଜ ପରୀର ଅଞ୍ଚଳ ତଳୁ ମୁହଁ କାଢ଼ି ଚାହିଁଲେ ପ୍ରଗତିବାଦୀ ସାହିତ୍ୟର ସାମାଜିକ ବାସ୍ତବତା ଆଡ଼େ। ଅତୀନ୍ଦ୍ରିୟ ରହସ୍ୟବାଦର ମାୟାଜାଲ ଛିଡ଼େଇ ଆଙ୍କିଲେ ନିର୍ଯାତିତ ମଣିଷର ଦୁଃଖ ଓ ଦୁର୍ଦ୍ଦଶାର କରୁଣ ଚିତ୍ର। ଯେଉଁ ସ୍ବପ୍ନବିଳାସୀ କବି(କାଳିନ୍ଦୀ ଚରଣ) ଗାଉଥିଲେ – ବଧୂ ଆସେ ମୋର ଧୀର ସୁଲଳିତ ତୃତୀୟ ଯୋଜନା ସମ…, ତାଙ୍କ କଲମରୁ ଝରିଲା -”ଜନ୍ମ ଆମର ମଣିଷ କୁଳରେ ନାହଁ ଇଜ୍ଜତ ମାନ, ଆମ ଝିଅ ବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ।“
ଧୋଇ ମରୁଡ଼ିର ରାଜ୍ୟ ଥିଲା ଓଡ଼ିଶା। ଏଠି ବନ୍ୟାରେ ଭାସିଯାଉଥିଲା ଘରଦ୍ୱାର। ଉଜୁଡ଼ିଯାଉଥିଲା ଫସଲ। ସ୍ବାଧୀନତା ଆନ୍ଦୋଳନରେ କଂଗ୍ରେସ ମାତିଥିବାବେଳେ କୃଷକମାନଙ୍କ ପ୍ରତି ହେଉଥିବା ଶୋଷଣ କଷଣ ବିରୋଧରେ ସ୍ବତନ୍ତ୍ର ଆନ୍ଦୋଳନ ଗଢ଼ି ତୋଳିବାକୁ ଏକାଠି ହେଲେ କଂଗ୍ରେସ ଭିତରେ ଥିବା ବାମପନ୍ଥୀ ଗୋଷ୍ଠୀ । ସେମାନେ ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ଏକାଠିକରି ଗଠନକଲେ ‘କୃଷକ ସଂଘ’। ସଂଘ ପକ୍ଷରୁ ଭଗବତୀଚରଣ ପାଣିଗ୍ରାହୀଙ୍କ ସମ୍ପାଦନାରେ ପ୍ରକାଶ ପାଇଲା ‘କୃଷକ’ ନାମରେ ଏକ ସାପ୍ତାହିକ ପତ୍ରିକା। ମଠଧନ କୋଠ ହେଉ, ଲଙ୍ଗଳ ଯା’ର ଜମି ତା’ର, ଗଛ ମାଛରେ ପ୍ରଜାର ଅଧିକାର ସାବ୍ୟସ୍ତ ହେଉ ଇତ୍ୟାଦି ଦାବି ନେଇ ଏଥିରେ ଅନେକ ଲେଖା ପ୍ରକାଶ ପାଇଲା, ଯାହା ଜମି ମାଲିକମାନଙ୍କ ଆଖିରୁ ହଜେଇଦେଲା ନିଦ।
ଭଗବତୀଚରଣଙ୍କ ବେଳର ଓଡ଼ିଶା ଥିଲା ଏକ ସାମନ୍ତବାଦୀ ପ୍ରଥା ପ୍ରଚଳିତ ଏବଂ ବ୍ରିଟିଶ ଶାସନ ଦ୍ବାରା ଶୋଷିତ ରାଜ୍ୟ। ଏଠାରେ ଥିବା ଗଡ଼ଜାତ ରାଜ୍ୟଗୁଡ଼ିକରେ ବେଠିରେ ତିଆରି ହେଉଥିଲା ରାସ୍ତାଘାଟ, କୋଠାବାଡ଼ି ଓ ରାଜପ୍ରାସାଦ ଇତ୍ୟାଦି। ରାଜା ଓ ଜମିଦାରମାନେ ପାରିଧିକୁ ଗଲେ, ହିଂସ୍ରଜନ୍ତୁ ସଙ୍କୁଳ ଜଙ୍ଗଲରେ ପ୍ରଜାମାନେ ଜଗୁଥିଲେ ଖେଦା। ପ୍ରଜାଙ୍କ ବାରିରେ କଦଳୀ, କଖାରୁ ଫଳିଲେ ଆଗେ ରାଜା ଜମିଦାରଙ୍କ ଘରକୁ ଯାଉଥିଲା ଭେଟି ଆକାରରେ। ସାମନ୍ତବାଦୀ ଶୋଷଣର ସବୁ ସୀମା ଟପିଯାଇଥିଲା ଢେଙ୍କାନାଳ ଗଡ଼ଜାତ। ଏଠାରେ ରାଜା ଯେଉଁ ସମାନ୍ତରାଳ ସରକାର ଚଳାଉଥିଲେ, ତାକୁ କୁହାଯାଉଥିଲା ଅନ୍ଧାରି କଚେରି। ସେଠାରେ ଯୋଡ଼ାଯାଉଥିଲା ମିଛସତ ମକଦ୍ଦମା। ଚିରାଚରିତ ଗଡ଼ଜାତ ଗଞ୍ଜଣା ବ୍ୟତୀତ ଏଠାରେ ଚାଲିଥିଲା ବହୁ ବୀଭତ୍ସ ବିଭୀଷିକାମୟ ଦୈହିକ, ଆର୍ଥିକ ଓ ମାନସିକ ଅତ୍ୟାଚାର। ଏହାର ପ୍ରତିବାଦରେ ଢେଙ୍କାନାଳରେ ଯେଉଁ ପ୍ରଜା ଆନ୍ଦୋଳନ ଗଢ଼ି ଉଠିଥିଲା, ତା’ର ନେତୃତ୍ୱ ଥିଲା ସାମୂହିକ। ଏଠାରେ ଏକାଠି ହୋଇଥିଲେ ନରମପନ୍ଥୀ, ମଧ୍ୟମପନ୍ଥୀ ଓ ବାମପନ୍ଥୀ ଆଦି ସବୁ ଗୋଷ୍ଠୀର ନେତା। ମାତ୍ର ପ୍ରଜା ଆନ୍ଦୋଳନକୁ ତ୍ୱରାନ୍ବିତ କରିବା ପାଇଁ ଏକ ଗୁପ୍ତ ସଙ୍ଗଠନ କାର୍ଯ୍ୟ କରୁଥିଲା, ଯାହାକୁ ପରିଚାଳନା କରୁଥିଲେ ଭଗବତୀ ଚରଣ। ସେ ହିଁ ଲେଖୁଥିଲେ ‘ରଣଭେରି’ ନାମକ ପ୍ରଚାରପତ୍ର ଯାହା ସେ ଅଞ୍ଚଳକୁ ଯାଉଥିଲା ଗୁପ୍ତରେ।
ପ୍ରଜା ଆନ୍ଦୋଳନକୁ ଦମନ କରିବା ପାଇଁ ରାଜା ମୁତୟନ କରିଥିଲେ ଗୋରା ପଲଟନ। ଯେଉଁ ପଲଟନର ଗୁଳି ଚୋଟରେ ଶହୀଦ ହୋଇଥିଲେ ରକ୍ତନଦୀର ନାଉରି ବାଜି ରାଉତ ଓ ପ୍ରଜାମଣ୍ଡଳର ଅନେକ ସଦସ୍ୟ।
୧୯୩୯ ମସିହାରେ ଭଗବତୀ ଚରଣ ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡରେ ପ୍ରବନ୍ଧ ଲେଖିବା ପରେ ସାରା ଭାରତର ଦୃଷ୍ଟି ଆକର୍ଷଣ କଲା ଢେଙ୍କାନାଳର ବୀରତ୍ୱପୂର୍ଣ୍ଣ ପ୍ରଜା ଆନ୍ଦୋଳନ। ଏଠାରେ ଭଗବତୀଙ୍କ ନେତୃତ୍ୱରେ କମ୍ୟୁନିଷ୍ଟ ଓ ପ୍ରଜା ସୋସାଲିଷ୍ଟମାନଙ୍କ ପ୍ରଭାବ ବଢ଼ି ଚାଲୁଥିବା ଅନୁଭବକରି ୧୯୪୦ ମସିହା ଜାନୁଆରୀରେ ତାଙ୍କୁ ଗିରଫକଲା ଇଂରେଜ ସରକାର। ଦେଶଦ୍ରୋହ ଆଇନର ଧାରା ଉପଧାରା ଲଗେଇ ତାଙ୍କୁ ଜେଲରେ ରଖାଗଲା ଦୀର୍ଘ ଅଢ଼େଇ ବର୍ଷ। ସେ ଜେଲରୁ ଖଲାସହେବା ବେଳକୁ ଓଡ଼ିଶାକୁ ଆଚ୍ଛନ୍ନ କରିଥିଲା ଦୁର୍ଭିକ୍ଷର କରାଳ ଛାୟା। ନୀରବରେ ଘରେ ବସିବା ପରିବର୍ତ୍ତେ ସେ ଲାଗିପଡ଼ିଲେ ରିଲିଫ ସଂଗ୍ରହ କାମରେ। ରିଲିଫ ସାମଗ୍ରୀ ଧରି ବୁଲିଲେ ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳ। ଗଞ୍ଜାମର ବିଭିନ୍ନ ଅଞ୍ଚଳରେ ରିଲିଫ ବାଣ୍ଟିବା ଅବସରରେ ଭୁଲିଗଲେ ଭୋକଶୋଷ, ଯାହାର ପରିଣାମ ଥିଲା ଚିରନିଦ୍ରା। ସାଧାରଣତଃ ତାଙ୍କୁ ହିଁ ସଚ୍ଚା କମ୍ୟୁନିଷ୍ଟ, ଯିଏ ନିଜ କଥା,ନିଜ ପରିବାର କଥା ଚିନ୍ତା ନ କରି ଚିନ୍ତାକରେ ବୃହତ୍ତର ସମାଜ କଥା। ଅର୍ଥାତ୍ ସେ ଥିଲେ ଜଣେ ସଚ୍ଚା କମ୍ୟୁନିଷ୍ଟ। ଇହଲୀଳା ସଂକ୍ଷିପ୍ତ (୧୯୦୮-୧୯୪୩)ହେଲେ ବି ତାଙ୍କ ଜୀବନ ଥିଲା ସଂଘର୍ଷମୟ ଓ ସାର୍ଥକ।
ଅବସରପ୍ରାପ୍ତ ଅଧ୍ୟକ୍ଷ ,
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪


