ଧୁଙ୍ଗିଆପାଣି ଗାଁ ରାସ୍ତା ଭୁଲିଯାଇଛି ବିକାଶ

ଉମରକୋଟ, ୯।୨(ସ୍ବ.ପ୍ର.): ଉମରକୋଟ ବ୍ଲକ ତହୋରା ପଞ୍ଚାୟତର ଧୁଙ୍ଗିଆପାଣି ଗ୍ରାମ। ଏହି ଗ୍ରାମକୁ ବିକାଶ ଯେମିତି ବାଟ ଭୁଲିଯାଇଛି। ପାହାଡ଼ିଆ ଅଙ୍କାବଙ୍କା ମାଟି ରାସ୍ତା ଦେଇ ସତେ ଯେମିତି ବିକାଶ ପହଞ୍ଚତ୍ପାରୁନାହିଁ ଧୁଙ୍ଗିଆପାଣି। ସ୍ବାଧୀନତାର ୭୪ବର୍ଷ ପରେ ମଧ୍ୟ ଏଠାକାର ଲୋକଙ୍କୁ ମୌଳିକ ସୁବିଧା ମିଳିପାରୁନାହିଁ।
ଧୁଙ୍ଗିଆପାଣି ଗ୍ରାମରେ ଆଦିବାସୀ ସମ୍ପ୍ରଦାୟର ୫୦ପରିବାରର ପ୍ରାୟ ୨୦୦ ଲୋକ ରହିଥାନ୍ତି। ସମସ୍ତେ ଚାଷବାସ କରି ଜୀବିକା ନିର୍ବାହ କରନ୍ତି। ଏବେ ସୁଦ୍ଧା ଏଠାକୁ ପକ୍କା ସଡ଼କ, ବିଜୁଳି ସଂଯୋଗ, ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ର ନାହିଁ। ରାସ୍ତା ନ ଥିବା ଯୋଗୁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରୋଗୀ, ଗର୍ଭବତୀଙ୍କୁ ଖଟିଆ କିମ୍ବା ଶଗଡ଼ରେ ୩ କିଲୋମିଟର ନେବା ପରେ ସେହିଠାରୁ ଆମ୍ବୁଲାନ୍ସ ଆସି ଡାକ୍ତରଖାନାକୁ ନେଇଥାଏ। ଅମଳ ଫସଲ ମଧ୍ୟ ବଜାର ପର୍ଯ୍ୟନ୍ତ ନେବା କଷ୍ଟକର ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଜୁଳି ନ ଥିବା ଯୋଗୁ ସନ୍ଧ୍ୟା ହେଲେ ଲୋକଙ୍କ ଭରସା ଡିବିରି। ଜଙ୍ଗଲୀ ଜନ୍ତୁଙ୍କ ଆକ୍ରମଣ ଭୟ ରହିଥିବା ହେତୁ ସନ୍ଧ୍ୟା ପୂର୍ବରୁ ଗ୍ରାମବାସୀ ତାଟିକବାଟ କିଳି ଘର ଭିତରେ ପଶିଥାନ୍ତି। ଏଠାରେ ଅଙ୍ଗନଓ୍ବାଡି କେନ୍ଦ୍ରଟିଏ ନାହିଁ। ପିଲାମାନେ ସ୍କୁଲ ପୂର୍ବରୁ ଶୈକ୍ଷିକ ବାତାବରଣ ବିଷୟରେ ଅବଗତ ହୋଇପାରନ୍ତି ନାହିଁ। ସେହିଭଳି ଅଙ୍ଗନଓ୍ବାଡି କେନ୍ଦ୍ରରୁ ମିଳୁଥିବା ଲାଭ ଗ୍ରାମବାସୀଙ୍କୁ ମିଳେନାହିଁ। ସ୍କୁଲ ଯିବା ପାଇଁ ହେଲେ ୩ ରୁ ୪ କିଲୋମିଟର ଚାଲିବାକୁ ପଡ଼େ। ତେଣୁ ପ୍ରାୟ ଅନେକ ଅଭିଭାବକ ପିଲାମାନଙ୍କୁ ପାଠ ପଢ଼ାଇବାକୁ ଅମଙ୍ଗ। ସରକାର ପିଲାମାନଙ୍କୁ ଅନ୍‌ଲାଇନରେ ପାଠ ପଢ଼ିବାକୁ ଉପଦେଶ ଦେଉଛନ୍ତି। କିନ୍ତୁ ଏଠାରେ ଏବେବି ମୋବାଇଲ ନେଟ୍‌ଓ୍ବର୍କ ନାହିଁ। ଅନ୍‌ଲାଇନ ପାଠପଢ଼ା କ’ଣ ସେ ସମ୍ପର୍କରେ ଅବଗତ ନ ଥିବା ଗ୍ରାମବାସୀ କହିଛନ୍ତି। ସମସ୍ତ ସୁବିଧା ଯୋଗାଇବାକୁ ଲୋକ ପ୍ରତିନିଧିଙ୍କଠାରୁ ଆରମ୍ଭକରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ନିବେଦନ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ବୋଲି ଗ୍ରାମର ସୋମା ଭତ୍ରା, ବୁଦୁରାମ ଭତ୍ରା, କେଶରୀ ପାତ୍ର, ମହାଦେବ ସରକାର, ମୋନା ଗୌଡ଼, ସୁନାଧର ଗୌଡ଼, ରଞ୍ଜନ ଗଣ୍ଡ, ହରି ଗୌଡ଼ କହିଛନ୍ତି। ଏ ନେଇ ଉମରକୋଟ ବିଡିଓ ଦେବୀପ୍ରସାଦ ଟାଲିଙ୍କୁ ପଚାରିବାରୁ ଗାଁରେ ଥିବା ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରାଯିବ। ବିଜୁଳି ସଂଯୋଗ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ ହେବ। ଗାଁର ସମସ୍ତ ସମସ୍ୟାର ଶୀଘ୍ର ସମାଧାନ ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।