‘ବନ୍ୟପ୍ରାଣୀ ଓ ଜଙ୍ଗଲ ସୁରକ୍ଷାରେ ସ୍ଥାନୀୟ ଲୋକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ’

ଥୁଆମୂଳ ରାମପୁର, ୩୦ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଛକସ୍ଥିତ ଫରେଷ୍ଟ ଚେକ ଗେଟ ପରିସରରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଥୁଆମୂଳ ରାମପୁର ଜେଏମ୍‌ଏଫ୍‌ସି କୋର୍ଟ ତଥା ତାଲୁକ ଆଇନ ସେବା ପ୍ରାଧିକରଣ ଏବଂ କର୍ଲାପାଟ ବନ ବିଭାଗର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଚାରପତି ତଥା ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ଡ. ତାରିଣୀ ପ୍ରସାଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟତଃ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ-୧୯୭୨ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବନ୍ୟଜନ୍ତୁ ଆକ୍ରମଣରେ ପ୍ରଭାବିତ ଲୋକଙ୍କୁ ପ୍ରଦାନ କରାଯାଉଥିବା ସରକାରୀ କ୍ଷତିପୂରଣ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। ଏଥିସହ ବନ୍ୟାଞ୍ଚଳ ବାସିନ୍ଦାଙ୍କ ସୁବିଧା ନିମନ୍ତେ ଉଦ୍ଦିଷ୍ଟ ‘ନାଳସା’ ସ୍କିମ ଏବଂ ଟୋଲ-ଫ୍ରି ହେଲ୍ପଲାଇନ ନମ୍ବର ୧୫୧୦୦ର ଉପଯୋଗିତା ସମ୍ପର୍କରେ କୁହାଯାଇଥିଲା। କାର୍ଯ୍ୟକ୍ରମରେ ବନ ବିଭାଗ ପକ୍ଷରୁ ରେଞ୍ଜ ଅଧିକାରୀ ଦୀପ୍ତିମାନ ପ୍ରଧାନ, ଫରେଷ୍ଟର ଯୋଗେନ୍ଦ୍ର ମାଝୀ ଓ ବିଜୟ ଗୋପାଳଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ପୋଲିସ ବିଭାଗ ପକ୍ଷରୁ କର୍ଲାପାଟ ଥାନା ଅଧିକାରୀ ଶ୍ରୀକାନ୍ତ କୋଳକା ଓ ବିନୟ କୁମାର ବାରା ଯୋଗ ଦେଇ ଆଇନ ପାଳନ ଉପରେ ମତ ରଖିଥିଲେ। ଆଇନଜୀବୀ ତଥା ପରାମର୍ଶଦାତା ମନୋରଞ୍ଜନ ନାଏକ, ଆଇନଜୀବୀ ତୁଳସୀ ରାମ ମାଝୀ ଏବଂ ସ୍ଥାନୀୟ ସରପଞ୍ଚ ବିଶ୍ୱନାଥ ମାଝୀ ବନ୍ୟପ୍ରାଣୀ ସୁରକ୍ଷା ଓ ଜଙ୍ଗଲ ସୁରକ୍ଷାରେ ସ୍ଥାନୀୟ ଲୋକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।

Dharitri –Odisha’s No.1 Trusted Odia Daily

Share